ନାନ୍ଦେଡ: ବିବାହ ପରେ ଝିଅ ରଖିଥିଲା ଅନୈତିକ ସମ୍ପର୍କ। ଜାଣିବା ପରେ ପ୍ରେମିକ ସହ ଝିଅକୁ ହତ୍ୟା କଲା ବାପା। ମହାରାଷ୍ଟ୍ରର ନାନ୍ଦେଡରେ ଘଟିଛି ଏଭଳି ଅଭାବନୀୟ ଘଟଣା। ବିବାହ ପରେ ଶାଶୁ ଘରେ ଯାଇ ସମ୍ମାନ ହାନୀ କରିଥିବାରୁ ରାଗରେ ବାପା ଏଭଳି କରିଥିବା ଜଣାଯାଇଛି। ଏହି ଘଟଣାକୁ ‌ଏବେ ଅନର କିଲିଂର ନାମ ଦିଆଯାଇଛି। କୁହାଯାଉଛି ଯେ, ପ୍ରଥମେ ଝିଅ ଓ ତା’ର ପ୍ରେମିକକୁ ହତ୍ୟା କରିବା ଅଭିଯୁକ୍ତ ବାପା ଦୁହିଁଙ୍କ ମୃତଦେହକୁ ଏକ କୂଅରେ ଫିଙ୍ଗି ଦେଇଥିଲେ। ଏସବୁ ଘଟୁଥିବା ବେଳେ ସ୍ବାମୀ ଉପସ୍ଥିତ ଥିଲା ବୋଲି ଜଣାଯାଇଛି।

Advertisment

ମିଳିଥିବା ସୂଚନା ମୁତାବକ, ଘଟଣାଟି ଅଗଷ୍ଟ ୨୫ ତାରିଖରେ ଗୋଲେଗାଓଁରେ ଘଟିଥିଲା। ସୋମବାର ଦିନ ଯେତେବେଳେ ପ୍ରେମିକ ଜଣକ ମହିଳାଙ୍କ ଶ୍ୱଶୁର ଘରକୁ ତାଙ୍କୁ ଭେଟିବାକୁ ଯାଇଥିଲେ, ସେତେବେଳେ ଦୁହିଁଙ୍କୁ ଆପତ୍ତିଜନକ ଅବସ୍ଥାରେ କାବୁ କରିଥିଲେ ଶାଶୁଘର ଲୋକେ। ଏହା ପରେ ମହିଳାଙ୍କ ଘରକୁ ଫୋନ ଯାଇଥିଲା। ଖବର ପାଇ ଅନ୍ୟ ୨ଜଣକୁ ଧରି ଝିଅର ଶାଶୁଘରେ ପହଞ୍ଚିଥିଲେ ବାପା। ସେଠାରେ ଝିଅର ଶାଶୁଘର ଲୋକଙ୍କଠାରୁ ସବୁ ଶୁଣିବା ପରେ ଝିଅ ଓ ତା’ର ପ୍ରେମିକକୁ ମାଡ଼ ମାରିବା ଆରମ୍ଭ କରିଥିଲେ ଅଭିଯୁକ୍ତ ବାପା। ଦୁହିଁଙ୍କୁ ଏତେ ନିସ୍ତୁତ ମାଡ଼ ମରାଯାଇଥିଲା ଯେ, ସେମାନଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା। ଏହା ପରେ ଝିଅର ଶାଶୁଘର ଲୋକଙ୍କ ସହାୟତାରେ ଦୁହିଁଙ୍କ ମୃତଦେହକୁ ପାଖ କୂଅରେ ଫିଙ୍ଗି ଦିଆଯାଇଥିଲା। ଏସବୁ ଘଟୁଥିବା ବେଳେ ମହିଳାଙ୍କ ସ୍ବାମୀ ଉପସ୍ଥିତ ଥିଲେ ବୋଲି ଜଣାଯାଇଛି। 

The woman and her lover were allegedly killed by her father. (Image: News18)

ଘଟଣା ସମ୍ପର୍କରେ ସୂଚନା ମିଳିବା ମାତ୍ରେ, ଭୋକରର ପୁଲିସ ଅଧିକ୍ଷକ ଅର୍ଚ୍ଚନା ପାଟିଲ, ଉପଖଣ୍ଡ ପୁଲିସ ଅଧିକାରୀ ଦଶରଥ ପାଟିଲ ଏବଂ ପୁଲିସ ଇନ୍ସପେକ୍ଟର ଅଙ୍କୁଶ ମାନେ ଘଟଣାସ୍ଥଳ ପରିଦର୍ଶନ କରି ଘଟଣା ବିଷୟରେ ପଚାରି ବୁଝିଥିଲେ। ପ୍ରାଥମିକ ତଦନ୍ତ ପରେ ଏବେ ଅଭିଯୁକ୍ତ ବାପା, ସ୍ବାମୀ ଏବଂ ଅନ୍ୟମାନଙ୍କୁ କଷ୍ଟଡିକୁ ନିଆଯାଇଛି। କୁହାଯାଉଛି ଯେ, ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲେ ବି ତାଙ୍କ ପ୍ରେମିକଙ୍କ ମୃତଦେହ ମିଳିପାରିନାହିଁ।