ବରପକ୍ଷ, କନ୍ୟାପକ୍ଷଙ୍କ ମଧ୍ୟରେ ମାରପିଟ୍‌, ୩ ଆହତ, ୪ ଅଟକ

ଭୁବନେଶ୍ୱର: ସହିଦନଗର ଥାନା ଅନ୍ତର୍ଗତ ବାଙ୍କୁଆଳ ନିକଟରେ ଆଜି ରାତି ପ୍ରାୟ ୧୦ଟା ୩୦ ମିନିଟ୍‌ରେ ବରଯାତ୍ରୀ ଓ କନ୍ୟାପକ୍ଷ ଲୋକଙ୍କ ମଧ୍ୟରେ ମାର୍‌ପିଟ୍‌ ହୋଇ ୩ ଜଣ ଆହତ ହୋଇଛନ୍ତି। ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ୩ ଜଣଙ୍କୁ ଅଟକ ରଖିଛି। ପୁଲିସ ସୂଚନା ଅନୁଯାୟୀ ଆଜି ସହିଦନଗର ଅଞ୍ଚଳରୁ ଏକ ବରଯାତ୍ରୀ ଦଳ ଶୋଭାଯାତ୍ରାରେ ବାଙ୍କୁଆଳ ନିକଟ ମଧୁବନ ମଣ୍ଡପକୁ ଯାଉଥିଲେ। ମାତ୍ର ମଣ୍ଡପଠାରୁ କିଛି ଦୂରରେ କୌଣସି ଏକ କାରଣକୁ ନେଇ ବରପକ୍ଷ ଓ କନ୍ୟାଘର ପକ୍ଷର ଲୋକଙ୍କ ମଧ୍ୟରେ ମାରପିଟ୍‌ ହୋଇଥିଲା। ଉତ୍ତ୍ୟକ୍ତ ବରଯାତ୍ରୀମାନେ ମଣ୍ଡପରେ ଭଙ୍ଗାରୁଜା କରିଥିଲେ। ମାରପିଟ୍‌ରେ ଉଭୟ ପକ୍ଷରୁ ୩ ଜଣ ଆହତ ହୋଇଥିଲେ। ସହିଦନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗଣ୍ଡଗୋଳକୁ ନିୟନ୍ତ୍ରଣ କରିବା ସହିତ ଏହି ଘଟଣାରେ ସଂପୃକ୍ତ ୪ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ତେବେ କେଉଁ କାରଣକୁ ନେଇ ଏପରି ଗଣ୍ଡଗୋଳ ଘଟିଛି ତାହା ସ୍ପଷ୍ଟ ହୋଇ ନଥିଲେ ମଧ୍ୟ ମଦ୍ୟପାନ ଯୋଗୁ ଏପରି ହୋଇଥାଇପାରେ ବୋଲି ପୁଲିସ ଅନୁମାନ କରୁଛି।

ସମ୍ବନ୍ଧିତ ଖବର