ଭୁବନେଶ୍ବର ଉପକଣ୍ଠ ନନ୍ଦନକାନନ ପଛ ଗେଟ୍‌ ସାମ୍ନାରେ ଥିବା ଜଙ୍ଗଲ ଭିଉ ରେସ୍ତୋରାଁରେ ଫୁଟିଲା ଗୁଳି, ଛାତ୍ର ଆହତ

ଭୁବନେଶ୍ବର/ବାରଙ୍ଗ : ଆଜି ଥିଲା କଲେଜ୍‌ରେ ‌ଶେଷ ଦିନ। ଆସନ୍ତାକାଲି ଓଡ଼ିଶା ଛାଡ଼ି ଫେରି ଯାଇଥାନ୍ତେ ଲକ୍ଷ୍ନୌ। ସେଥିପାଇଁ ଓଡ଼ିଆ ସାଙ୍ଗମାନଙ୍କୁ ଦେଉଥିଲେ ପାର୍ଟି। ହେଲେ ପଛରୁ ଫୁଟିଲା ୩ ରାଉଣ୍ଡ ଗୁଳି। ଦୁଇଟି କାନ ପାଖ ଦେଇ ଚାଲିଯାଇଥିବା ବେଳେ ଆଉ ଗୋଟିଏ ବାଜିଲା କାନ୍ଧରେ। ଚିତ୍କାର କରି ଟଳିପଡ଼ିଲେ ଯୁବକ। ଏଭଳି ଏକ ଅଭାବନୀୟ କାଣ୍ଡ ଘଟିଛି ଭୁବନେଶ୍ବର ଉପକଣ୍ଠ ନନ୍ଦନକାନନ ପଛ ଗେଟ୍‌ ସାମ୍ନାରେ ଥିବା ଜଙ୍ଗଲ ଭିଉ ରେସ୍ତୋରାଁରେ। ଅପରାହ୍‌ଣ ସାଢ଼େ ୩ଟା ବେଳେ ୩ ଜଣ ଯୁବକ ଗୁଳି ଚଳାଇ ଫେରାର ହୋଇ ଯାଇଛନ୍ତି। ଗୁରୁତର ଅବସ୍ଥାରେ ସମ୍ପୃକ୍ତ ଛାତ୍ରଙ୍କୁ ଏକ ଘରୋଇ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ଆହତ ଯୁବକ ହେଉଛନ୍ତି ଏକ ଘରୋଇ ଅନୁଷ୍ଠାନର ଶେଷ ବର୍ଷର ଛାତ୍ର ଲକ୍ଷ୍ନୌର ଅସୀମ୍‌ କୈଲାସ। ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

ଖବର ପାଇ ଘଟଣାସ୍ଥଳରେ ଡିସିପି ଅନୁପ କୁମାର ସାହୁଙ୍କ ସମେତ ଚନ୍ଦକା ଥାନା ପୁଲିସ ଓ ଭୁବନେଶ୍ବର ଜୋନ୍-୪ ଏସିପି ପହଞ୍ଚି ଛାନ୍‌ଭିନ୍‌ କରିଛନ୍ତି। ସମ୍ପୃକ୍ତ ରେସ୍ତୋରାଁରେ ଲାଗିଥିବା ସିସିଟିଭି ଫୁଟେଜ୍‌ ସଂଗ୍ରହ କରିଛନ୍ତି। ହୋଟେଲ ମାଲିକ ପ୍ରଶାନ୍ତ କୁମାର ରାଉତରାୟଙ୍କୁ ପଚରା ଉଚରା କରି ଫେରିଛନ୍ତି। ଫରେନସିକ ଟିମ୍‌ ମଧ୍ୟ ଘଟଣାସ୍ଥଳ ଅନୁଧ୍ୟାନ କରିଛି। ତେବେ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରାଯାଇ ପାରି ନାହିଁ। ହୋଟେଲ ମାଲିକଙ୍କ ସହ ସାମାନ୍ୟ କଥାକୁ ନେଇ ଯୁକ୍ତିତର୍କ ହେବାରୁ ହୋଟେଲରେ ଖାଉଥିବା ଯୁବକମାନେ ଗୁଳି ଫୁଟାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଆହତ ଛାତ୍ର ଦୁର୍ବୃତ୍ତଙ୍କ ଟାର୍ଗେଟ୍‌ରେ ନଥିଲେ ମଧ୍ୟ ଭୁଲ୍‌ରେ ତାଙ୍କ ଦେହରେ ଗୁଳି ବାଜିଛି।

ସୂଚନାଯୋଗ୍ୟ, ଅପରାହ୍‌ଣରେ ୩ ଜଣ ଯୁବକ ଏକ କାରରେ ଆସି ସମ୍ପୃକ୍ତ ରେସ୍ତୋରାଁରେ ଖାଉଥିଲେ। ସେମାନେ ନିଜ ଭିତରେ ଅଭଦ୍ର ଭାଷାରେ କଥା ହେଉଥିଲେ। ସେଠାରେ ଅନ୍ୟ ଗ୍ରାହକ ଥିବାରୁ ଏଥିରୁ ନିବୃତ୍ତ ରହିବା ପାଇଁ ଯୁବକମାନଙ୍କୁ ହୋଟେଲ ମାଲିକ ପ୍ରଶାନ୍ତ ଓ କର୍ମଚାରୀମାନେ କହିଥିଲେ। ଏହି କଥାକୁ କେନ୍ଦ୍ର କରି ଯୁବକମାନେ ଯୁକ୍ତି ତର୍କ କରିଥିଲେ। ବଚସା ଉଗ୍ରରୂପ ନେଇଥିଲା। ‘ତମ କଥା ବୁଝୁଛୁ’ କହି ଯୁବକମାନେ ଆସିଥିବା କାରରେ ବସି ଚାଲି ଯାଇଥିଲେ। ପ୍ରାୟ ୧୫ ମିନିଟ୍‌‌ ପରେ ଅର୍ଥାତ୍‌ ୨ଟା ୪୫ ମିନିଟ୍‌ରେ ମୁହଁରେ କପଡା ବାନ୍ଧି ଆଉ ଏକ ବାଇକ୍‌ରେ ଆସିଥିଲେ। ହୋଟେଲ ଆଗ ରାସ୍ତା ଉପରେ ଗାଡ଼ି ରଖିଥିଲେ। ପଛରେ ବସିଥିବା ଜଣେ ଯୁବକ ପାଖରେ ରଖିଥିବା ଏକ ପିସ୍ତଲ କାଢି ହୋଟେଲ ମାଲିକଙ୍କ ଆଡକୁ ଗୁଳି କରିଥିଲା। ହେଲେ ହୋଟେଲରେ ଖାଉଥିବା ଛାତ୍ର ଅସୀମ୍‌ଙ୍କ କାନ ଦେଇ ଗୁଳି ଚାଲି ଯାଇଥିଲା। ସେମାନେ ଭୟରେ ଉଠି ଦଉଡ଼ିବା ବେଳକୁ ଆଉ ଗୋଟିଏ ଗୁଳି ତାଙ୍କ କାନ୍ଧରେ ବାଜିଥିଲା। ସେ ପଡ଼ିଯାଇଥିଲେ। ଦୁର୍ବୃତ୍ତମାନେ ଆଉ ଏକ ଗୁଳି ରାଉଣ୍ଡ ଗୁଳି ଫୁଟାଇ ଫେରାର ହୋଇ ଯାଇଥିଲେ।

ହୋଟେଲ ମାଲିକ ଏ ନେଇ ଚନ୍ଦକା ଥାନାରେ ଅଭ‌ିଯୋଗ କରିଛନ୍ତି। ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସେମାନେ ଆସିଥିବା କାର ଓ ବାଇକ୍‌ର ନମ୍ବର ସଂଗ୍ରହ କରିବା ସହ ସିସିଟିଭି ଫୁଟେଜ୍‌ ଜରିଆରେ ଚିହ୍ନଟ କରିବା ପାଇଁ ଉଦ୍ୟମ କରୁଛି।

ସମ୍ବନ୍ଧିତ ଖବର