ଭାରତୀୟ ସେନା କର୍ମଚାରୀଙ୍କ ୫ ଚର୍ଚ୍ଚିତ ଅପରାଧ : ‘ରୁସ୍ତମ’ ଚଳଚ୍ଚିତ୍ରରେ ପ୍ରଦର୍ଶିତ କମାଣ୍ଡର୍‌ଙ୍କଠାରୁ ଶୈଳଜା ହତ୍ୟା ଅଭିଯୁକ୍ତ ମେଜରଙ୍କ ପର୍ଯ୍ୟନ୍ତ

ନୂଆଦିଲ୍ଲୀ: ନିକଟରେ ଜଣେ ସେନା ମେଜର୍‌ଙ୍କ ପତ୍ନୀଙ୍କୁ ଆଉ ଜଣେ ମେଜର୍‌ ହତ୍ୟା କରିଥିବା ଘଟଣା ବେଶ୍‌ କିଛି ଦିନ ହେବ ଚର୍ଚ୍ଚାରେ ରହିଛି। ମାତ୍ର ଏଭଳି ଘଟଣା ପ୍ରଥମ ନୁହେଁ। ଅତୀତରେ ସେନା ଅଧିକାରୀ ଘଟାଇଥିବା ଏପରି ଅନେକ ଅପରାଧ ଦେଖିବାକୁ ମିଳିଛି। ବଲିଉଡ୍‌ ଚଳଚ୍ଚିତ୍ର ‘ରୁସ୍ତମ’ରେ ପ୍ରଦର୍ଶିତ କରାଯାଇଥିବା ନୌସେନା କମାଣ୍ଡରଙ୍କ କାହାଣୀଠାରୁ ନେଇ ନିକଟରେ ସେନା ମେଜର୍‌ଙ୍କ ପତ୍ନୀ ଶୈଳଜାଙ୍କ ହତ୍ୟା ପର୍ଯ୍ୟନ୍ତ ଏପରି ଅନେକ ଅପରାଧ ସଶସ୍ତ୍ର ବଳ ଦ୍ୱାରା ଘଟିଛି। ନିମ୍ନରେ ଇତିହାସ ରଚିଥିବା ସେପରି କେତେକ କଳା ଅଧ୍ୟାୟ ସଂପର୍କରେ ନିମ୍ନରେ ଉଲ୍ଲେଖ କରାଯାଇଛି।

ନାନାବତୀ ମାମଲା-୧୯୫୯: ୧୯୫୯ ମସିହାରେ ନୌସେନା କମାଣ୍ଡର କେ ଏମ୍‌ ନାନାବତୀ ଏପ୍ରିଲ୍‌ ୨୭ ତାରିଖରେ ତାଙ୍କ ପତ୍ନୀ ସିଲିବ୍ୟାଙ୍କ ପ୍ରେମିକ ପ୍ରେମ ଆହୁଜାଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଏହି କାହାଣୀକୁ ନେଇ ବଲିଉଡ୍‌ ଚଳଚ୍ଚିତ୍ର ‘ରୁସ୍ତମ’ କରାଯାଇଛି।

ସିକନ୍ଦ ହତ୍ୟା ମାମଲା-୧୯୮୨: ଦିଲ୍ଲୀର ବ୍ୟବସାୟୀ କିସାନ ସିକନ୍ଦଙ୍କୁ ୧୯୮୨ ମସିହାରେ ପାର୍ସଲ ବୋମା ଦ୍ୱାରା ହତ୍ୟା କରାଯାଇଥିଲା। ତାଙ୍କୁ ଭାରତୀୟ ସେନାର ଲ୍ୟୁଟେନାଣ୍ଟ୍‌ କୋଲ୍‌ ଏସ୍‌. ଜେ ଚୌଧୁରୀ  ହତ୍ୟା କରିଥିଲେ ବୋଲି ଅଭିଯୋଗ ଆସିଥିଲା।

କ୍ୟାପ୍‌ଟେନ୍‌ ମେଘା ରାଜଦାନଙ୍କ ମୃତ୍ୟୁ-୨୦୦୭: ମହିଳା ସେନା ଅଧିକାରୀ କ୍ୟାପ୍‌ଟେନ୍‌ ମେଘା ରାଜଦାନ ନିଜକୁ ସିଲିଂ ଫ୍ୟାନ୍‌ରେ ଟାଙ୍ଗି ଜାମୁର କୁଞ୍ଜଓ୍ଵାନି ସେନା କ୍ୟାମ୍ପରେ ଥିବା ନିଜର ଅଫିସିଆଲ୍‌ ବାସଭବନରେ ଆତ୍ମହତ୍ୟା କରିଥିଲେ। ଆତ୍ମହତ୍ୟା ଏକ ଅପରାଧ ଓ ଏପରି ଅପରାଧ କରିଥିଲେ ଜଣେ ସେନା କ୍ୟାପ୍‌ଟେନ୍‌।

ନୀରଜ ଗ୍ରୋଭର ହତ୍ୟା ମାମଲା-୨୦୦୮: ଟେଲିଭିଜନ ଏକ୍‌ଜିକ୍ୟୁଟିଭ୍‌ ନୀରଜ ଗ୍ରୋଭରଙ୍କ ହତ୍ୟା ମାମଲାରେ ପୁଲିସ୍‌ ନୌସେନା ଅଧିକାରୀ ଏମିଲେ ଜର୍ମୋଙ୍କୁ ଗିରଫ କରିଥିଲା। ନୀରଜଙ୍କର ଜଣେ ଅଭିନେତ୍ରୀ ବନ୍ଧୁ ତାଙ୍କ ନିଖୋଜ ହେବା ରିପୋର୍ଟ ଲେଖାଇବା ପରେ ଏହି ତଦନ୍ତ ଆରମ୍ଭ ହୋଇଥିଲା।

ସେନା ମେଜର ପତ୍ନୀ ଶୈଳଜା ଦ୍ୱିବେଦୀ ହତ୍ୟା ମାମଲା-୨୦୧୮: ସେନା ମେଜରଙ୍କ ପତ୍ନୀ ଶୈଳଜା ଦୀବେଦୀ ହତ୍ୟା ମାମଲାରେ ଉତ୍ତରପ୍ରାଦେଶର ମିରୁତଠାରୁ ପୁଲିସ୍‌ ଅନ୍ୟ ଜଣେ ମେଜର୍‌ ନିଖିଲ ରାଜ ହଣ୍ଡାଙ୍କୁ ଗିରଫ କରିଛି।

 

ସମ୍ବନ୍ଧିତ ଖବର