ଲକ୍ଷ୍ନୌ: ବାରମ୍ବାର କହିବା ସତ୍ତ୍ବେ ପ୍ରେମିକ ସହ ସମ୍ପର୍କ କାଟୁ ନ ଥିବା ଝିଅକୁ ମାରିବା ପାଇଁ ଜଣେ ବ୍ୟକ୍ତି ଗୋଟାଏ ଡାକ୍ତରଖାନାର ୱାର୍ଡ ବୟଙ୍କୁ ୧ ଲକ୍ଷ ଟଙ୍କା ଦେଇଥିବା କଥା ଶନିବାର ଦିନ ପୁଲିସ କହିଛି।
ୱାର୍ଡବୟଜଣକ ଉଚ୍ଚ ଅନୁପାନ (ହାଇ ଡୋଜ୍) ‘ପଟାସିୟମ୍ କ୍ଲୋରାଇଡ୍’ ଇଞ୍ଜକ୍ସନ୍ ଦେଇ ଦେବାରୁ ହଠାତ୍ ସେ ବ୍ୟକ୍ତିଙ୍କ ଝିଅର ସ୍ବାସ୍ଥ୍ୟବସ୍ଥାରେ ଅବନତି ଘଟିଥିଲା।
ଶନିବାର ଦିନ ପୁଲିସ ଝିଅର ବାପା ନବୀନ କୁମାର, ୱାଡ୍ବୟ ନରେଶ କୁମାର ଏବଂ ଡାକ୍ତରଖାନାର ଜଣେ ମହିଳା କର୍ମଚାରୀଙ୍କୁ ଗିରଫ କରିଛି।
ପୁଲିସ ସୂଚନା ଅନୁସାରେ, ମାଙ୍କଡ଼ ଦେଖି ଭୟରେ ଝିଅ ଛାତ ଉପରୁ ପଡ଼ିଯାଇଥିବା କହି ନବୀନ କୁମାର ଶୁକ୍ରବାର ବିଳମ୍ବିତ ରାତ୍ରରେ କାଙ୍କରଖେଡ଼ୱାସ୍ଥିତ ଏକ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ। ଏହାର କିଛି ଘଣ୍ଟା ପରେ ସ୍ବାସ୍ଥ୍ୟାବସ୍ଥାରେ ଅବନତି ଘଟିବାରୁ ଝିଅକୁ ମୋଦୀପୁରମ୍ସ୍ଥିତ ‘ଫ୍ୟୁଚର୍ ପ୍ଲସ୍ ହସ୍ପିଟାଲ୍’ରେ ଭର୍ତ୍ତି କରାଯାଇଥିଲା।

ପରୀକ୍ଷା ପରେ ଡାକ୍ତରମାନେ ଜାଣିପାରିଲେ ଯେ, ଝିଅଟିକୁ ହାଇ ଡୋଜ୍ର ‘ପଟାସିୟମ୍ କ୍ଲୋରାଇଡ୍’ ଇଞ୍ଜେକ୍ସନ୍ ଦିଆଯାଇଛି। ‘ସିସିଟିଭି’ ଫୁଟେଜ୍ ଯାଞ୍ଚ କରିବା ପରେ ଇଞ୍ଜେକ୍ସନ୍ ଦେଇଥିବା ୱାର୍ଡବୟ ନରେଶ କୁମାର ବୋଲି ଜଣାପଡ଼ିଲା। ଏହାପରେ ନରେଶଙ୍କୁ ହାଜତକୁ ନିଆଯାଇଛି ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି।
ପଚରାଉଚରା ବେଳେ ନରେଶ କୁମାର ପୁଲିସକୁ କହିଲେ ଯେ, ଝିଅକୁ ହତ୍ୟା କରିବା ଲାଗି ତା’ର ବାପା ତାଙ୍କୁ ୧ ଲକ୍ଷ ଟଙ୍କା ଦେଇଥିଲେ। ଡାକ୍ତର ସାଜି ସେ ଜଣେ ମହିଳା କର୍ମଚାରୀଙ୍କ ସହାୟତାରେ ‘ଆଇସିୟୁ’ ମଧ୍ୟକୁ ପ୍ରବେଶ କରି ଇଞ୍ଜେକ୍ସନ୍ ଦେଇଥିଲେ।
ୱାର୍ଡବୟଙ୍କ ସୂଚନାକୁ ଆଧାର କରି ପୁଲିସ ଡାକ୍ତରଖାନାର ଉକ୍ତ ମହିଳା କର୍ମଚାରୀ ଏବଂ ଝିଅର ବାପାଙ୍କୁ ଗିରଫ କରିଥିଲା। ପରେ ଝିଅର ବାପା ନବୀନ କୁମାର ପୁଲିସକୁ କହିଥିଲେ ଯେ, ଝିଅ ଜଣେ ବ୍ୟକ୍ତିଙ୍କୁ ପ୍ରେମ କରୁଥିଲା। ବାରମ୍ବାର ଅନୁରୋଧ କରିବା ସତ୍ତ୍ବେ ସେ ପ୍ରେମିକ ସହ ସମ୍ପର୍କ କାଟିଲା ନାହିଁ। ଡାକ୍ତରଖାନାରେ ଭର୍ତ୍ତି ହେଲା ବେଳେ ଝିଅ ମାଙ୍କଡ଼କୁ ଦେଖି ଛାତରୁ ପଡ଼ିଯାଇଥିଲା ବୋଲି କହିଥିଲେ। କିନ୍ତୁ, ଅସଲ କଥା ହେଲା, ଝିଅ ଛାତରୁ ତଳକୁ ଡେଇଁ ପଡ଼ିଥିଲା।
ପୁଲିସ ୱାର୍ଡବୟ ନରେଶଙ୍କ ପାଖରୁ ୯୦ ହଜାର ଟଙ୍କା ଏବଂ ସାମାନ୍ୟ ପଟାସିୟମ୍ କ୍ଲୋରାଇଡ୍ ଥିବା ଭଙ୍ଗା ଇଞ୍ଜକ୍ସନ୍ ଶଶି ପାଇଛି।