ଭୁବନେଶ୍ୱର: ଆଜି ଅବକାରୀ ବିଭାଗ ପକ୍ଷରୁ ଜାତୀୟ ରାଜପଥ କଡ଼ରେ ଥିବା ଢାବାଗୁଡ଼ିକ ଉପରେ ଚଢ଼ଉ କରାଯାଇ ୨୧୪ ବୋତଲ ବିଦେଶୀ ଓ ୫୦ ବୋତଲ ଦେଶୀ ମଦ ଜବତ କରିଯାଇଛି। ଜବତ ମଦର ମୂଲ୍ୟ ପାଖାପାଖି ୩୫ ହଜାର ଟଙ୍କାର ହେବ। ଢାବାରେ ମଦ କାରବାର କରୁଥିବା ଅଭିଯୋଗରେ ଅବକାରୀ ପୁଲିସ ୫ ଜଣଙ୍କୁ ଗିରଫ କରିଛି। ଆଜି ସମସ୍ତଙ୍କୁ କୋର୍ଟ ଚାଲାଣ ପରେ ଜାମିନ ନାମଞ୍ଜୁର ହେବାରୁ ସମସ୍ତଙ୍କୁ ଜେଲ୍‌ ପଠାଇ ଦିଆଯାଇଛି।

Advertisment

ଫ୍ଲାଇଙ୍ଗ୍‌ ସ୍କ୍ଵାଡ୍‌ ଇନ୍ସପେକ୍ଟର ଶରତ ଚନ୍ଦ୍ର ଭଞ୍ଜଙ୍କଠାରୁ ମିଳିଥିବା ସୂଚନା ମୁତାବକ, ଦୀର୍ଘ ଦିନ ଧରି ଜାତୀୟ ରାଜପଥ କଡ଼ ଢାବାଗୁଡ଼ିକରେ ବିଦେଶୀ ମଦ, ବିଅର ଓ ଦେଶୀ ମଦ ବେଆଇନ ଭାବେ ବିକ୍ରି ହେଉଥିବା ନେଇ ଅଭିଯୋଗ ହୋଇ ଆସୁଥିଲା। ଆଜି ସକାଳ ୯ଟାବେଳେ ଫ୍ଲାଇଙ୍ଗ ସ୍କ୍ଵାଡ୍‌ ଟିମ୍‌ ସହିତ ଭୁବନେଶ୍ୱର ଅବକାରୀ ଇନ୍ସପେକ୍ଟର ଦେବୀ ପ୍ରସନ୍ନ ଦାଶଙ୍କ ଟିମ୍‌ ଏକାସାଙ୍ଗରେ ଜାତୀୟ ରାଜପଥ କଡ଼ରେ ଥିବା ବିଭିନ୍ନ ଢାବାରେ ଚଢ଼ଉ କରିଥିଲେ। ଚଢ଼ଉ ହୋଇଥିବା ଢାବାଗୁଡିକ ହେଲା ଆଳୁଗଦି ନିକଟରେ ଥିବା ମା’ ମଙ୍ଗଳା ଢାବା, କଳିଙ୍ଗବିହାର ଛକରେ ଥିବା ଦୀନବନ୍ଧୁ ଢାବା, ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ଥିବା ବରମୁଣ୍ଡା ଢାବା, ଜୟଦେବ ବିହାର ଛକରେ ଥିବା ବନା ଢାବା, ବରମୁଣ୍ଡାରେ ଥିବା ମହାବୀର ଢାବା। ଚଢ଼ଉବେଳେ ଅବକାରୀ ପୁଲିସ କୈଳାସ ଜେନା, ମଣ୍ଟୁ ସାମଲ, ପ୍ରମୋଦ ଶୁଳ, ପ୍ରଦୀପ ନାୟକ, ଚତୁର୍ଭୁଜ ପ୍ରଧାନ ପ୍ରମୁଖ ଧରା ପଡ଼ିଥିଲେ। ଏ ନେଇ ଅବକାରୀ ପକ୍ଷରୁ ୫ ଟି ଭିନ୍ନ ଭିନ୍ନ ମାମଲା ରୁଜୁ କରାଯାଇଛି।