ଖଣ୍ଡଗିରି: ଘରଭଡ଼ା ଆଦାୟକୁ କେନ୍ଦ୍ର କରି ପାତ୍ରପଡ଼ାସ୍ଥିତ ଏକ ପାଉଁରୁଟି କାରଖାନାରେ ଗଣ୍ଡଗୋଳ କରିଥିବା ଅଭିଯୋଗରେ ଖଣ୍ଡଗିରି ଥାନା ପୁଲିସ ପାତ୍ରପଡ଼ା ଗାଁର ରଶ୍ମିରଞ୍ଜନ ପାଟ୍ଟଶାଣୀ ଓରଫ ଶମ୍ଭୁ(୩୫)କୁ ଗିରଫ କରିଛି। ସ୍ବାସ୍ଥ୍ୟଗତ ସମସ୍ୟା କାରଣରୁ ତାକୁ କୋର୍ଟଚାଲାଣ କରାଯିବା ପୂର୍ବରୁ ଏକ ଘରୋଇ ହସ୍ପିଟାଲରେ ଭର୍ତି କରାଯାଇଛି। ମଧ୍ୟସ୍ଥତା ଆଳରେ ଦାଦାଗିରି କରିଥିବା ଅଭିଯୋଗରେ ପୁଲିସ ଏହି ପଦକ୍ଷେପ ଗ୍ରହଣ କରିଛି। ସୂଚନାନୁସାରେ ପାତ୍ରପଡ଼ାରେ ଦୀପକ ପଟ୍ଟନାୟକଙ୍କ ଘରକୁ ଭଡ଼ା ସୂତ୍ରରେ ନେଇ ତପନ ନାୟକ ଇଣ୍ଟରନ୍ୟାସନାଲ୍ କନ୍ଫେକ୍ସନାରି ନାମକ ଏକ ପାଉଁରୁଟି କାରଖାନା କରିଥିଲେ। କାରଖାନା ଚାଲୁ ହେବା ଭିତରେ ଶ୍ରୀ ନାୟକ ଉକ୍ତ ଭଡ଼ାଘରର କିଛି ଅଂଶ ନବୀକରଣ କରିଥିଲେ ଓ ଭଡ଼ା ବାବଦରେ ଉକ୍ତ ଖର୍ଚ୍ଚ ଭରଣା କରାଯିବ ବୋଲି ସ୍ଥିର ହୋଇଥିଲା। ମାତ୍ର ପାଉଁରୁଟି କାରଖାନା କ୍ଷତିରେ ଚାଲିବାରୁ ଶ୍ରୀ ନାୟକ ଘରଭଡ଼ା ଦେଇପାରିଲେ ନାହିଁ। ଫଳରେ ଘର ମାଲିକଙ୍କ ସହ ତାଙ୍କର ବିବାଦ ସୃଷ୍ଟି ହେଲା। ଏହି ବିବାଦରେ ଅଭିଯୁକ୍ତ ଶମ୍ଭୁ ମୁଣ୍ଡ ପୂରାଇବା ସହ ତୁରନ୍ତ ବକେୟା ଘରଭଡ଼ା ଦେଇ ଘର ଛାଡ଼ିବା ପାଇଁ ଶ୍ରୀ ନାୟକଙ୍କ ଉପରେ ଚାପ ପକାଇଥିଲା। ଶ୍ରୀ ନାୟକ ରାଜି ନ ହେବାରୁ ଶମ୍ଭୁ ରାଗରେ ପ୍ରଥମେ କାରଖାନାରେ ପଶି ଯନ୍ତ୍ରପାତି ଭଙ୍ଗାରୁଜା କରିଥିଲା। ପ୍ରତିବାଦ କରିବାରୁ କର୍ମଚାରୀମାନଙ୍କୁ ଧମକ ଦେଇଥିଲା। ଏ ନେଇ ସଙ୍ଗୀତା ମିଶ୍ର ନାମକ ଜଣେ କର୍ମଚାରୀ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ।
ପାଉଁରୁଟି କାରଖାନାରେ ଗଣ୍ଡଗୋଳ ମାମଲାରେ ଶମ୍ଭୁ ଗିରଫ
/sambad/media/post_attachments/wp-content/uploads/2019/08/arrest-3.jpg)