ନୂଆଦିଲ୍ଲୀ:ପ୍ରାୟତଃ ମଧ୍ୟପ୍ରଦେଶର ସରକାରୀ ଡାକ୍ତରଖାନାକୁ ନେଇ ବିବାଦ ସାମ୍ନାକୁ ଆସିଥାଏ। ନିକଟରେ ମଧ୍ୟପ୍ରଦେଶର ରତଲାମର ଏକ ଡାକ୍ତରଖାନାରେ ଡାକ୍ତର ବିଧାୟକଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। 

Advertisment

ପ୍ରକାଶିତ ରିପୋର୍ଟ ମୁତାବକ, ପୂର୍ବରୁ ସୂଚନା ନଦେଇ ସୌଲାନାର ବିଧାୟକ କମଳେଶ୍ୱର ଡୋଡିୟାର ସରକାରୀ ଡାକ୍ତରଖାନାର ଯାଞ୍ଚ ପାଇଁ ପହଞ୍ଚି ଯାଇଥିଲେ। ଡ୍ୟୁଟିରେ ଥିବା ଡାକ୍ତରଙ୍କ ସହ ସେ କଥା ହେଉଥିବା ବେଳେ ଡାକ୍ତର ତାଙ୍କ ସହ ଦୁର୍ବ୍ୟବହାର କରି ଗାଳିଗୁଲଜ କରିବା ଆରମ୍ଭ କରିଥିଲେ।ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଡ୍ୟୁଟିରେ ଥିବା ଡାକ୍ତରଙ୍କ ନାମ ରାଠୋର ବୋଲି କୁହାଯାଉଛି। 

ସୂଚନା ଅନୁଯାୟୀ, ଡାକ୍ତରଖାନାରେ ରୋଗୀମାନେ ଉପଯୁକ୍ତ ଚିକିତ୍ସା ପାଉ ନଥିବା ନେଇ ବିଧାୟକ କମଳେଶ୍ୱର ଡୋଡିୟାରଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଚିକିତ୍ସା ବାହାନାରେ  ଡାକ୍ତରଖାନାରେ ପହଞ୍ଚିଥିବା ବିଧାୟକଙ୍କୁ ଦେଖି ଡାକ୍ତର ରାଠୋର ଦୁର୍ବ୍ୟବହାର କରିଥିଲେ। ଏହାଦେଖି ବିଧାୟକ ଡାକ୍ତରଙ୍କୁ କହିଥିଲେ, ‘ଏପରି କଥା ବାର୍ତ୍ତା କାହିଁକି କରୁଛ।’

ସଙ୍ଗେସଙ୍ଗେ ଡାକ୍ତର ବିଧାୟକଙ୍କୁ କହିଥିଲେ, ‘ନିଜର ଅସୁସ୍ଥତା ବିଷୟରେ ଜଣାନ୍ତୁ ନଚେତ ଥାନା ଚାଲାନ୍ତୁ । ଏଠାକୁ କ’ଣ ଗୁଣ୍ଡାଗିରି କରିବାକୁ ଆସିଛନ୍ତି।’ ଡାକ୍ତରଙ୍କ ଏପରି କଥା ଶୁଣି ବିଧାୟକଙ୍କ ସହ ଥିବା କର୍ମଚାରୀମାନେ ରାଗି ଯାଇ ଡାକ୍ତରଙ୍କୁ କହିଥିଲେ ତୁମେ ଯାହାଙ୍କ ସହିତ ଏପରି ବ୍ୟବହାର କରୁଛ ସେ କିଏ ଜାଣିଛନ୍ତି।’ଏହା ଶୁଣି ଡାକ୍ତର କହିଥିଲେ, ‘ମୁଁ କିଏ ଆପଣମାନେ ଜାଣିଛନ୍ତି।’

ଏହି ଘଟଣାକୁ କେନ୍ଦ୍ର କରି ବିଧାୟକ ଷ୍ଟେସନ ରୋଡସ୍ଥିତ ପୁଲିସ ଷ୍ଟେସନରେ ଡାକ୍ତରଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି। ତେବେ ଡାକ୍ତର ବିଧାୟକଙ୍କ ବିରୋଧରେ ଓଲଟା ମାମଲା ରୁଜୁ କରିଥିବା ଜଣାପଡ଼ିଛି।
 ଏହି ଘଟଣା ପରେ ବିଧାୟକ  ବରିଷ୍ଠ ଅଧିକାରୀଙ୍କ ନିକଟରେ ମଧ୍ୟ ଅଭିଯୋଗ କରି ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।