ଗ୍ୱାଲିୟର: ବିବାହକୁ ଆଉ ମାତ୍ର ଚାରି ଦିନ ବାକି ଥିବା ବେଳେ ଝିଅକୁ ଗୁଳି କରି ବାପା ହତ୍ୟା କରିଥିବାର ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏହି ଘଟଣାରେ ପୁଲିସ ହତ୍ୟାକାରୀ ବାପା ମହେଶ ଗୁର୍ଜରକୁ ଗିରଫ କରିଛି।

Advertisment

ଗିରଫ ପ‌ରେ ମହେଶ ଗୁର୍ଜର ପୁଲିସ ସମ୍ମୁଖରେ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ ଝିଅକୁ ହତ୍ୟା କରିବା ପାଇଁ ମୋର କୌଣସି ଅନୁତାପ ନାହିଁ। ଏହା ମୋର ସମ୍ମାନର କଥା ଥିଲା, ସେଥିପାଇଁ ଝିଅକୁ ଗୁଳି କରିଛି। ଏଥିପାଇଁ କୌଣସି ଦୁଃଖ ମଧ୍ୟ ମୋର ନାହିଁ।’

ପୀଡ଼ିତା ତନୁଙ୍କ ବାପା ମହେଶ ଗୁର୍ଜର ତାଙ୍କ ଝିଅ ସୋସିଆଲ ମିଡିଆରେ ପୋଷ୍ଟ କରିଥିବା ଏକ ଭିଡିଓ ଦେଖି କ୍ରୋଧିତ ହୋଇ ଏକ ଦେଶୀ ବନ୍ଧୁକ ବ୍ୟବହାର କରି ତାଙ୍କ ଜୀବନ ନେଇଯାଇଥିଲେ। ଏହି ସମୟରେ ତନୁଙ୍କ ସମ୍ପର୍କୀୟ ଭାଇ ରାହୁଲ ମହେଶ ଗୁର୍ଜରଙ୍କୁ ସାହାଯ୍ୟ କରିଥିଲେ।

ଯୁବତୀ ଜଣକ ହତ୍ୟାକଣ୍ଡର କିଛି ସମୟ ପୂର୍ବରୁ ସୋସିଆଲ୍‌ ମିଡିଆରେ ଭିଡିଓ ପୋଷ୍ଟ୍‌ କରି କହିଥିଲେ, ‘‘ମୁଁ ଭିକିଙ୍କୁ ବିବାହ କରିବାକୁ ଚାହୁଁଛି। ମୋ ପରିବାର ପ୍ରଥମେ ରାଜି ହୋଇଥିଲେ ମଧ୍ୟ ପରେ ମନା କରିଥିଲେ। ସେମାନେ ମୋତେ ପ୍ରତିଦିନ ମାରନ୍ତି ଏବଂ ହତ୍ୟା ଧମକ ଦିଅନ୍ତି। ଯଦି ମୋ ସହିତ କିଛି ହୁଏ, ତେବେ ମୋ ପରିବାର ଦାୟୀ ରହିବ।"