ବାଲିପାଟଣା: ବାଲିପାଟଣା ଥାନା ଭାକରସାହି ପଞ୍ଚାୟତ ଜାହାଙ୍ଗିରପାଟଣା ଗ୍ରାମରେ ଆଜି ସକାଳୁ ଦୁଇଗୋଷ୍ଠୀ ମଧ୍ୟରେ ତୁମୁଳ ସଂଘର୍ଷ ଘଟିଛି। କରଜ ଟଙ୍କା ମାଗିବାକୁ ନେଇ ଉଭୟପକ୍ଷ ହଣାକଟା ହୋଇଛନ୍ତି। ଗଣ୍ଡଗୋଳରେ ଉଭୟ ଗୋଷ୍ଠୀର ୯ଜଣ ଆହତ ହୋଇଛନ୍ତି। ୪ଜଣ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିବା ବେଳେ ୫ଜଣ ଗୁରତରଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Advertisment

ସୂଚନା ଅନୁଯାୟୀ, ଜାହାଙ୍ଗୀର ପାଟଣା ଗ୍ରାମର ମଣ୍ଟୁ ବେହେରାଙ୍କଠାରୁ ଚାରିପଡା ଗ୍ରାମର ଜୟରାମ ପାତ୍ର କିଛି ଟଙ୍କା ଧାର ସୂତ୍ରରେ ନେଇଥିଲେ। ଏହା ଭିତରେ ପ୍ରାୟ ଏକ ବର୍ଷ ବିତି ଯାଇଥିଲେ ମଧ୍ୟ ଜୟରାମ କରଜ ଶୁଝି ନଥିଲେ। ମଣ୍ଟୁ ବାରମ୍ବାର କରଜ ଟଙ୍କା ମାଗି ମାଗି ହତାଶ ହୋଇପଡ଼ିଥିଲେ ହେଁ ଜୟୀ ଟଙ୍କା ଫେରାଇ ନଥିଲେ। ଏହି ଘଟଣାକୁ କେନ୍ଦ୍ର କରି ରବିବାର ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା ଓ କଥା ହାତାହାତି ପର୍ଯ୍ୟନ୍ତ ଯାଇଥିଲା। ଗତକାଲିର ଗଣ୍ଡଗୋଳ ଆଜି ଉଗ୍ରରୂପ ନେଇଥିଲା। ଉଭୟଙ୍କ ସମର୍ଥନରେ ଅନ୍ୟ କିଛି ଲୋକ ଆଜି ଗଣ୍ଡଗୋଳକୁ ଓହ୍ଲାଇଥିଲେ। ଉଭୟ ପକ୍ଷ ଖଣ୍ଡା, ଠେଙ୍ଗା ଓ ଅନ୍ୟାନ୍ୟ ମାରଣାସ୍ତ୍ରରେ ପରସ୍ପରକୁ ଆକ୍ରମଣ କରିଥିଲେ। ଫଳରେ ୯ ଜଣ ଆହତ ହୋଇଛନ୍ତି। ଆହତ ବ୍ୟକ୍ତିମାନେ ହେଲେ ଜାହାଙ୍ଗୀର ପାଟଣା ଗ୍ରାମର ପ୍ରଶାନ୍ତ ବେହେରା, ଜ୍ୟୋତିରଞ୍ଜନ ବେହେରା, ମିଟୁ ବେହେରା ଏବଂ ମଣ୍ଟୁ ବେହେରା। ସେହିପରି ଚାରିପଡା ଗ୍ରାମର ପ୍ରଶାନ୍ତ ପାତ୍ର, ମାନସ ପାତ୍ର, ସୁଶାନ୍ତ ପାତ୍ର, ଦିବ୍ୟସିଂହ ପାତ୍ର, ଜୟନ୍ତ ପାତ୍ର ପ୍ରମୁଖ ଆହତ ହୋଇଛନ୍ତି।