ଆମେରିକାରେ ପୁଣି ଗଣହତ୍ୟା: ବାର୍‌ରେ ପଶି ଅଜଣା ଆତତାୟୀ ଚଳାଇଲେ ଗୁଳି, ଆକ୍ରମଣକାରୀ ସମେତ ୧୩ ନିହତ

ଓ୍ଵାଶିଂଟନ: ଆମେରିକାର ଦକ୍ଷିଣ କାଲିଫର୍ଣ୍ଣିଆର ଏକ ବାର୍‌ ଭିତରେ ଗୁଳିକାଣ୍ଡ ଘଟି ୧୩ ଜଣଙ୍କ ଜୀବନ ଯାଇଛି। ଆକ୍ରମଣକାରୀ ସ୍ୱୟଂଚାଳିତ ବନ୍ଧୁକ ସାହାଯ୍ୟରେ ଆକ୍ରମଣ କରିଥିବା ସୂଚନା ରହିଛି। ଏହି ଆକ୍ରମଣରେ ଜଣେ ପୁଲିସ୍‌ ଓ ଜଣେ ଆକ୍ରମଣକାରୀଙ୍କୁ ମିଶାଇ ସମୁଦାୟ ୧୩ ଜଣଙ୍କ ଜୀବନ ଯାଇଛି।

 

ନିଉଜ୍‌ ଏଜେନ୍ସି ପକ୍ଷରୁ ମିଳିଥିବା ଖବର ମୁତାବକ, ‘ବର୍ଡରଲାଇନ୍‌ ବାର୍‌ ଆଣ୍ଡ ଗ୍ରିଲ୍‌’ ନାମକ ଏବ ପବ୍‌ରେ ବୁଧବାର ରାତିରେ ଅଚାନକ କିଛି ଆକ୍ରମଣକାରୀ ଆସି ଗୁଳି ବର୍ଷା କରିଥିଲେ। ସ୍ଥାନୀୟ ଦମକଳ ବିଭାଗ ଟୁଇଟ୍‌ ଜରିଆରେ ଏହି କାଣ୍ଡକୁ ‘ଆକ୍ଟିଭ ସୁଟର୍‌ ଇନ୍‌ସିଡେଣ୍ଟ’ ନାମ ଦେଇଥିବା ଜାଣିବାକୁ ମିଳିଛି।

 

ଏହି ଘଟଣାକୁ ଫେଡେରାଲ୍‌ ବ୍ୟୁରୋ ଅଫ୍‌ ଇନ୍‌ଭେଷ୍ଟିଗେସନ୍‌ (ଏଫ୍‌ବିଆଇ) ତଦନ୍ତ କରୁଛି। ଟୁଇଟର୍‌ରେ ସେହି ଘଟଣା ସମୟର ଏକ ଭିଡିଓ ଦେଖିବାକୁ ମିଳିଛି। ଭିଡିଓଟିରେ ଦେଖିବାକୁ ମିଳିିଛି ଯେ ଘଟଣା ଘଟିବା ପରେ ଲୋକେ ଧାଁ ଦଉଡ଼ ହୋଇ କେ କୁଆଡ଼େ ପଳାଇ ଯାଉଛନ୍ତି।

ଉଲ୍ଲେଖଯୋଗ୍ୟ, ଆମେରିକାରେ ଏପରି ଗୁଳିକାଣ୍ଡ କିଛି ନୂଆ କଥା ନୁହେଁ। ପୂର୍ବରୁ ଫ୍ଲୋରିଡା, ଓକ୍‌ଲାହୋମା ଆଦି ଆନେକ ସ୍ଥାନରେ ଏପରି ଗୁଳିକାଣ୍ଡ ହୋଇଥିବାର ସୂଚନା ରହିଛି।

 

 

 

 

ସମ୍ବନ୍ଧିତ ଖବର