ବାପ ଚାପରେ ଯୁବତୀଙ୍କୁ ପ୍ରତାରଣା

ଖଣ୍ଡଗିରି: ପରିବାର ଚାପରେ ପ୍ରେମିକାକୁ ପ୍ରତାରଣା କରିବା ମାମଲାରେ ରବିବାର ଖଣ୍ଡଗିରି ଥାନା ପୁଲିସ ପ୍ରେମିକର ବାପା ଓ ତାଙ୍କ ଭଣଜାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଅଭିଯୁକ୍ତ ହେଲେ, ମଞ୍ଚେଶ୍ବର ଥାନା ଇଞ୍ଜଣା ଗ୍ରାମର ତ୍ରିଲୋଚନ ପ୍ରଧାନ ଓ ମଞ୍ଚେଶ୍ବର ଅଞ୍ଚଳର ତାଙ୍କ ଭଣଜା ପଙ୍କଜ ମହାନ୍ତି। ମୁଖ୍ୟ ଅଭିଯୁକ୍ତ ତଥା ପ୍ରେମିକ ତପନ ପ୍ରଧାନ ଓ ଅନ୍ୟ କିଛି ଅଭିଯୁକ୍ତ ସମ୍ପର୍କୀୟମାନେ ଅନ୍ୟ ଫେରାର୍ ଅଛନ୍ତି। ସୂଚନାନୁସାରେ ଚନ୍ଦକା ଅନ୍ଧାରୁଆ ଅଞ୍ଚଳର ଜଣେ ଯୁବତୀଙ୍କ ସହ ତପନର ପ୍ରେମ ସମ୍ପର୍କ ଥିଲା। ତପନ ଭଉଣୀ ଘରକୁ ଯିବା ଆସିବା କରିବା ଅବସରରେ ସେମାନଙ୍କ ଭଲ ପାଇବା ଗଢ଼ି ଉଠିଥିଲା। ସେମାନେ ପରସ୍ପରକୁ ବିବାହ କରିବେ ବୋଲି ସ୍ଥିର କରିଥିଲେ। କିନ୍ତୁ ତପନଙ୍କ ବାପା ଏହାକୁ ବିରୋଧ କରୁଥିଲେ। ଗତ ସପ୍ତାହରେ ତପନ ଯୁବତୀଙ୍କୁ ଡକାଇ ଖଣ୍ଡଗିରି ଥାନା ଅନ୍ତର୍ଗତ ଭରତପୁର କଳିଙ୍ଗ ଷ୍ଟୁଡିଓ ଛକରୁ ପୁରୀ ନେଇ ପଳାଇଥିଲା ଓ ସେଠାରେ ସେମାନେ ଏକ ଲଜ୍‌ରେ ରହି ବିବାହ କରିଥିଲେ। ଏହି ଖବର ପାଇ ତପନଙ୍କ ବାପା ତ୍ରିଲୋଚନ ଓ ଅନ୍ୟ ସମ୍ପର୍କୀୟମାନେ ପୁରୀ‌ରେ ପହଞ୍ଚି ସେମାନଙ୍କୁ କାର୍ ଯୋଗେ ଘରକୁ ନେଇ ଆସିଥିଲେ। ବାଟରେ ସେମାନେ ଯୁବତୀଙ୍କୁ ଓହ୍ଲାଇ ଦେଇ ପଳାଇଥିଲେ। ପରେ ପୁଣି ତପନ ଯୁବତୀଙ୍କୁ ନେଇ ରଙ୍ଗମାଟିଆରେ ତା’ ମାମୁଁ ଘରେ ରଖିଥିଲା। ସେଠାରେ ମଧ୍ୟ ତ୍ରିଲୋଚନ ପହଞ୍ଚି ତପନକୁ ଜୋର୍ କରି ନେଇ ଯାଇଥିଲେ ଓ ଯୁବତୀଙ୍କୁ ଘରୁ ବାହାର କରି ଦେଇଥିଲେ। ଏ ସଂପର୍କରେ ଯୁବତୀଜଣଙ୍କ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ। ଏଥିପାଇଁ ସେ ଉଭୟ ତପନ ଓ ତାଙ୍କ ବାପାଙ୍କ ସହ ଅନ୍ୟ ସମ୍ପର୍କୀୟମାନଙ୍କୁ ଦାୟୀ କରିଥିଲେ।

ସମ୍ବନ୍ଧିତ ଖବର