ଅହମଦାବାଦ: ବିମାନ ଦୁର୍ଘଟଣା ପରଠୁ ମିଳୁନି ଫିଲ୍ମ ନିର୍ମାତାଙ୍କ ପତ୍ତା। ବନ୍ଧୁଙ୍କୁ ଭେଟିବାକୁ ବାହାରକୁ ଯାଇଥିଲେ ନିର୍ମାତା। ଗୁରୁବାର ଦିନ ଘଟିଥିବା ଛାତିଥରା ବିମାନ ଦୁର୍ଘଟଣା ସାରା ଦେଶକୁ ସ୍ତବ୍ଧ କରିଛି। ଏହି ଦୁର୍ଘଟଣାରେ ବିମାନରେ ଥିବା ୨୪୨ଜଣକ ମଧ୍ୟରୁ ୨୪୧ଜଣ ଲୋକ ମୃତ୍ୟୁବରଣ କରିଥିବା ବେଳେ ହଷ୍ଟେଲ ଓ ଆଖପାଖରେ ଥିବା କିଛି ଲୋକଙ୍କ ମୃତ୍ୟୁ ହୋଇଛି। ଏମଧ୍ୟରେ ଜଣେ ଚଳଚ୍ଚିତ୍ର ନିର୍ମାତା ନିଖୋଜ ଥିବାର ଖବର ଆସିଛି। ତାଙ୍କୁ ଖୋଜିବା ପାଇଁ ପରିବାର ଡିଏନଏ ନମୁନା ଦାଖଲ କରିଛନ୍ତି। ତାଙ୍କ ମୋବାଇଲ୍ ଫୋନ୍ର ଶେଷ ଲୋକେସନ୍ ଦୁର୍ଘଟଣାସ୍ଥଳଠାରୁ ୭୦୦ମିଟର ଦୂରରେ ଥିବା ଟ୍ରାକ୍ କରାଯାଇଛି।
ଗୁରୁବାର ଦିନ ୧.୩୯ ସମୟରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଉଡ଼ାଣ କରିବାର କିଛି ମୁହୂର୍ତ୍ତ ପରେ ମେଘାନୀନଗରର ଏକ ମେଡିକାଲ୍ କଲେଜ ପରିସରରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ଯେଉଁଥିରେ ବିମାନରେ ଥିବା ୨୪୧ଜଣଙ୍କର ମୃତ୍ୟୁ ହୋଇଥିବା ସହ ଆଖପାଖରେ ଥିବା ୨୯ଜଣଙ୍କର ମୃତ୍ୟୁ ହୋଇଥିଲା।
ଏବେ ନରୋଡାର ନିବାସୀ ମହେଶ କାଲାୱାଡିଆ ଓରଫ ମହେଶ ଜିରାୱାଲା ସେହି ଦୁର୍ଘଟଣାର ଶିକାର ହୋଇଥିବା ଆଶଙ୍କା କରାଯାଉଛି। ସେ ସେହି ଦିନ ଅପରାହ୍ନରେ ଲ' ଗାର୍ଡେନ୍ ଅଞ୍ଚଳରେ ଥିବା ଏକ କାଫେକୁ କାହାକୁ ଭେଟିବାକୁ ଯାଇଥିଲେ। ଘରକୁ ଫେରୁଛି ବୋଲି ଫୋନ କରି ସେ ପତ୍ନୀ ହେତଲଙ୍କୁ କହିଥିଲେ ବି ସେ ଆଉ ଫେରିନଥିଲେ। ଏଥିପାଇଁ ପରିବାର ଲୋକେ ଏବେ ତାଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା କରୁଛନ୍ତି।
ହେତଲଙ୍କ କହିବା ମୁତାବକ, "ମୋ ସ୍ୱାମୀ ମୋତେ ଅପରାହ୍ନ ୧.୧୪ ରେ ଫୋନ୍ କରି କହିଥିଲେ ଯେ ତାଙ୍କର ବୈଠକ ଶେଷ ହୋଇଛି ଏବଂ ସେ ଘରକୁ ଫେରୁଛନ୍ତି। କିନ୍ତୁ ସେ ଫେରିଲେ ନାହିଁ। ଯେତେବେଳେ ସେ ନଫେରିଲେ, ମୁଁ ତାଙ୍କ ଫୋନକୁ କଲ୍ କଲି କିନ୍ତୁ ତାହା ବନ୍ଦ ଆସିଲା। ପୁଲିସକୁ ସୂଚନା ଦିଆଯିବା ପରେ, ତାଙ୍କ ମୋବାଇଲ୍ ଫୋନ୍ର ଶେଷ ଲୋକେସନ୍ ଦର୍ଶାଇଲା ଯେ ସେ ଦୁର୍ଘଟଣାସ୍ଥଳରୁ ୭୦୦ ମିଟର ଦୂରରେ ଥିଲେ। ଏବେ ତାଙ୍କର ସ୍କୁଟର ଏବଂ ମୋବାଇଲ୍ ଫୋନର ପତ୍ତା ମିଳୁନି। ଏହା ଅସାଧାରଣ କାରଣ ସେ ଘରକୁ ଆସିବା ପାଇଁ ସେହି ରାସ୍ତା କେବେ ବାଛିବେ ନାହିଁ। ଦୁର୍ଘଟଣା ଯୋଗୁଁ ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରୁ ସେ ଜଣେ କି ନାହିଁ ତାହା ଯାଞ୍ଚ କରିବା ପାଇଁ ଆମେ ଡିଏନଏ ନମୁନା ଦାଖଲ କରିଛୁ।"