ମଳତ୍ୟାଗକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ଗଣ୍ତଗୋଳ, ୩ ଆହତ

ବାଲିପାଟଣା: ବାଲିପାଟଣା ଥାନା ଅନ୍ତର୍ଗତ ନରିଶୋ ପଞ୍ଚାୟତର ପଦନପଦା ଗାଁରେ ମଳତ୍ୟାଗକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ଗଣ୍ତଗୋଳ ହୋଇଛି। ଏଥିରେ ୩ ଜଣ ଆହତ ହୋଇଛନ୍ତି। ଘଟଣା ସମ୍ପର୍କରେ ଲବଙ୍ଗ ଦେଈ ବନମାଳିପୁର ଫାଣ୍ତିରେ ଅଭିଯୋଗ କରିଛନ୍ତି।

ଲବଙ୍ଗ ଏତଲାରେ ଦର୍ଶାଇଛନ୍ତି, ମଙ୍ଗଳବାର ସକାଳ ୬ଟାରେ ପୀତବାସ ଭୋଇଙ୍କ ବାଡ଼ିରେ କିଏ ମଳତ୍ୟାଗ କରିବାରୁ ସେ ଘର ସମ୍ନାରେ ଗାଳିଗୁଲଜ କରିଥିଲେ। ଲବଙ୍ଗ କାରଣ ପଚାରିବାରୁ ପୀତବାସଙ୍କ ୩ ପୁଅ ହରିହର, ବଳରାମ, ବସନ୍ତ ଓ ବୋହୂ ରୀନା ହାତରେ ଦା, କଟୁରି, ବାଉଁଶ ଠେଙ୍ଗା ଧରି ବାଡ଼େଇବାକୁ ଆସିଥିଲେ। ଲବଙ୍ଗଙ୍କ ଦିଅର ସନ୍ତୋଷ ଭୋଇ ବୁଝାସୁଝା କରିବାରୁ ସମସ୍ତେ ଫେରି ଯାଇଥିଲେ। କିନ୍ତୁ ପରେ ଲବଙ୍ଗଙ୍କ ପୁତୁରା କଳିଙ୍ଗ ଗାଡ଼ି ନେଇ ଯିବା ସମୟରେ ପୀତବାସଙ୍କ ପରିବାର ସଦସ୍ୟ ତାଙ୍କୁ ଆକ୍ରମଣ କରିଥିଲେ। ଏଥିରେ କଳିଙ୍ଗଙ୍କ ମୁଣ୍ତ ଫାଟିଥିବା ବେଳେ ସନ୍ତୋଷ ଓ ଲବଙ୍ଗଙ୍କ ସ୍ବାମୀ ରମେଶ ଭୋଇ ଆହତ ହୋଇଛନ୍ତି। ଘଟଣାକୁ ନେଇ ଉଭୟ ପକ୍ଷରୁ ବନମାଳିପୁର ଫାଣ୍ତିରେ ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର