ପାକିସ୍ତାନରେ ପୁଣି ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ: ଗୋଟିଏ ହିନ୍ଦୁ ପରିବାରରେ ୫ଜଣଙ୍କୁ ହତ୍ୟା

ମୁଲ୍‌ତାନ୍‌: ଶୁକ୍ରବାର ଦିନ ପାକିସ୍ତାନରେ ଗୋଟିଏ ୫ଜଣିଆ ହିନ୍ଦୁ ପରିବାର ସଦସ୍ୟମାନଙ୍କର ରହସ୍ୟମୟ ପରିସ୍ଥିତିରେ ମୃତ୍ୟୁ ଘଟିଛି। ସେମାନଙ୍କର ତଣ୍ଟି କଟାଯାଇ ହତ୍ୟା କରାଯାଇଥିବା ଜଣାପଡ଼ିଛି।

‘ଦି ନିଉଜ୍‌ ଇଣ୍ଟର୍‌ନ୍ୟାସ୍‌ନାଲ୍‌’ ରିପୋର୍ଟ ଅନୁସାରେ, ରହିମ୍‌ ୟାର୍‌ ଖାଁ ସହର ଠାରୁ ୧୫ କିଲୋମିଟର୍‌ ଦୂରରେ ଥିବା ଆବୁ ଧାବି କଲୋନିସ୍ଥିତ ସେମାନଙ୍କ ଘରେ କୌଣସି ଧାରୁଆ ଅସ୍ତ୍ରରେ ଉକ୍ତ ପରିବାରର ୫ଜଣ ସଦସ୍ୟଙ୍କର ତଣ୍ଟି କଟାଯାଇଛି।

ଗୋଟିଏ ଛୁରି ଓ ଗୋଟିଏ ଫାର୍ଶା ସମେତ ଏହି ନରହତ୍ୟାରେ ବ୍ୟବହୃତ କେତେକ ଅସ୍ତ୍ର ପୁଲିସ ଜବତ କରିଛି।

Image Courtesy of India Today

ରହିମ୍‌ ୟାର୍‌ ଖାଁ ସହରରେ ସାମାଜିକକର୍ମୀ ବୀରବଲ ଦାସ ‘ଦି ନିଉଜ୍‌ ଇଣ୍ଟର୍‌ନ୍ୟାସ୍‌ନାଲ୍‌’କୁ କହିଛନ୍ତି ଯେ, ନିହତ ବ୍ୟକ୍ତିମାନଙ୍କ ମଧ୍ୟରୁ ରାମ ଚାନ୍ଦ ନାମକ ବ୍ୟକ୍ତିଜଣକ ଥିଲେ ମେଘଓ୍ଵାଲ୍‌ ହିନ୍ଦୁ ସମ୍ପ୍ରଦାୟର। ତାଙ୍କର ବୟସ ୩୫/୩୬ ହେବ। ସେ ଗୋଟାଏ ଦରଜି ଦୋକାନ କରିଥିଲେ। ଏହି ଘଟଣା ସ୍ଥାନୀୟ ଲୋକଙ୍କୁ ସ୍ତବ୍ଧ କରି ଦେଇଛି।

ପୁଲିସ ଅଧିକାରୀମାନେ ଏହି ନରହତ୍ୟାର ତଦନ୍ତ ଆରମ୍ଭ କରିଛନ୍ତି। ଖୁବ୍‌ ଶୀଘ୍ର ସେମାନେ ରିପୋର୍ଟ ଦାଖଲ କରିବେ ବୋଲି ଆଶା କରାଯାଉଛି। ପାକିସ୍ତାନ ଅନ୍ତର୍ଗତ ପଞ୍ଜାବ ପ୍ରଦେଶର ମୁଖ୍ୟମନ୍ତ୍ରୀ ସର୍ଦାର ଉସ୍‌ମାନ ବୁଜଦାର ଏ ଘଟଣା ସମ୍ପର୍କରେ ଅବଗତ ଦେବା ପରେ ତୁରନ୍ତ ଅପରଧୀମାନଙ୍କୁ ଗିରଫ କରିବା ଲାଗି ସମ୍ପୃକ୍ତ କର୍ତ୍ତୃପକ୍ଷମାନଙ୍କୁ ନିର୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର