ବ୍ରାଉନ ସୁଗାର-ଗଞ୍ଜେଇ ଜବତ, ୫ ଗିରଫ

ରାଉରକେଲା: କିଛି ଦିନ ବ୍ୟବଧାନ ପରେ ପ୍ଲାଣ୍ଟସାଇଟ୍‌ ପୁଲିସ ଆଜି ତିନି ବ୍ରାଉନସୁଗାର ଓ ଦୁଇଜଣ ଗଞ୍ଜେଇ ବେପାରୀକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ବ୍ରାଉନସୁଗାର ବେପାରୀ ହେଲେ ପ୍ଲାଣ୍ଟସାଇଟ୍‌ ଅଞ୍ଚଳର ମହମ୍ମଦ ଅଲ୍ଲୀ ହସନ୍‌, ମହମ୍ମଦ ଅଫ୍‌ସର ଓ କୁନାଲ ସରକାର। ଦୁଇ ଗଞ୍ଜେଇ ବେପାରୀ ହେଲେ ଛେଣ୍ଡ କଲୋନି ଇ-୧୬୯ର ବିବେକ ମହାନ୍ତି ଓରଫ କାହ୍ନା (୩୧), ଏମ୍‌ଆଇସିଆର୍‌ -୩୨ର ମହେଶ ମହାପାତ୍ର ଓରଫ ମହିଆ (୨୦)। ଏମାନଙ୍କ ନିକଟରୁ ୧୮.୩୨ ଗ୍ରାମ ଓଜନର ବ୍ରାଉନ ସୁଗାର, ୧୬ କେଜି ୯୨୮ ଗ୍ରାମର ଗଞ୍ଜେଇ ଜବତ ହୋଇଛି।

ଏଥିସହ ଗିରଫ ଦୁଇ ଗଞ୍ଜେଇ ବେପାରୀ ନିକଟରୁ ସ୍କୁଟି (ଓଡି୧୪ଟି-୦୪୬୩), ଦୁଇଟି ମୋବାଇଲ, ନଗଦ ୭୦୦ ଟଙ୍କା ଜବତ ହୋଇଛି। ଦୁହେଁ ଦୁଇଟି ପ୍ଳାଷ୍ଟିକ୍‌ ବୁରାରେ ଗଞ୍ଜେଇ ବୋଝେଇ କରି ସ୍କୁଟିରେ ଉଦିତନଗରରୁ ବିର୍ସାମୁଣ୍ଡା ଛକ ଆଡକୁ ଯାଉଥିଲେ। ପୁଲିସ ପେଟ୍ରୋଲିଂ ବେଳେ ଦୁହିଁଙ୍କ ସ୍କୁଟିକୁ ଯାଞ୍ଚ କରିବାରୁ ଗଞ୍ଜେଇ ଜବତ ହୋଇଥିଲା। ଦୁହେଁ କଲିକତାରୁ ଚୋରା ଗଞ୍ଜେଇ ଆଣି ରାଉରକେଲାର ବିଭିନ୍ନ ସ୍ଥାନରେ ଚୋରାରେ ବିକୁଥିଲେ। ସେମିତି ତିନି ବ୍ରାଉନସୁଗାର ବେପାରୀମାନଙ୍କ ଚେର ମଧ୍ୟ ଲମ୍ବିଛି ପଶ୍ଚିମବଙ୍ଗ। ଏମାନେ ଗତ କିଛି ମାସ ହେବ କଲିକତାରୁ ଦଲାଲଙ୍କ ଠାରୁ ଚୋରାରେ ବ୍ରାଉନ ସୁଗାର ଆଣି ରାଉରକେଲାର ବିଭିନ୍ନ ସ୍ଥାନରେ ଚୋରାରେ ବିକୁଥିଲେ। ଦୁହେଁ ରାଉରକେଲା ମୁଖ୍ୟ ବଜାର, ବସ୍‌ଷ୍ଟାଣ୍ଡ ଏରିଆରେ ବିକୁଥିଲେ। ପୁଲିସ ଖବର ପାଇଁ ତିନି ଜଣକୁ ରାଉରକେଲା ବସ୍ ଷ୍ଟାଣ୍ଡ ନିକଟରୁ ଧରିବା ସହ ବିକୁଥିବା ବ୍ରାଉନ ସୁଗାର ଜବତ କରିଥିଲା। ସେପଟେ ତିନି ବେପାରୀ ସହ ଅନ୍ୟ କେଉଁମାନେ ଅଛନ୍ତି ? ଏମାନଙ୍କୁ କଲିକତାର କେଉଁମାନେ ବ୍ରାଉନ୍‌ ସୁଗାର ଯୋଗାଉଥିଲେ ପୁଲିସ ତା’ର ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର