ରାଜଧାନୀରେ ଗୁପ୍‌ଚୁପ୍‌ ବେପାରୀଙ୍କୁ ଗୁଳି

0

ଖଣ୍ଡଗିରି : ଗୁରୁବାର ରାତି ପ୍ରାୟ ୧୦ଟା ବେଳେ ତମାଣ୍ଡୋ ଥାନା ସାହାଣୀ କାଶିପୁର ଗାଁ ରାସ୍ତାରେ ଗୁଳିକାଣ୍ଡ ଘଟିଛି। ୩ ଜଣ ଦୁର୍ବୃତ୍ତ ଜଣେ ଗୁପ୍‌ଚୁପ୍‌ ବେପାରୀଙ୍କୁ ଲୁଟିବାକୁ ଯାଇ ଗୁଳି ଚଳାଇଛନ୍ତି। ମାତ୍ର ସୌଭାଗ୍ୟକୁ ଗୁଳିଟି ଖଟା ପାଣି ହାଣ୍ଡିରେ ବାଜିବାରୁ ବେପାରୀ ଜଣଙ୍କ ବର୍ତି ଯାଇଛନ୍ତି। ଖବର ପାଇ ତମାଣ୍ଡୋ ଥାନା ପୁଲିସ ଘଟଣାସ୍ଥଳରେ ପହ‌ଞ୍ଚି ଛାନ୍‌ଭିନ୍‌ କରିଛି। ତେବେ ପୁଲିସ ଦୁର୍ବୃତ୍ତମାନଙ୍କ ଟେର୍ ପାଇନାହିଁ ।

ସୂଚନାନୁସାରେ ବୋଲଗଡ଼ ଅଞ୍ଚଳର ରବୀନ୍ଦ୍ର ସ୍ୱାଇଁ କାଶୀପୁର ଗାଁରେ ଭଡ଼ାରେ ରହି ତମାଣ୍ଡୋ ବଜାରରେ ଗୁପ୍‌ଚୁପପ୍‌ ବେପାର କରନ୍ତି। ଆଜି ରାତିରେ ବେପାର ସାରି ସେ ଘରକୁ ଫେରୁଥିଲେ। ୧୬ ନମ୍ବର ଜାତୀୟ ରାଜପଥରୁ କୋଲ୍ ଇଣ୍ଡିଆ ପାଚେରି କଡ଼ ଅନ୍ଧାରିଆ ଓ ନିଛାଟିଆ ରାସ୍ତାରେ ସେ ସାଇକେଲ ଗଡ଼ାଇ ଗଡ଼ାଇ ଚାଲିଥିଲେ। ସେ ଜାତୀୟ ରାଜପଥରୁ ମାତ୍ର ୫୦ ମିଟର ଯାଇଥିବାବେଳେ ଦୁଇଟି ବାଇକ୍‌ରେ ୩ ଜଣ ତାଙ୍କୁ ଅଟକାଇବା ସହ ରଖିଥିବା ସବୁ ଟଙ୍କା ଦେଇଦେ ବୋଲି ଧମକାଇଥିଲେ। ଏତିକିବେଳେ ଜଣେ ଜୋର୍ କରି ତାଙ୍କ ପକେଟ୍‌ରୁ ୯ଶହ ଟଙ୍କା ଛଡ଼ାଇ ନେଇଥିଲା। ସେ ପାଟି କରିବାରୁ ଜଣେ ପିସ୍ତଲ ବାହାର କରି ହଠାତ୍ ଗୁଳି ଚଳାଇଥିଲା। ତେବେ ସେ ପ୍ରାଣବିକଳରେ ତଳେ ବସି ପଡ଼ିବାରୁ ଗୁଳିଟି ତାଙ୍କ ଦେହରେ ନ ବାଜି ଖଟା ପାଣି ହାଣ୍ଡିରେ ବାଜିଥିଲା। ଏହାପରେ ରବୀନ୍ଦ୍ର ଘଟଣାସ୍ଥଳରୁ ଦୌଡ଼ିଥିଲେ। ଗୁଳି ଫୁଟାଇବା ପରେ ଦୁର୍ବୃତ୍ତମାନେ ଜାତୀୟ ରାଜପଥକୁ ଯାଇ ଖୋର୍ଧା ଦିଗରେ ପଳାଇଥିଲେ।

ଏହି ସମୟରେ ସେହି ରାସ୍ତା ଦେଇ ଯାଉଥିବା କିଛି ଲୋକ ସେଠାରେ ଅଟକି ଘଟଣା ସମ୍ପର୍କରେ ଜାଣିବା ପରେ ତମାଣ୍ଡୋ ଥାନାକୁ ଜଣାଇଥିଲେ। ଖବର ପାଇ କାଶୀପୁର ଓ ବାଲିଆପଡ଼ାରୁ ଗ୍ରାମବାସୀମାନେ ଘଟଣାସ୍ଥଳକୁ ଛୁଟି ଆସିଥିଲେ। ପୁଲିସ ଗୁଳିର ଖୋକା ପାଇବା ପାଇଁ ଖୋଜାଖୋଜି କରିଥିଲେ ବି ବଣ ଭିତରୁ କିଛି ପାଇ ନଥିଲା। କିନ୍ତୁ କୋଲ ଇଣ୍ଡିଆର ପାଚେରିରେ ଗୋଟିଏ ସ୍ଥାନରେ ଗୁଳି ବାଜିଥିବା ଦେଖିବାକୁ ମିଳିଥିଲା।

ଉଲ୍ଲେଖଯୋଗ୍ୟ ଯେ ଆଜି ସନ୍ଧ୍ୟା ସାଢ଼େ ୭ଟାବେଳେ କଳିଙ୍ଗନଗର ବିପୁଲ ଗାର୍ଡେନ୍ ଛକରୁ ୩ ଜଣ ଦୁର୍ବୃତ୍ତ ଘାଟିକିଆର ପ୍ରଶାନ୍ତ ରଥଙ୍କୁ ଆକ୍ରମଣ କରି ତାଙ୍କ ବାଇକ୍ ଲୁଟି ନେଇଥିଲେ। ତେଣୁ ସେହି ଗ୍ୟାଙ୍ଗ୍ ପୁଣି ଗୁପ୍‌ଚୁପ୍‌ ବେପାରୀ ରବୀନ୍ଦ୍ରଙ୍କୁ ଆକ୍ରମଣ କରିଥିବା ସନ୍ଦେହ କରାଯାଉଛି। ଦୁଇ ଦୁଇଟି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.