ସମ୍‌ ହସ୍ପିଟାଲ ବାଉନ୍‌ସରଙ୍କୁ ଗୁଳିମାଡ଼

ଖଣ୍ଡଗିରି : ରାଜଧାନୀରେ ପୁଣି ଫୁଟିଲା ଗୁଳି। ଆଜି ରାତି ପ୍ରାୟ ସାଢ଼େ ୮ଟା ସମୟରେ ସ୍ଥାନୀୟ ସମ୍‌ ହସ୍ପିଟାଲ ଛକରେ ସମ୍‌ ହସ୍ପିଟାଲରେ ବାଉନ୍‌ସର ଭାବେ କାମ କରୁଥିବା ସ୍ଥାନୀୟ ଘାଟିକିଆର ପବିତ୍ର ସେଠୀ(୨୪)ଙ୍କୁ ଗୁଳିମାଡ଼ ହୋଇଛି। ଦୁର୍ବୃତ୍ତମାନେ ତାଙ୍କ ଉପରକୁ ୩ ରାଉଣ୍ଡ ଗୁଳି ମାଡ଼ କରିଥିବାବେଳେ ପବିତ୍ରଙ୍କ ହାତ ଓ ପେଟରେ ୨ଟି ଗୁଳି ଲାଗିଛି। ଅନ୍ୟ ଗୁଳିଟି ତାଙ୍କ ଦେହରେ ନ ବାଜି ଫାଙ୍କାରେ ଚାଲି ଯାଇଛି। ଗୁରୁତର ଅବସ୍ଥାରେ ପବିତ୍ରଙ୍କୁ ସମ୍‌ ହସ୍ପିଟାଲରେ ଭର୍ତି କରାଯାଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରୁ ୨ଟି ଖୋକା ଜବତ କରିଥିବା ବେଳେ ଦୁର୍ବୃତ୍ତମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଆରମ୍ଭ କରିଛି। ଦୁର୍ବୃତ୍ତମାନଙ୍କୁ ତୁରନ୍ତ ଗିରଫ କରିବା ଦାବି କରି ଘାଟିକିଆ ଲୋକେ ଖଣ୍ଡଗିରି ଥାନା ଘେରାଉ କରିଥିବାବେଳେପୁଲିସ ବୁଝାଶୁଝା କରିବା ପରେ ସେମାନେ ଧାରଣାରୁ ଓହରି ଯାଇଛନ୍ତି।

ପବିତ୍ରଙ୍କ ଭାଇ ସନ୍ତୋଷ ସେଠୀ ଖଣ୍ଡଗିରି ଥାନାରେ କରିଥିବା ଅଭିଯୋଗ ଅନୁସାରେ ଚନ୍ଦକା ଥାନା ମଳିପଡ଼ା ଗାଁର ନକୁଳ ମହାକୁଡ଼ ଓ ତା’ର ଅନ୍ୟ ଦୁଇ ସହଯୋଗୀ ଏହି ଗୁଳିକାଣ୍ଡ କରିଛନ୍ତି। ଗୁଳିକାଣ୍ଡର କାରଣ ବାବଦରେ ସେ ଅଭିଯୋଗରେ କିଛି ଦର୍ଶାଇ ନ ଥିଲେ ବି ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି କାଣ୍ଡ ଘଟିଥିବା ଅନୁମାନ କରାଯାଉଛି।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ସମ୍‌ ହସ୍ପିଟାଲ ଛକରେ ପବିତ୍ର ଠିଆ ହୋଇଥିଲେ। ନକୁଳ ଓ ତା’ର ଅନ୍ୟ ଦୁଇ ସହଯୋଗୀ ସେଠାରେ ପହଞ୍ଚିବା ପରେ ପବିତ୍ରଙ୍କ ସହ ଯୁକ୍ତିତର୍କ ହୋଇଥିଲା। ଆଉ ହଠାତ୍‌ ନକୁଳ ଉତ୍‌କ୍ଷିପ୍ତ ହୋଇ ପିସ୍ତଲ ବାହାର କରି ପବିତ୍ରଙ୍କ ଉପରକୁ ଗୁଳି ମାଡ଼ କରିଥିଲା। ୩ଟି ଗୁଳିରୁ ପ୍ରଥମଟି ଫାଙ୍କାରେ ଚାଲି ଯାଇଥିଲା। ଅନ୍ୟ ଦୁଇଟି ଦେହରେ ବାଜିଥିଲା। ଗୋଟିଏ ବାମ ହାତରେ ଓ ଅନ୍ୟଟି ତଳି ପେଟରେ ବାଜିଥିଲା। ଫଳରେ ପବିତ୍ର ତଳେ ପଡ଼ି ଯାଇଥିଲେ। ନକୁଳ ଓ ତାର ସହଯୋଗୀମାନେ ବାଇକ୍‌ରେ ଶ୍ୟାମପୁର ଦେଇ ମଳିପଡ଼ା ଆଡ଼କୁ ପଳାଇଥିଲେ। ତୁରନ୍ତ ସ୍ଥାନୀୟ ଲୋକେ ପବିତ୍ରଙ୍କୁ ସମ୍‌ ହସ୍ପିଟାଲରେ ଭର୍ତି କରିଥିଲେ। ତେବେ ପବିତ୍ରଙ୍କ ପେଟରୁ ଗୁଳି ବାହାରି ନ ଥିବାରୁ ଅବସ୍ଥା ସଂକଟାପନ୍ନ ରହିଛି ବୋଲି କୁହାଯାଉଛି।

ଖବର ପାଇ ଏସିପି ଫଗୁଆ ସିଂହ ଓ ଖଣ୍ଡଗିରି ଥାନା ଅଧିକାରୀ ହିମାଂଶୁ ଭୂଷଣ ସ୍ୱାଇଁ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଥିଲେ। ଗୁଳିକାଣ୍ଡର କାରଣ ଜଣାପଡ଼ି ନ ଥିଲେ ହେଁ ପୂର୍ବ ଶତ୍ରୁତାକୁ ନେଇ ଏହା ଘଟିଥିବା ପୁଲିସ ସନ୍ଦେହ କରୁଛି। ଅଭିଯୁକ୍ତ ନକୁଳ ମହାକୁଡ଼ ଜଣେ ଅସାମାଜିକ ଯୁବକଭାବେ ପରିଚିତ। ପୂର୍ବରୁ ସେ ଗଣ୍ଡଗୋଳ ମାମଲାରେ ବହୁ ଥର ଗିରଫ ହୋଇଛି। ପବିତ୍ର ସମ୍‌ ହସ୍ପିଟାଲରେ ବାଉନ୍‌ସର ଥିବାରୁ ନକୁଳ ସହ ତାଙ୍କର କୌଣସି କାରଣରୁ ଗଣ୍ଡଗୋଳ ଘଟିଥିବା ଅନୁମାନ କରାଯାଉଛି। ତେଣୁ ରାଗ ଶୁଝାଇବାକୁ ନକୁଳ ପବିତ୍ରଙ୍କୁ ଗୁଳି କରିଛି ବୋଲି ପୁଲିସ ସନ୍ଦେହ କରୁଛି।

ଅନ୍ୟପକ୍ଷରେ ପବିତ୍ରଙ୍କୁ ଗୁଳିମାଡ଼ ହୋଇଥିବା ଖବର ପ୍ରଚାରିତ ହେବା ମାତ୍ରେ ସମ୍‌ ହସ୍ପିଟାଲରେ ଘାଟିକିଆ ଲୋକଙ୍କ ଭିଡ଼ ଜମିଥିଲା। ଉତ୍ତ୍ୟକ୍ତ ଲୋକେ ଖଣ୍ଡଗିରି ଥାନାରେ ପହଞ୍ଚି ଧାରଣାରେ ବସିଥିଲେ। ତୁରନ୍ତ ଅପରାଧୀମାନଙ୍କୁ ଗିରଫ କରିବା ଦାବି କରି ସେମାନେ ଧାରଣା ଦେଇଥିଲେ। ତେବେ ଅପରାଧୀମାନଙ୍କୁ ଗିରଫ କରିବାକୁ ପୁଲିସ ଚଢ଼ଉ ଆରମ୍ଭ କରିଥିବା ଜାଣିବା ପରେ ସେମାନେ ଧାରଣାରୁ ହଟିଥିଲେ।

ସମ୍ବନ୍ଧିତ ଖବର