ଜେଲ୍‌ ଗଲେ ଫିଲ୍ମ ପ୍ରଯୋଜକ ଶ୍ରୀକାନ୍ତ, କାଲିଠୁଁ ୩ ଦିନ ରିମାଣ୍ଡରେ ଯିବେ

ଭୁବନେଶ୍ୱର: ଚିଟ୍‌ଫଣ୍ଡ ମାମଲାରେ ୨୪ କୋଟି ଟଙ୍କା ଠକେଇ ଅଭିଯୋଗରେ ସିବିଆଇ ଦ୍ବାରା ଗିରଫ ଫିଲ୍ମ ପ୍ରଯୋଜକ ଶ୍ରୀକାନ୍ତ ମହତୋଙ୍କ ଜାମିନ୍‌ ଖାରଜ ହୋଇଛି। ଭୁବନେଶ୍ବର ସ୍ବତନ୍ତ୍ର ସିବିଆଇ କୋର୍ଟରେ ତିନିଦିନ ତଳେ ହୋଇଥିବା ଆବେଦନକୁ ଆଜି ସିବିଆଇ କୋର୍ଟ ସ୍ବତନ୍ତ୍ର ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‌(ସ୍ପେସାଲ ସିଜେଏମ୍‌) ନାମଞ୍ଜୁର କରିଛନ୍ତି। ଏଣୁ ତାଙ୍କୁ ପୁଣି ଥରେ ଝାରପଡ଼ା ଜେଲ୍‌ ହାଜତ୍‌କୁ ପଠାଇ ଦିଆଯାଇଛି। ଅନ୍ୟପଟେ ଆଜି କଲିକତାର ସିବିଆଇ ଟିମ୍‌ ଭୁବନେଶ୍ବରରେ ପହଞ୍ଚିବା ସହ ଅଭିଯୁକ୍ତକୁ ତିନିଦିନିଆ ରିମାଣ୍ଡରେ ନେବା ପାଇଁ ଆବେଦନ କରିଛି। ଏହି ଆବେଦନକୁ ସ୍ପେସାଲ ସିଜେଏମ୍‌ ମଞ୍ଜୁର କରିବା ସହ ତିନିଦିନ ରିମାଣ୍ଡରେ ନେବା ପାଇଁ ନିର୍ଦେଶ ଦେଇଛନ୍ତି। ସେହିପରି ୧ ତାରିଖରେ ପୁଣି ଥରେ କୋର୍ଟରେ ହାଜର କରିବା ପାଇଁ ଆଦେଶ ହୋଇଛି।

ସୂଚନା ମୁତାବକ, ଫିଲ୍ମ ପ୍ରଯୋଜନା କରିବା ପାଇଁ ‘ରୋଜ୍‌ଭ୍ୟାଲି’(ଗ୍ରୁପ୍‌ ଅଫ୍‌ ପୋଞ୍ଜି କମ୍ପାନି) ଓଡ଼ିଶା, ପଶ୍ଚିମବଙ୍ଗ, ଆସାମ ପ୍ରଭୃତି ରାଜ୍ୟର ବିଭିନ୍ନ ବ୍ୟକ୍ତିଙ୍କ ଠାରୁ ମୋଟା ଅଙ୍କରେ ଅର୍ଥ ସଂଗ୍ରହ କରିଥିଲା। ଫିଲ୍ମ ଲାଭ କରିବା ପରେ ଏହି ବ୍ୟକ୍ତିଙ୍କୁ ପ୍ରଦତ୍ତ ଅର୍ଥ ଠାରୁ ବେଶ୍‌ ମୋଟା ଅଙ୍କରେ ଫେରସ୍ତ କରିବା ପାଇଁ ସର୍ତ୍ତ ରଖିଥିଲା। ଏହି କମ୍ପାନି ଜନସାଧାରଣଙ୍କ ଠାରୁ ୧୫ ହଜାର କୋଟି ଆଦାୟ କରିଥିବା ବେଳେ ଭେଙ୍କଟେଶ୍‌ ଫିଲ୍ମସ୍‌ର ନିର୍ଦ୍ଦେ‌ଶକ ତଥା ପ୍ରଯୋଜକ ଅଭିଯୁକ୍ତ ଶ୍ରୀକାନ୍ତ ମହତୋ ପାଖାପାଖି ୨୪ କୋଟି ନେଇ ଥିଲେ। ଏହି ଅର୍ଥରୁ କିଛି ଅଂଶ ସେ ଘରୋଇ ଫିଲ୍ମ କମ୍ପାନି ମାଧ୍ୟମରେ ପେଣ୍ଟିଙ୍ଗ୍‌ କିଣିବାରେ ବିନିଯୋଗ କରିଥିଲା। ସେ କେବଳ ବିନିଯୋଗ କରି ନଥିଲା, ବରଂ ପୋଞ୍ଜି ସ୍କିମ୍‌ ମାମଲାରେ ଅନ୍ୟ ଅଭିଯୁକ୍ତଙ୍କୁ ଏଭଳି ବିନିଯୋଗ ପାଇଁ ପ୍ରବର୍ତ୍ତାଇଥିଲା। ସିବିଆଇ ମାମଲାର ଖୋଳତାଡ଼ କରୁଥିବା ବେଳେ ୨୪ ତାରିଖରେ କୋଲକାତାରୁ ଶ୍ରୀକାନ୍ତଙ୍କୁ ୨୪ ଗିରଫ କରି ଭୁବନେଶ୍ବର ସ୍ବତନ୍ତ୍ର ସିବିଆଇ କୋର୍ଟରେ ହାଜର କରିଥିଲା। ୨୬ ତାରିଖରେ ଜାମିନ ଆବେଦନ ହୋଇଥିବା ବେଳେ ଆଜି ଶୁଣାଣି ହୋଇଥିଲା।

ସମ୍ବନ୍ଧିତ ଖବର