ଭୁବନେଶ୍ବର: କୁଆଖାଇ ବାଲିଘାଟରେ ଡକାୟତି ପାଇଁ ଯୋଜନା କରୁଥିବା ଏକ ଡକାୟତ ଗ୍ୟାଙ୍ଗର ୫ ଜଣଙ୍କୁ ଗିରଫ କରିଛି ମଞ୍ଚେଶ୍ବର ଥାନା ପୁଲିସ୍। ସେମାନେ ହେଲେ, ଶାନ୍ତିପଲ୍ଲୀ ବସ୍ତିରେ ରହୁଥିବା ଗଞ୍ଜାମ ଖଲ୍ଲିକୋଟ ବସ୍ଷ୍ଟାଣ୍ଡ ନିକଟ ଧୋବାସାହିର ସମୀର ଜେନା ଓରଫ ନନ୍ଦ, ତେଲୁଗୁବସ୍ତିରେ ରହୁଥିବା ଜଟଣୀ ତିରୁମାଲ ହରିଜନ ବସ୍ତିର ଲକ୍ଷ୍ମୀଧର ନାୟକ ଓରଫ ବିଟୁ, ସାଲିଆସାହି ବସ୍ତି ବିକାଶ ପରିଷଦରେ ରହୁଥିବା ଖଣ୍ଡପଡ଼ା ଗୁଠୁଣୀର ରାଜେଶ ବେହେରା ଓରଫ ସାପ, ନୂଆପଲ୍ଲୀ ଇସ୍କନ ବସ୍ତିରେ ରହୁଥିବା ଦିଗପହଣ୍ଡି ଫାଷ୍ଟ ଗେଟ୍ର ରଣଜିତ ପ୍ରଧାନ ଓରଫ ରଞ୍ଜି ଓ ସହିଦନଗର ପ୍ଲଟ୍ ନମ୍ବର ୬୨୨ରେ ରହୁଥିବା ଦିଗପହଣ୍ଡିର ବିଜୁ ପଲାଇ। ଏମାନଙ୍କଠାରୁ ପୁଲିସ୍ ଗୋଟିଏ ଦେଶୀ ବନ୍ଧୁକ ସହ ୩ଟି ଜୀବନ୍ତ ଗୁଳି, ଗୋଟିଏ ଛୁରି, ଗୋଟିଏ ଚାପଡ଼, ଗୋଟିଏ ଭୁଜାଲି, ଦୁଇଟି ବାଇକ୍, ଗୋଟିଏ ମୋବାଇଲ, ଦୁଇ ପ୍ୟାକେଟ୍ ଲଙ୍କାଗୁଣ୍ଡ ଜବତ କରିଛି। ତେବେ ଚଢ଼ଉ ବେଳେ କେତେକ ଅପରାଧୀ ଖସି ଯାଇଥିବା ଜଣାପଡ଼ିଛି। ଧରାପଡ଼ିଥିବା ସମସ୍ତ ଅଭିଯୁକ୍ତଙ୍କ ନାମରେ ରାଜଧାନୀର ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି। ଏମାନେ ପେସାଦାର ଅପରାଧୀ ଓ ବାହାର ଗ୍ୟାଙ୍ଗ୍ଙ୍କ ସହ ଏମାନଙ୍କର ସଂପୃକ୍ତି ଥିବା ମଧ୍ୟ ପୁଲିସ୍ ଜାଣିବାକୁ ପାଇଛି। ନନ୍ଦ ନାମରେ ସହିଦନଗର ଥାନାରେ ଗୋଟିଏ ଚୋରି ମାମଲା ରହିଥିବା ବେଳେ ଖଣ୍ଡଗିରି ଥାନାରେ ଗୋଟିଏ ଦୁଷ୍କର୍ମ ମାମଲା ରହିଛି। ସେହିଭଳି ବିଟୁ ନାମରେ ସହିଦନଗର ଥାନାରେ ଲୁଟ୍ ମାମଲା, ସାପ ଓ ରଞ୍ଜି ନାମରେ ନୂଆପଲ୍ଲୀ ଥାନାରେ ୪ଟି ଲେଖାଏଁ ମାମଲା ସହ ଉଭୟଙ୍କୁ ୧୧୦ ଦଫାରେ କମିସନରେଟ୍ ପୁଲିସ ଜେଲ୍ ପଠାଇଥିବା ରେକର୍ଡ ରହିଛି। ସେହିଭଳି ବିଜୁ ନାମରେ ସହିଦନଗର ଓ ମଞ୍ଚେଶ୍ବର ଥାନାରେ ଚୋରି ଓ ଲୁଟ୍ ଅଭିଯୋଗରେ ୨ଟି ମାମଲା ରହିଛି।
ପୁଲିସ୍ ସୂଚନାନୁଯାୟୀ, ଗତ ବିଳମ୍ବିତ ରାତିରେ ମଞ୍ଚେଶ୍ବର ବିଜୁ ପଟ୍ଟନାୟକ କ୍ଲବ ଓ ଜିମ୍ ସେଣ୍ଟର ପଛରେ କେତେକ ଅସାମାଜିକ ଯୁବକ ଆଡ଼ା କରୁଥିବା ପୁଲିସ ଖବର ପାଇଥିଲା। ଏସ୍ଆଇ ଷ୍ଟାଲିନ୍ ବିଶ୍ବାଳ ସଦଳବଳେ ସେଠାରେ ଚଢ଼ଉ କରି ଏହି ୫ଜଣଙ୍କୁ ଗିରଫ କରିଥିଲେ। ତେବେ ଏହି ସମୟରେ ଅନ୍ଧାରର ସୁଯୋଗ ନେଇ କିଛି ଅପରାଧୀ ସେଠାରୁ ଖସିଯିବାରେ ସକ୍ଷମ ହୋଇଥିଲେ। ପଚରାଉଚରା ବେଳେ କୁଆଖାଇ ବାଲିଘାଟ ନିକଟରେ ଏମାନେ ଡକାୟତି କରିବାକୁ ଯୋଜନା କରୁଥିବା କହିଥିଲେ। ନନ୍ଦ ଏହି ଦଳର ମୁଖିଆ ବୋଲି ପୁଲିସ୍ କହିଛି।