ଶ୍ବଶୁର କାଟିଦେଲା ଜ୍ବାଇଁ ଗୋଡ଼

ଘଣ୍ଟାପଡ଼ା: ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ରୁଣ୍ତିମହୁଲ ପଞ୍ଚାୟତରେ ପ୍ରେମ ବିବାହକୁ ବିରୋଧ କରି ଶ୍ବଶୁର ଜ୍ବାଇଁର ଗୋଡ଼ କାଟି ଦେବା ଭଳି ଏକ ଅଭାବନୀୟ ଘଟଣା ଘଟିଛି। ଜ୍ବାଇଁ ସୌରଭ ଦଣ୍ଡିଆ (୨୬)ଙ୍କୁ ବୁର୍ଲାରେ ଭର୍ତ୍ତି କରାଯାଇଥିବାବେଳେ ଶ୍ବଶୁର ଶଶି ମହାଲିଙ୍ଗ ଫେରାର୍ ହୋଇଯାଇଥିବା ଜଣାଯାଇଛି। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। କଣ୍ଟାମାଳ ଥାନାରେ ହୋଇଥିବା ଅଭିଯୋଗ ଅନୁସାରେ, ରୁଣ୍ତିମହୁଲ ପଞ୍ଚାୟତ ବରପଦର ଗାଁର ଚିତ୍ରସେନ ଦଣ୍ଡିଆଙ୍କ ପୁଅ ସୈାରଭ ଓ ଡୁଙ୍ଗୁରିଗୋରା ଗାଁର ଶଶି ମହାଲିଙ୍ଗଙ୍କ ଝିଅ ଜ୍ୟୋତ୍ସ୍ନା (୨୩)ଙ୍କ ସହ ବହୁ ଦିନ ହେଲା ପ୍ରେମସଂପର୍କ ଗଢ଼ି ଉଠିଥିଲା। ଝିଅ ପରିବାରର ବିନା ସମ୍ମତିରେ ଦୁହେଁ ଲୁଚାଛପାରେ ବିବାହ କରିଥିଲେ।

ଆଜି ସୈାରଭ ଅଙ୍ଗନବାଡ଼ି କେନ୍ଦ୍ର ନିକଟରେ ଠିଆ ହୋଇଥିବାବେଳେ ଜ୍ୟୋତ୍ସ୍ନାଙ୍କ ବାପା ଶଶି ମାହାଲିଙ୍ଗ ସେଠାରେ ପହଞ୍ଚି ସୌରଭଙ୍କ ସହ ପାଟିତୁଣ୍ଡ କରିଥିଲେ। ପରେ ଉତ୍ତ୍ୟକ୍ତ ହୋଇ ସୌରଭଙ୍କୁ ଏକ ଠେଙ୍ଗାରେ ବାଡ଼େଇ ଥିଲେ। ଏହା ପରେ ଶଶି ଘରୁ ଆଣିଥିବା ଟାଙ୍ଗିଆରେ ସୌରଭର ବାମ ଗୋଡ଼କୁ ହାଣିବା ସହ କଟା ଗୋଡ଼କୁ ଧରି ପଳାଇଥିଲେ। ଏହି ଘଟଣା ପ‌େର ଶଶି କେଉଁଆଡ଼େ ଫେରାର୍‌ ହୋଇଯାଇଛି। ଏ ନେଇ କଣ୍ଟାମାଳ ଥାନା ଅଧିକାରୀ ସୁଶାନ୍ତ ସେଠୀ ଏକ ମାମଲା ରୁଜୁ କରି ଘଟଣା ତଦନ୍ତ କରୁଛନ୍ତି। ଅଭିଯୁକ୍ତଙ୍କୁ ଧରିବାକୁ ପୁଲିସ ତନାଘନା ଚଳାଇଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର