ବରଯାତ୍ରୀ ଶୋଭାଯାତ୍ରାରେ ଗଣ୍ଡଗୋଳ, ୬ ଆହତ‌

୩ କାର ଓ ୩ ବାଇକ ଭଙ୍ଗାରୁଜା, ବର ଅଟକ

ବାଲିଅନ୍ତା: ବାଳକାଟି ବଜାର ଭିତରେ ଶୁକ୍ରବାର ରାତି ପ୍ରାୟ ସାଢ଼େ ୧୧ଟା ସମୟରେ ଏକ ବରଯାତ୍ରୀ ଶୋଭାଯାତ୍ରା ଯାଉଥିବାବେଳେ ଗଣ୍ଡଗୋଳ ହୋଇ ଉଭୟ ପକ୍ଷରୁ ୬ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ଲାଗି ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଛି। ସେହିପରି ସ୍ଥାନୀୟ ଯୁବକମାନେ ବରଗାଡ଼ି ସମେତ ୩ଟି କାର ଓ ୩ଟି ବାଇକ ଭଙ୍ଗାରୁଜା କରିଛନ୍ତି। ବରଯାତ୍ରୀଦଳଙ୍କ ଆକ୍ରମଣରେ ମାହାଲ ସାହିର ପ୍ରକାଶ ସାହୁ (୪୦) ଗୁରୁତର ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି। ବାଳକାଟି ଫାଣ୍ଡି ଅଧିକାରୀ ପିସିଆର ଭ୍ୟାନ୍‌ ସହିତ ଘଟଣାସ୍ଥଳରେ ପହଞ୍ଚି ଆପୋସ ସମାଧାନ ପାଇଁ ଚେଷ୍ଟା ଚଳାଇଛନ୍ତି। ରିପୋର୍ଟ ଲେଖା ହେବା ବେଳକୁ ଗଣ୍ଡଗୋଳର କୌଣସି ସମାଧାନ ହୋଇପାରି ନଥିଲା। ବରଯାତ୍ରୀ ଦଳ ସାଇଡ୍‌ ନଦେବାରୁ ଏପରି ଗଣ୍ଡଗୋଳ ହୋଇଥିବା କୁହାଯାଉଛି।

ସୂଚନାନୁଯାୟୀ ବାଲିପାଟଣା ଥାନା ଅନ୍ତର୍ଗତ ରାଜସ ମଠ ସାହିର କନ୍ୟା ସହିତ ବଡ଼ଗଡ଼ ଥାନା ଅଞ୍ଚଳର ବରଙ୍କ ମଧ୍ୟରେ ଭାର୍ଗବୀ ନଦୀପଠା ସ୍ଥିତ ଜ୍ଞାନଦେବୀ ସରକାରୀ କଲ୍ୟାଣ ମଣ୍ଡପରେ ବାହାଘର ହେବାର ଥିଲା। ବରଯାତ୍ରୀ ଶୋଭାଯାତ୍ରା ବଜାର ଭିତରେ ଯାଉଥିଲା। ମାହାଲ ସାହିର ଯୁବକ ପ୍ରକାଶ ଦୋକାନ ବନ୍ଦ କରି ଅନ୍ୟ ଦୁଇଜଣ ସାଙ୍ଗଙ୍କ ସହିତ କାର୍‌ରେ ଘରକୁ ଫେରୁଥିଲେ। ହର୍ଣ୍ଣ ବଜାଇ ସାଇଡ୍‌ ମାଗିଥିଲେ ମଧ୍ୟ ସେମାନେ କିଛି ଶୁଣି ନଥିଲେ। ଏନେଇ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ପ୍ରଥମେ ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ବରପକ୍ଷର ୪ ଜଣ ଯୁବକ ‌ପ୍ରକାଶଙ୍କୁ ନିର୍ଧୁମ ମାଡ଼ମାରି ତାଙ୍କ ମୁହଁ ଫଟାଇ ଦେଇଥିଲେ। ଏହି ଖବର ପ୍ରଚାରିତ ହୋଇଯିବା ପରେ ସ୍ଥାନୀୟ ଯୁବକମାନେ ବରଯାତ୍ରୀ ଦଳଙ୍କୁ ଆକ୍ରମଣ କରିଥିଲେ। ଫଳରେ ସେମାନଙ୍କ ମଧ୍ୟରୁ ୫ ଜଣ ଆହତ ହୋଇଥିଲେ। ଏତିକିରେ ଗ୍ରାମବାସୀମାନଙ୍କ ରାଗ ଶାନ୍ତ ହୋଇ ନଥିଲା। ସେମାନେ ବରଗାଡ଼ି ସମେତ ୩ଟି କାର ଓ ୩ଟି ବାଇକ ଭାଙ୍ଗି ଦେଇଥିଲେ। ବିବାହ ମଣ୍ଡପ ନିକଟରେ ପହଞ୍ଚି ଚେୟାର ଓ ଅନ୍ୟାନ୍ୟ ଜିନିଷପତ୍ର ଭଙ୍ଗାରୁଜା କରିବା ସହିତ ବରକୁ ଅଟକ ରଖିଥିଲେ।

ସମ୍ବନ୍ଧିତ ଖବର