ଢାବା ମାଲିକଙ୍କ ଘରୁ ଡକାୟତି ଘଟଣା : ଅଢ଼େଇ ବର୍ଷ ପରେ ଧରାପଡ଼ିଲେ ୫

ଚନ୍ଦ୍ରଶେଖରପୁର : ପଟିଆ ଛକରେ ଥିବା ବହୁଚର୍ଚ୍ଚିତ ‘ବାବା କା ଢାବା’ର ମାଲିକଙ୍କ ଘରୁ ଗତ ୨୨ ଜାନୁୟାରି ୨୦୧୫ରେ ହୋଇଥିବା ଏକ ବଡ଼ ଧରଣର ଡକାୟତି ଘଟଣା ଅଢ଼େଇ ବର୍ଷ ପରେ ପର୍ଦାଫାସ ହୋଇଛି। ପୁଲିସ୍‌ ଏହି ଘଟଣାର ଅଭିଯୁକ୍ତମାନଙ୍କୁ ଧରିବାରେ ସଫଳ ହୋଇଛି। ଦୁଇ ଦିନ ପୂର୍ବେ ଡକାୟତି ଦଳରୁ ଜଣେ ପୁଲିସ୍‌ ହାତରେ ଧରାପଡ଼ିଥିଲା। ଦୁର୍ବୃତ ଜଣକୁ ଥାନାକୁ ଆଣି ଜେରା କରିବାରୁ ସେ ତା’ର ଅନ୍ୟ ସହଯୋଗୀମାନଙ୍କ ଠିକଣା କହିଥିଲା। ପୁଲିସ ଗ୍ୟାଙ୍ଗ୍‌ର ମୋଟ ୫ଜଣ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇଥିଲା। ଅଭିଯୁକ୍ତମାନେ ହେଲେ କେନ୍ଦ୍ରାପଡ଼ା ଜିଲା ପାଟକୁରା ବଳାନ ପଳାସପୁରର ଅଭୟ କୁମାର ସେନାପତି(୨୬)। ଅଭୟ ନୂଆପଲ୍ଲୀ ଥାନା ୟୁନିଟ୍‌ ୮ସ୍ଥିତ ଘର ସଂଖ୍ୟା ୨ଆର୍‌ବି ୭/୪ରେ ରହୁଥିଲା। ସେହିପରି କଟକ କୁରୁଜଙ୍ଗ ମାହାଙ୍ଗାର ସଂଗ୍ରାମ ତ୍ରିପାଠୀ(୩୦)। ପୁରୁଣା ଭୁବନେଶ୍ୱର ଚେମେଟି ସାହିର ଶିବ ପ୍ରସାଦ ଦାଶ(୪୦)। ପଟିଆର ଦିଲ୍ଲୀପ୍‌ କୁମାର ରାୟ(୪୦) ଓ କଟକ ନେମାଳ ଗୋପୀନାଥପୁରର ସଂଜୟ କୁମାର ସାହୁ(୨୩)। ପୁଲିସ୍‌ ସେମାନଙ୍କ ଠାରୁ ଗୋଟିଏ ମୋବାଇଲ୍‌ ଫୋନ୍‌ ଓ ଏଲ୍‌ଇଡି ଟିଭି ଜବତ କରିଛି। ଡକାୟତମାନେ ‘ବାବା କା ଢାବା’ର ମାଲିକ ପ୍ର୍ରଶାନ୍ତ ରାଉତଙ୍କୁ ଦାଦା ବଟି ମାଗିଥିଲେ। ସେ ବଟି ନଦେବାରୁ ଷ୍ଟାର୍‌ସିଟିସ୍ଥିତ ତାଙ୍କ ବାସଭବନରେ ବନ୍ଧୁକ ଧରି ବଳପୂର୍ବକ ପଶି ସେମାନଙ୍କୁ ଆକ୍ରମଣ କରିଥିଲେ। ପରେ ତାଙ୍କ ଘରୁ ଲୁଟ୍‌ପାଟ୍‌ କରିଥିଲେ।

ସମ୍ବନ୍ଧିତ ଖବର