ପୁରୀ/ପିପିଲି: ପୁରୀ-ଭୁବନେଶ୍ବର ଜାତୀୟ ରାଜପଥରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି। ଦୀର୍ଘ ଦିନ ଧରି ଲୁଟେରାମାନେ ରାସ୍ତାରେ ଯାଉଥିବା ଲୋକମାନଙ୍କୁ ଛିନତାଇ କରି ନାନା ପ୍ରକାର ହଇରାଣ ହରକତ କରୁଛନ୍ତି। ଏ ନେଇ ଅନେକ ଥର ‘ସମ୍ବାଦ’ରେ ଖବର ପ୍ରକାଶ ପାଇଥିଲେ ମଧ୍ୟ ପୁଲିସ ପ୍ରଶାସନ ଏହାକୁ କର୍ଣ୍ଣପାତ କରୁନାହିଁ କି କୌଣସି ପଦକ୍ଷେପ ନେଉନାହିଁ। ଫଳରେ ଲୁଟେରାମାନେ ବାରମ୍ବାର ଅପରାଧ ଘଟାଇ ଚାଲିଛନ୍ତି।
ଗତ ଦୁଇ ତାରିଖ ଦିନ ପିପିଲିରେ ମନସ୍ବିନୀ ମହାନ୍ତି ନାମକ ଜଣେ ମହିଳା ଏହି ଲୁଟେରାଙ୍କ ଦୌରାତ୍ମ୍ୟର ଶିକାର ହୋଇଥିଲେ। ଦୁଇ ଜଣ ବାଇକ ଆରୋହୀ ଆସି ତାଙ୍କ ଭ୍ୟାନିଟି ବ୍ୟାଗ୍ ଝାମ୍ପି ନେବା ବେଳେ ସେ ତଳେ ପଡ଼ିଯାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ବରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଇଥିବା ବେଳେ ଆଜି ତାଙ୍କର ମୃତ୍ୟୁ ଘଟିଛି। ଏ ନେଇ ଚନ୍ଦନପୁର ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ଚନ୍ଦନପୁର ଥାନା ପୁଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ କୁମ୍ଭାରପଡ଼ା ଥାନା ଅନ୍ତର୍ଗତ ତଳମାଳି ସାହିର ମନସ୍ବିନୀଙ୍କ ଶବକୁ ପରିବାର ଲୋକେ ସ୍ବର୍ଗଦ୍ବାରକୁ ନେଇ ଅନ୍ତିମ ସଂସ୍କାର କରାଇଛନ୍ତି।
ମନସ୍ବିନୀ ଜଣେ ଆଇନଜୀବୀ ଭାବେ କାର୍ଯ୍ୟ କରନ୍ତି। ଗତ ୨ ତାରିଖ ଦିନ ଜଣେ ସହକର୍ମୀଙ୍କ ସହିତ ସେ ବାଇକ୍ରେ ପିପିଲିରୁ ପୁରୀକୁ ଫେରୁଥିଲେ। ଚନ୍ଦନପୁର ଓଭରବ୍ରିଜ୍ରେ ଦୁଇ ଜଣ ଦୁର୍ବୃତ୍ତ ଏକ ବାଇକରେ ଆସି ମନସ୍ବିନୀ ଧରିଥିବା ଭ୍ୟାନିଟି ବ୍ୟାଗଟିକୁ ଝାମ୍ପି ନେଉଥିବା ବେଳେ ମନସ୍ବିନୀ ଛାଡ଼ିନଥିଲେ। ଫଳରେ ମନସ୍ବିନୀ ତଳେ ପଡ଼ିଯିବାରୁ ତାଙ୍କ ମୁଣ୍ଡ ରାସ୍ତା କଡ଼ ବାଡ଼ରେ ମାଡ଼ ହୋଇଥିଲା। ଖବର ପାଇ ତାଙ୍କୁ ପରିବାର ଲୋକେ ଭୁବନେଶ୍ବରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ସେ ସେଠାରେ କୋମାରେ ରହି ମୃତ୍ୟୁ ସହିତ ସଂଗ୍ରାମ କରି ଶେଷରେ ଆଜି ଆଖି ବୁଜିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/l_chain-snatcher-looted-womens-1496358973_835x547-1.jpg)