ଫ୍ୟାସନ୍‌ ଡିଜାଇନିଂ ଛାତ୍ରୀଙ୍କୁ ଗୁଳିମାଡ଼ ଘଟଣା : ରିମାଣ୍ଡରେ ଆଶିଷ, ବନ୍ଧୁକ ନେଇ ତନାଘନା

ଭୁବନେଶ୍ବର/ଚନ୍ଦ୍ରଶେଖରପୁର : ଫ୍ୟାସନ ଡିଜାଇନିଂ ଛାତ୍ରୀଙ୍କୁ ଗୁଳିମାଡ଼ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଆଶିଷକୁ ଦୁଇ ଦିନିଆ ରିମାଣ୍ଡରେ ଆଣିଛି ଇନ୍‌ଫୋସିଟି ଥାନା ପୁଲିସ। ଆଶିଷ ଓ ଗୁଳିମାଡ଼ର ଶିକାର ଯୁବତୀଙ୍କ ମଧ୍ୟରେ ଏମିତି କ’ଣ ଘଟିଥିଲା ଯାହା ଫଳରେ ଗୁଳି ଫୁଟିଲା ତାକୁ ନେଇ ଖୋଳତାଡ଼ ଆରମ୍ଭ କରିଛି ପୁଲିସ। ସେପଟେ ଘଟଣାକୁ ଚାରି ଦିନ ବିତି ଯାଇଥିଲେ ବି ଗୁଳିକାଣ୍ଡରେ ବ୍ୟବହୃତ ବନ୍ଧୁକର ପତ୍ତା ପାଇପାରି ନାହିଁ ପୁଲିସ। ଆଜି ଦ୍ବିତୀୟ ଥର ପାଇଁ ଆଶିଷର ସହଯୋଗୀ ରାଜେଶ ତରାଇକୁ ରଘୁନାଥପୁର ଗଙ୍ଗୁଆ ନାଳ ନିକଟକୁ ନେଇଥିଲା ପୁଲିସ। ରାଜେଶର ବୟାନକୁ ଆଧାର କରି ଖୋଜାଖୋଜି କରିଥିଲେ ବି ବନ୍ଧୁକର ପତ୍ତା ମିଳି ନ ଥିଲା। ଆଶିଷକୁ ରିମାଣ୍ଡରେ ଆଣିବା ପରେ ତନାଘନା ଆରମ୍ଭ କରିଛି ପୁଲିସ। ଆଶିଷ ଓ ରାଜେଶକୁ ଅଲଗା ଅଲଗା ରୁମରେ ବସାଇ ପୁଲିସ ଜେରା କରିଛି। ବନ୍ଧୁକ କେଉଁଠି ଲୁଚାଇଛନ୍ତି ସେ ସମ୍ପର୍କରେ ବି ପଚରାଉଚରା ଚଳାଇଛି। କିନ୍ତୁ ଉଭୟ ମୁହଁ ଖୋଲୁ ନାହାନ୍ତି। ପୁଲିସ କହିବା ଅନୁସାରେ, ଆଶିଷ ହିଁ ଗୁଳି କରିଥିଲା। ଘଟଣା ପରେ ରାଜେଶକୁ ଡକାଇ ବନ୍ଧୁକ ନେଇ ଫିଙ୍ଗି ଦେବାକୁ କହିଥିଲା। ରାଜେଶ ରଘୁନାଥପୁରଠାରେ ଗଙ୍ଗୁଆ ନାଳ ନିକଟରେ ଫିଙ୍ଗି ଦେଇଥିବା ନେଇ ଦୁଇ ଦୁଇ ଥର ପୁଲିସ ଆଗରେ କହିଛି। ପୁଲିସ ଦୁଇ ଦିନ ଧରି ସେଠାରେ ଛାନଭନ୍ କରିଛି। କିନ୍ତୁ ବନ୍ଧୁକର ଟେର୍ ପାଇ ପାରି ନାହିଁ।

ସମ୍ବନ୍ଧିତ ଖବର