ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଟିକମଗଡ଼ ଜିଲ୍ଲା ମୁଖ୍ୟାଳୟରୁ ୩୫କିମି ଦୂର ଖରଗାପୁର ଅଞ୍ଚଳରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ପରିବାରର ୫ଜଣ ସଦସ୍ୟଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି। ପ୍ରାଥମିକ ତଦନ୍ତରୁ ପୁଲିସ ଆତ୍ମହତ୍ୟା ବୋଲି ସନ୍ଦେହ କରୁଛି।
ଏହି ଘଟଣାକୁ ନେଇ ଟିକମଗଡ଼ ଜିଲ୍ଲାର ପୁଲିସ ଏସ୍ପି ପ୍ରଶାନ୍ତ ଖରେଙ୍କ କହିବାନୁସାରେ, ଖରଗାପୁରର ୬୨ବର୍ଷୀୟ ଧର୍ମଦାସ ସୋନିଙ୍କ ପରିବାରର ସମସ୍ତ ୫ଜଣଙ୍କ ଶରୀର ଝୁଲନ୍ତା ଅବସ୍ଥା ଉଦ୍ଧାର କରାଯାଇଛି। ମୃତକଙ୍କ ମଧ୍ୟରେ ଧର୍ମଦାସ ସୋନି (୬୨) , ପୂନା ସୋନି ( ୫୫ବର୍ଷ, ଧର୍ମଦାସ ସୋନୀଙ୍କ ସ୍ତ୍ରୀ ) , ମନୋହର ସୋନୀ (୨୭ , ଧର୍ମଦାସ ସୋନିଙ୍କ ପୁଅ ) , ସୋନମ ସୋନି (୨୫ବର୍ଷ, ମନୋହର ସୋନୀଙ୍କ ସ୍ତ୍ରୀ) ଓ ସାନିଧ୍ୟ ସୋନୀ ( ୪ବର୍ଷ, ଧର୍ମଦାସ ସୋନିଙ୍କ ନାତି)ଙ୍କ ମୃତଦେହ ଗୋଟିଏ ଘରେ ଝୁଲନ୍ତା ଅବସ୍ଥାରେ ମିଳିଥିଲା। ପୁଲିସ୍ ଏହି ମାମଲାର ତଦନ୍ତ ଆରମ୍ଭ କରିଦେଇଛି । ତେବେ ଆଶ୍ଚର୍ଯ୍ୟର କଥା ହେଉଛି ସାନିଧ୍ୟର ବୟସ ୪ବର୍ଷ ହୋଇଥିବା ବେଳେ ସେ କିପରି ଫାଶୀରେ ଝୁଲିଥିଲା ସେ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହେଉଛି।
ଗୋଟିଏ ପରିବାର ୫ଜଣ ସଦସ୍ୟ କାହିଁକି ଏଭଳି ପଦକ୍ଷେପ ନେଇଛନ୍ତି କିମ୍ବା କିଏ ତାଙ୍କୁ ହତ୍ୟା କରି ଟାଙ୍ଗୀ ଦେଇଛି ସେନେଇ ପୁଲିସ ଖୋଲତାଡ଼ ଆରମ୍ଭ କରିଛି। ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ଏହି ମାମଲା ନେଇ କିଛି ସ୍ପଷ୍ଟ ସୂଚନା ମିଳି ପାରି ନଥିଲା।