ମେରଟ: ଉତ୍ତର ପ୍ରଦେଶର ମେରଟ ଜିଲ୍ଲାର ବହସୁମା ଅନ୍ତର୍ଗତ କୌଲ୍ ଗ୍ରାମରେ ଝିଅର ଫଟୋ ଭାଇରାଲ୍ ହେବାର ଦେଖି ବାପା ଦଉଡି ଦେଇ ଆତ୍ମହତ୍ୟା କରିଥିବା ଜଣାଯାଇଛି। ଖାଲି ସେତିକି ନୁହେଁ ବଡଭାଇଙ୍କ ଆତ୍ମହତ୍ୟା ଖବର ପାଇବା ମାତ୍ରେ ସାନଭାଇର ହୃଦଘାତରେ ପ୍ରାଣହାନି ଘଟିଥିବା ଜଣାଯାଇଛି।
ପୁଲିସ ଦ୍ୱାରା ଦିଆଯାଇଥିବା ସୂଚନା ଅନୁଯାୟୀ କୌଲ ଗାଆଁର ଜଣେ ଯୁବତୀ ସହିତ ସେହି ଗାଆଁର ଜଣେ ଯୁବକର ପ୍ରାୟ ତିନି ବର୍ଷ ଧରି ପ୍ରେମ ସଂପର୍କ ରହି ଆସିଥିଲା। ପ୍ରାୟ ତିନି ମାସ ପୂର୍ବରୁ ଦୁଇ ପରିବାର ଏ ସଂପର୍କରେ ଜାଣିବା ପରେ ବିବାଦ ଉପୁଜିଥିଲା। ଯୁବତୀର ମାଆ ପ୍ରେମିକ,ତା’ର ବାପା ଓ ଭାଇଙ୍କ ସମେତ ଛଅ ଜଣଙ୍କ ନାଆଁରେ ଅସଦାଚରଣ ମାମଲା ରୁଜ୍ଜୁ କରିଥିଲେ। ଏହି ମାମଲାରେ ତିନିଜଣଙ୍କୁ ପୁଲିସ ଗିରଫ କରିଥିଲା। ସେମାନେ ଜେଲ ଯାଇଥିଲେ।
ଯୁବତୀର ବାପା ଗତ ଗୁରୁବାର ଦିନ ଜେଲରୁ ବାହାରିବା ପରେ ଯୁବକର ବାପାଙ୍କୁ ଧମକ ଚମକ ଦେଇଥିଲେ। ଯୁବତୀର ମାଆ ଏହି ମାମଲାର ସମାଧାନ ଲାଗି ୧୫ ଲକ୍ଷ ଟଙ୍କା ଦାବି କରିଥିଲେ। ଏଥିରେ ଉତ୍କ୍ଷିପ୍ତ ହୋଇ ପ୍ରେମିକ ଯୁବତୀର ଏକ ଭିଡିଓ ଭାଇରାଲ୍ କରିଥିଲା। ଏହା ଜାଣିବା ପରେ ଜଙ୍ଗଲକୁ ଯାଇ ଦଉଡି ଦେଇ ଆତ୍ମହତ୍ୟା କରିଥିଲେ ଯୁବତୀର ବାପା। ତାପରେ ଏହି ଖବର ପାଇବାମାତ୍ରେ ଯୁବତୀର ଦାଦାଙ୍କର ହୃଦଘାତରେ ପ୍ରାଣହାନି ଘଟିଥିଲା ।