ଭୁବନେଶ୍ୱର : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗତକାଲି ରାତିରେ ରେଣ୍ଟାଲ କଲୋନି ନିକଟରେ ଥିବା ସହିଦ ଲକ୍ଷଣ ନାୟକ ବେହେରା ବସ୍ତିରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଗୋଟିଏ ଗୋଷ୍ଠୀର କିଛି ଲୋକ ଅପର ଗୋଷ୍ଠୀର ଜଣେ ମହିଳାଙ୍କ ଦୋକାନ ଜାଳି ଦେଇଛନ୍ତି। ଏ ନେଇ ମହିଳା ଜଣକ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁ କରି ଦୁଇ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି। ଅନ୍ୟପକ୍ଷରେ ଏହି ଘଟଣାର ପୁଲିସ ତଦନ୍ତ କଲା ବେଳେ ସେହି ବସ୍ତିର ଜଣେ ଯୁବତୀଙ୍କୁ ଘରେ ପଶି ମାଡ଼ ମାରିଥିବାର ଅଭିଯୋଗ ମଧ୍ୟ ହୋଇଛି।
ମିଳିଥିବା ସୂଚନାନୁଯାୟୀ ଗତ କିଛି ଦିନ ହେବ ସହିଦ ଲକ୍ଷଣ ନାୟକ ବେହେରା ବସ୍ତିରେ ଦୁଇ ଗୋଷ୍ଠୀକୁ ନେଇ ଛକାପଞ୍ଝା ଲାଗି ରହିଥିଲା। ଗତ କାଲି ରାତି ପ୍ରାୟ ୨ଟା ସମୟରେ ସେହି ସାହିରେ ରହୁଥିବା ପୁଷ୍ପଲତା ଦାସଙ୍କର କେବିନରେ କିଛି ଲୋକ ନିଆଁ ଲଗାଇ ଦେଇଥିଲେ। ଏନେଇ ସେ ଆଜି ନୁଆପଲ୍ଲୀ ଥାନାରେ ଅଭିଯୋଗ କରିବାରୁ ପୁଲିସ ଘଟଣାର ତଦନ୍ତ କରି ସନ୍ଦେହରେ ଦୁଇ ଯୁବକଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲା। ଅନ୍ୟପକ୍ଷରେ ଦିନ ୩ଟା ବେଳେ ପ୍ରାୟ ୨୦ ରୁ ୩୦ ମହିଳା ଏକାଠିହୋଇ ନୂଆପଲ୍ଲୀ ଥାନା ଆସିଥିଲେ। ମହିଳାମାନଙ୍କ ଅଭିଯୋଗ ଥିଲା ଯେ ପୁଲିସ କେବିନ ପୋଡ଼ି ଘଟଣାର ତଦନ୍ତ କରିବାକୁ ଯାଇଥିବା ବେଳେ ଜଣେ ନିରୀହ ମହିଳାଙ୍କ ଘରେ ପଶି ତାଙ୍କୁ ମାଡ଼ ମାରିଥିଲା। ଏନେଇ ସେମାନେ ଥାନାବାବୁଙ୍କ ନାଁରେ ଅଭିଯୋଗ ଆଣିଥିଲେ। ସେମାନଙ୍କ କହିବାନୁଯାୟୀ ପୁଲିସ କିଛି କାରଣ ନଥାଇ ତାଙ୍କ ପରିବାରର ପିଲାମାନଙ୍କୁ ବିଭିନ୍ନ ସମୟରେ ଥାନାକୁ ଆଣି ଅଟକ ରଖୁଛନ୍ତି। ଅପରପକ୍ଷେ ନୂଆପଲ୍ଲୀ ଥାନାର ଇନ୍ସପେକ୍ଟରଙ୍କ କହିବାନୁଯାୟୀ ସେ ଓ ଦୁଇଜଣ ମହିଳା ପୁଲିସ ଘଟଣା ବିଷୟରେ ତଦନ୍ତ କରିବା ପାଇଁ ସେହି ବସ୍ତିକୁ ଯାଇଥିଲେ ଏବଂ କେବିନ ପୋଡ଼ି ଘଟଣାରେ ଯୁବତୀଙ୍କ ଭାଇର ହାତ ଥିବା କଥା ଜାଣିବାକୁ ପାଇଥିଲେ। ଯୁବତୀଙ୍କ ଘର ପାଖରେ ପହଞ୍ଚି ତାଙ୍କ ଭାଇ କେଉଁଠି ଅଛି ବୋଲି ପଚାରିବାରୁ ଯୁବତୀ ଓ ଘରେ ଥିବା ତାଙ୍କ ଭାଇ ଆମକୁ ଖରାପ ଭାଷାରେ ଗାଳିଗୁଲଜ କରିଥିଲେ। ପୁଲିସକୁ ଗାଳିଗୁଲଜ କରିବା ଅଭିଯୋଗରେ ଯୁବତୀର ଭାଇକୁ ଆମେ ଥାନାକୁ ଆଣିଥିଲୁ।
ମହିଳାଙ୍କ ଦୋକାନ ଜାଳିଦେଲେ: ସହିଦ ଲକ୍ଷ୍ମଣ ନାୟକ ବେହେରା ବସ୍ତିରେ ଦୁଇ ଗୋଷ୍ଠୀ ମୁହାଁମୁହିଁ
/sambad/media/post_attachments/wp-content/uploads/2018/02/fire-3.jpg)