ବାସୁଦେବପୁର : ଜଣେ ବିବାହିତା ମହିଳାଙ୍କ ସହ ଜଣେ ବିବାହିତ ଯୁବକ ମଧ୍ୟରେ ଗଢ଼ି ଉଠିଥିଲା ଅନୈତିକ ସମ୍ପର୍କ। ଲୁଚାଛପାରେ ଚାଲିଥିବା ଏହି ସମ୍ପର୍କ ଯୁବକ ପାଇଁ ମହଙ୍ଗା ପଡ଼ିଛି। ଗାଁରେ ପ୍ରଜାକୋର୍ଟ ଜରିଆରେ ବିଚାର ହୋଇ ଯୁବକକୁ ତଣ୍ତ ଗଣିବାକୁ ପଡ଼ିଛି। ଗାଁ ଲୋକଙ୍କ ହାତରେ ଧରାପଡ଼ି ନିର୍ଧୁମ ଛେଚା ଖାଇବା ପରେ ପ୍ରଜାକୋର୍ଟରେ ହାଜର ହୋଇ ୨ଲକ୍ଷ ୫ହଜାର ଟଙ୍କା ଜରିମାନା ଦେଇଛନ୍ତି। ଏମିତି ଘଟଣା ଘଟିଛି ନାୟକାଣିଡିହି ଥାନାସ୍ଥିତ ବାଲିମୁଣ୍ତା ପଞ୍ଚାୟତ ନନ୍ଦପାଟଣା ଗ୍ରାମରେ।

Advertisment

publive-image

ସ୍ଥାନୀୟ ବିଦେଇପୁର ପାଳ ଅଞ୍ଚଳର ବିବାହିତ ଯୁବକ ଅବନୀ ନିକଟସ୍ଥ ନନ୍ଦପାଟଣାର ଜଣେ ବିବାହିତା ମହିଳାଙ୍କ ସହ ଅନୈତିକ ସମ୍ପର୍କ ରଖିଥିଲେ। ଲୁପାଛପାରେ ଚାଲିଥିବା ଏହି ସମ୍ପର୍କ ଗାଁର କେତେକ ଜାଣି ପାରିଥିଲେ। ଗତକାଲି ରାତିରେ ଏହି ଯୁବକ ଜଣକ ମହିଳାଙ୍କ ଘରକୁ ଯାଇଥିବା ବେଳେ କେତେକ ଯୁବକ ଅଚାନକ ଘରେ ପଶି ଦୁଇଜଣଙ୍କୁ କାବୁ କରିଥିଲେ। ଏଥିସହିତ ଯୁବକଙ୍କୁ ଗ୍ରାମବାସୀମାନେ ବାନ୍ଧି ପକାଇ ଉତ୍ତମ ମଧ୍ୟମ ଦେଇଥିଲେ। ଏହି ଖବର ଗାଁ ସାରା ପ୍ରଚାର ହୋଇଯିବା ପରେ ସ୍ଥାନୀୟ ନନ୍ଦପାଟଣାର ଏକ କ୍ଲବ ପରିସରରେ ବୈଠକ ବସିଥିଲା। ଉଭୟ ମହିଳା ଓ ଯୁବକଙ୍କୁ ବସାଇ ଘଟଣାର ଆଲୋଚନା ହୋଇଥିଲା। ପ୍ରଜାକୋର୍ଟରେ ସ୍ଥାନୀୟ ଦୁଇ ପଞ୍ଚାୟତର ଆଗଧାଡିର ମାନ୍ୟଗଣ୍ୟ ବ୍ୟକ୍ତିମାନେ ସାମିଲ ହୋଇଥିଲେ। ଦୁହେଁ ଉଭୟଙ୍କ ମଧ୍ୟରେ ସମ୍ପର୍କ ଥିବା ସର୍ବ ସମ୍ମୁଖରେ ସ୍ବୀକାର କରିଥିଲେ। ଶେଷରେ ଭଦ୍ରଲୋକମାନେ ସର୍ବସମ୍ମୁଖରେ ଯୁବକଙ୍କୁ ୨ଲକ୍ଷ ୫ହଜାର ଟଙ୍କା ଦେବାକୁ ରାୟ ଦେଇଥିଲେ। ପ୍ରଜାକୋର୍ଟରେ ସାମିଲ ଥିବା ଯୁବକଙ୍କ ସମ୍ପର୍କୀୟମାନେ ଉକ୍ତ ଟଙ୍କା ପୈଠ କରି ଯୁବକକୁ ମୁକୁଳାଇଥିଲେ। ଯୁବକଙ୍କଠାରୁ ଆଦାୟ ହୋଇଥିବା ଏହି ଅର୍ଥ ଗାଁରେ ଗଢ଼ି ଉଠିଥିବା ମା ଶୀତଳା ମନ୍ଦିର କମିଟିକୁ ଯିବ ବୋଲି ବିଚାରକମାନେ ମତ ଦେଇଥିଲେ। ଏହି ରାୟକୁ ସମସ୍ତେ ମାନି ନେଇଥିଲେ। ଘଟଣା ସମ୍ପର୍କରେ ଏହି ପ୍ରଜାକୋର୍ଟରେ ସାମିଲ ଥିବା ଜଣେ ବ୍ୟକ୍ତିଙ୍କ ସହ କଥାହେବା ବେଳେ, ସମସ୍ତ ଘଟଣାକୁ ସ୍ବୀକାର କରିଥିଲେ। ଏମିତି ଗାଁରେ ଘଟୁୁଥିବା ବହୁ ଘଟଣା ଆମ ଗାଁ କୋର୍ଟରେ ବିଚାର ହୁଏ ବୋଲି କହିଥିଲେ।