ବଟି ନଦେବାରୁ ଶ୍ରମିକଙ୍କୁ ଆକ୍ରମଣ ୫ ଆହତ, ଜଣେ ଗିରଫ

ମେସ୍‌ରୁ ୨୦ ହଜାର ଟଙ୍କା ଲୁଟ୍‌ ଅଭିଯୋଗ

ଖଣ୍ଡଗିରି: ଦାଦାବଟି ନ ମିଳିବାରୁ ଏକ ଶ୍ରମିକ ମେସ୍‌ରେ ଆକ୍ରମଣ କରି ୫ ଜଣଙ୍କୁ ଆହତ କରିବା ଓ ୨୦ ହଜାର ଟଙ୍କା ଲୁଟ୍‌ ଅଭିଯୋଗରେ ଚନ୍ଦକା ଥାନା ପୁଲିସ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ହେଲେ ମେଣ୍ଢାଶାଳ ଫାଣ୍ଡି ଅନ୍ତର୍ଗତ ଛତାବର ଗ୍ରାମର ଦିବାକର ବେହେରା(୩୯)। ଏହି ମାମଲାରେ ମୁଖ୍ୟ ୨ ଅଭିଯୁକ୍ତ ଅସିତ୍‌ ପଟ୍ଟନାୟକ ଓ ଉମାକାନ୍ତ ଡାକୁଆଙ୍କ ସହ ଆଉ ୪/୫ ଜଣ ଫେରାର୍‌ ଥିବା ଜଣାପଡ଼ିଛି। ପୁଲିସ ସେମାନଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଥିବା ସୂଚନା ମିଳିଛି।
ଛତାବରସ୍ଥିତ ଇଡ୍‌କୋ ଅଧିଗ୍ରହଣ କରିଥିବା ଜମିରେ ବିଦ୍ୟୁତ୍‌କରଣ କାର୍ଯ୍ୟ ଚାଲିଛି। ପବିତ୍ର ଇଲେ୍‌କ୍ଟ୍ରିକାଲ୍‌ ନାମକ ଏକ ସଂସ୍ଥା ଏଠାରେ ଠିକା ନେଇଛି। ଏହି ସଂସ୍ଥାରେ ପୁରୀ ଜିଲ୍ଲା ଅସ୍ତରଙ୍ଗର କିଛି ଶ୍ରମିକ ଛତାବର ଗାଁରେ ଏକ ଭଡ଼ାଘର ନେଇ ମେସ୍‌ କରି ରହିଛନ୍ତି। ଶନିବାର ସକାଳେ ଶ୍ରମିକ ଜ୍ୟୋତିପ୍ରକାଶ ସ୍ୱାଇଁ ମେଣ୍ଢାଶାଳ ଫାଣ୍ଡିରେ କରିଥିବା ଅଭିଯୋଗ ଅନୁସାରେ ଶୁକ୍ରବାର ରାତି ପ୍ରାୟ ୧୧ଟାବେଳେ ଛତାବର ଗାଁର ୭/୮ ଜଣ ଯୁବକ ଖଣ୍ଡା ଓ ଫାର୍ସା ଭଳି ବିଭିନ୍ନ ମାରଣାସ୍ତ୍ର ଧରି ସେମାନଙ୍କୁ ଆକ୍ରମଣ କରିଥିଲେ। ଫଳରେ ତାଙ୍କ ସହିତ ଶ୍ରମିକ ତପନ ସାହାଣୀ, ବାବୁ ଭୋଇ, ସୁନନ୍ଦ ଭୋଇ ଓ ସୁଦର୍ଶନ ଲେଙ୍କା ଆହତ ହୋଇଥିଲେ। ଦୁର୍ବୃତ୍ତମାନେ ମେସ୍‌ରୁ ୨୦ ହଜାର ଟଙ୍କା ମଧ୍ୟ ଲୁଟି ନେଇଥିଲେ। ଜ୍ୟୋତିପ୍ରକାଶଙ୍କ ଅଭିଯୋଗ ଅନୁସାରେ ଗତ କିଛି ଦିନ ହେଲା ଛତାବର ଗାଁର ଅସିତ୍‌ ପଟ୍ଟନାୟକ ଓ ଉମାକାନ୍ତ ଡାକୁଆ ସେମାନଙ୍କୁ ବଟି ମାଗୁଥିଲେ। ବଟି ନ ଦେଲେ ଗାଁ ଛାଡ଼ି ପଳାଅ ବୋଲି ଧମକ ଦେଉଥିଲେ। ଠିକାଦାରଙ୍କୁ ନ ମାଗି କାମ କରି ପେଟ ପୋଷିବାକୁ ଆସିଥିବା ଗରିବ ଶ୍ରମିକମାନଙ୍କୁ କାହିଁକି ମାଗୁଛ ବୋଲି ମେସ୍‌ରେ ରହୁଥିବା ଶ୍ରମିକମାନେ ସେମାନଙ୍କୁ ଅନୁରୋଧ କରିଆସୁଥିଲେ। ମାତ୍ର ଶୁକ୍ରବାର ରାତି ପ୍ରାୟ ୧୧ଟାବେଳେ ଶ୍ରମିକମାନେ ଖିଆପିଅ କରି ଶୋଇବାକୁ ଯାଉଥିବାବେଳେ ଅଚାନକ ଅସିତ୍‌ ଓ ଉମାକାନ୍ତଙ୍କ ଦଳ ସେମାନଙ୍କ ଉପରେ ଆକ୍ରମଣ କରିଥିଲେ। ଜ୍ୟୋତିଙ୍କ ମୁଣ୍ଡ ଫାଟି ଯାଇଥିବାବେଳେ ବାବୁ ଭୋଇଙ୍କ ଦେହରେ କ୍ଷତ ସୃଷ୍ଟି ହୋଇଥିଲା। କେତେଜଣ ଆକ୍ରମଣ କରୁଥିବାବେଳେ ଆଛ କିଛି ଲୁଟ୍‌ପାଟରେ ମାତି ଯାଇଥିଲେ।

ସମ୍ବନ୍ଧିତ ଖବର