ଘରେ ଆୟୋଜିତ କାର୍ଯ୍ୟକ୍ରମରେ ପୁଅ କିଛି ସଂପର୍କୀୟଙ୍କୁ ନିମନ୍ତ୍ରଣ ନ କରିବାରୁ ଗୁଳି କରି ହତ୍ୟା କଲା ବାପା

ଭିଓ୍ଵାନି : ହରିୟାଣାର ଭିଓ୍ଵାନିରେ ଜଣେ ବାପା ନିଜ ପୁଅକୁ ସାମାନ୍ୟ କଥା ପାଇଁ ଗୁଳି କରି ହତ୍ୟା କରିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଏ ନେଇ ମୃତ ଯୁବକଙ୍କ ପତ୍ନୀ ନିଜ ଶଶୁର ସମେତ ଅନ୍ୟ ୧୨ଜଣଙ୍କ ଉପରେ ଅଭିଯୋଗ କରିଛନ୍ତି । ଘଟଣାଟି ଶନିବାର ଘଟିଥିବା ଜଣା ପଡ଼ିଛି ।

AI News

ସୂଚନା ମୁତାବକ, ଭିଓ୍ଵାନି ଜିଲ୍ଲାର ସୁଧିବାସ ଗାଁରେ ରହୁଥିବା ତାରାଚନ୍ଦଙ୍କ ଘରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । କିନ୍ତୁ ତାରାଚନ୍ଦଙ୍କ ପୁଅ ଧର୍ମେନ୍ଦ୍ର ଏହି କାର୍ଯ୍ୟକ୍ରମକୁ ତାଙ୍କର କିଛି ସଂପର୍କୀୟଙ୍କୁ ନିମନ୍ତ୍ରଣ କରି ନଥିଲେ । ଏହା ପରେ ବାପ ପୁଅ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇ ଯାଇଥିଲା । ଉପସ୍ଥିତ ଲୋକେ ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ତାରାଚାନ୍ଦ ବୁଝି ନ ଥିଲେ । ଧର୍ମେନ୍ଦ୍ର ତାରାଚାନ୍ଦଙ୍କୁ ଶାନ୍ତ ହେବା ପାଇଁ କହିଥିଲେ ମଧ୍ୟ ତାରାଚାନ୍ଦ ଶାନ୍ତ ନ ହୋଇ ଘରେ ଥିବା ନିଜ ବନ୍ଧୁକ ଆଣି ଧର୍ମେନ୍ଦ୍ରଙ୍କୁ ଗୁଳି ମାରି ଦେଇଥିଲେ । ତୁରନ୍ତ ଧର୍ମେନ୍ଦ୍ରଙ୍କୁ ଡ଼ାକ୍ତରଖାନା ନିଆ ଯାଇଥିଲେ ମଧ୍ୟ ତାଙ୍କୁ ବଞ୍ଚାଯାଇ ପାରି ନଥିଲା । ପୁଅ ମରିବା ନେଇ ଦୁଃଖ କରିବା ପରିବର୍ତ୍ତେ ପୁଲିସ ଗିରଫ କରିବା ଡ଼ରରେ ତାରାଚାନ୍ଦ ଏବଂ ପରିବାର ଲୋକେ ଧର୍ମେନ୍ଦ୍ରଙ୍କ ମୃତଦେହ ଗାଁରେ ଥିବା ଏକ ଘରେ ଲୁଚାଇ ଦେଇଥିଲେ । ପୁଲିସ ସୂଚନା ପାଇ ଗାଁରେ ପହଞ୍ଚି ପଚରାଉଚରା କରିଥିଲେ ମଧ୍ୟ କେହି କିଛି କହି ନ ଥିଲେ । କିନ୍ତୁ ପୁଲିସ ସନ୍ଦେହ କରି ତଦନ୍ତ କରିବା ପରେ ଧର୍ମେନ୍ଦ୍ରଙ୍କ ମର ଶରୀରକୁ ଜବତ କରି ପାରିଥିଲା । ଏ ନେଇ ମୃତକଙ୍କ ପତ୍ନୀ ଶଶୁର ଏବଂ ୧୨ଜଣଙ୍କ ବିରୋଧରେ ଅଭିଯୋଗ କରିଥିବା ବେଳେ ପୁଲିସ ଅଭିଯୁକ୍ତମାନଙ୍କୁ ଖୋଜିବାର ପ୍ରୟାସ ଆରମ୍ଭ କରିଛି ।

ସମ୍ବନ୍ଧିତ ଖବର