ନୂଆଦିଲ୍ଲୀ: ଗୁଜୁରାଟର ଭଦୋଦରା ଗୌରବା ଅଞ୍ଚଳରେ ରହୁଥିବା ଜଣେ ବାପା ଗତବୁଧବାର ଜୀବନ ହାରି ଦେଇଛନ୍ତି। ମୃତ ବାପାଙ୍କ ନାମ ମୟୁର ମହିଡ଼ା ବୋଲି ଜଣାପଡ଼ିଛି। ଖବର ପାଇ ପୁଲିସ ଘଟଣାର ଯାଞ୍ଚ ଆରମ୍ଭ କରିଛି।
ମୟୁର ଜୀବନ ହାରିବା ପୂର୍ବରୁ ପରିବାର ପାଇଁ ଶେଷ ଚିଠି ଲେଖିଥିଲେ। ଏହି ଚିଠିରେ ସେ ଲେଖିଥିଲେ, ‘ମୋ ସାମ୍ନାରେ ଆଉ କୌଣସି ରାସ୍ତା ନାହିଁ। ଗତକିଛିଦିନ ହେବ ମୋ ପାଖକୁ ଋଣ ପୈଠ କରିବା ପାଇଁ କଲ ଆସୁଥିଲା। ମୁଁ କିନ୍ତୁ କିଛି ଋଣ ନେଇନାହିଁ। ମୁଁ କିଛି ଆପ୍ଲିକେସନ ଜରିଆରେ ଋଣ ନେଇଥିଲି। ଯାହାକୁ ମୁଁ ଶୁଝି ସାରିଛି। ଏହାପରେ ବି କ୍ରମାଗତ ଭାବେ ମୋ ପାଖକୁ କଲ ଆସିବାରେ ଲାଗିଛି।
ଯଦି ମୁଁ ଏହି ଟଙ୍କା ପୈଠ ନକରେ ସୋସିଆଲ ମିଡିଆରେ ସେମାନେ ମୋର ଖରାପ ଫଟୋ ପୋଷ୍ଟ କରିଦେବେ ବୋଲି ଧମକ ଦେଉଛନ୍ତି। ଏହି ଘଟଣାକୁ ନେଇ ମୁଁ ଚିନ୍ତାରେ ପଡ଼ିଯାଇଛି। ମୋର ପରିବାର ଏହି ଘଟଣା ବିଷୟରେ କିଛି ଜାଣି ନାହାନ୍ତି। ମୁଁ ଯାହାବି କରିବାକୁ ଯାଉଛି ଏଥିରେ ମୋର ପରିବାରର କିଛିଦୋଷ ନାହିଁ। ବାପା ଓ ଆରତୀଙ୍କୁ କ୍ଷମା ମାଗୁଛି।
ଆରତୀ ତୁମେ ଦୁଇପିଲାଙ୍କ ଯତ୍ନ ନେବ। ମୋତେ ବି ବହୁତ ଦୁଃଖ ହେଉଛି। କିନ୍ତୁ ମୋ ପାଖରେ ଆଉ କୌଣସି ବାଟ ନାହିଁ। ମୁଁ ନେଇ ନଥିବା ଋଣ ଯଦି ବି ସେମାନଙ୍କ ଦାବି ଅନୁଯାୟୀ ପୂରଣ କରିବି ମୁଁ ଜାଣିଛି ତା’ପରେ ବି ସେମାନେ ମୋତେ ଧମକ ଦେବେ। ଯେଉଁ କାରଣରୁ ମୋ ସହିତ ମୋ ପରିବାର ଉପରେ ବିପଦ ଆସିବ ।’
ମୟୁରଙ୍କ ସୁଇସାଇଡ ନୋଟରୁ ସ୍ପଷ୍ଟ ହେଉଛନ୍ତି କି ଋଣ ଚାପରେ ଜୀବନ ହାରି ଦେଇଛନ୍ତି। ପରିବାରଙ୍କ କହିବାନୁସାରେ, ‘ମୟୁର ଅନଲାଇନରେ ଗେମ ଖେଳୁଥିଲେ। ଯେଉଁଥିପାଇଁ ସେ ଏଭଳି ଅସୁବିଧାର ଶିକାର ହୋଇଛନ୍ତି।’