ଗୁଜୁରାଟ ଶୌଚାଳୟରୁ ଉଦ୍ଧାର ହେଲା ମହାରାଷ୍ଟ୍ରରୁ ଅପହୃତ ୫ ବର୍ଷୀୟା ନାବାଳିକାର ମୃତଦେହ

ଅହମ୍ମଦାବାଦ୍‌: ମହାରାଷ୍ଟ୍ରର ପାଲଘର ଜିଲ୍ଳାରୁ ଜଣେ ଅଚିହ୍ନା ମହିଳା ନିକଟରେ ଜଣେ ୫ ବର୍ଷୀୟା ନାବାଳିକାକୁ ଅପହରଣ କରିଥିବା ଅଭିଯୋଗ ହୋଇଥିଲା। ପରେ ସେହି ନାବାଳିକାର ମୃତଦେହ ଗୁଜୁରାଟର ନଭସରୀ ରେଳବାଇ ଷ୍ଟେସନ୍‌ର ଶୌଚାଳୟରୁ ଉଦ୍ଧାର ହୋଇଛି। ଗତ ସପ୍ତାହ ଶନିବାର ରାତିରେ ପୀଡ଼ିତା ନାବାଳିକାଙ୍କୁ ପାଲଘରର ନାଲୋସପରାଠାରୁ ଅପହରଣ କରାଯାଇଥିଲା। ରବିବାର ସଂଧ୍ୟାରେ ଉକ୍ତ ନାବାଳିକାର ମୃତଦେହ ଗୁଜୁରାଟର ସରକାରୀ ରେଳବାଇ ଷ୍ଟେସନ୍‌ ଶୌଚାଳୟରେ ଦେଖିବାକୁ ମିଳିଥିଲା। ନାବାଳିକାଟିକୁ ପ୍ରଥମେ ଅପହରଣ କରାଯାଇ ପରେ ହତ୍ୟା କରାଯାଇଛି ବୋଲି ପୁଲିସ୍‌ ସନ୍ଦେହ କରୁଛି। ଶରୀର ବ୍ୟବଚ୍ଛେଦ ପରେ ମୃତକଙ୍କ ବାପାଙ୍କୁ ତାଙ୍କ ମୃତ ଶରୀର ପ୍ରଦାନ କରାଯାଇଛି।

ଉଲ୍ଳେଖଯୋଗ୍ୟ, ମାର୍ଚ ୨୪ ତାରିଖରେ ନାଲୋସପରାରେ ଥିବା ପୀଡ଼ିତାଙ୍କ ଘର ବାହାରୁ ଜଣେ ଅଚିହ୍ନା ମହିଳା ପିଲାଟିକୁ ଅପହରଣ କରିଥିଲେ। ଏହାପରେ ନାବାଳିକାର ବାପା ସନ୍ତୋଷ ବଲଚନ୍ଦ୍ର ସରୋଜ ପୁଲିସ୍‌ରେ ଏକ ଅପହରାଣ ମାମଲା ରୁଜୁ କରିଥିଲେ। ପୁଲିସ ସଂପୃକ୍ତ ଅଞ୍ଚଳର ସିସିଟିଭି ଯାଞ୍ଚ୍‌ କରିଥିଲା। ସିସିଟିଭି ଫୁଟେଜ୍‌ରେ ମହିଳା ଜଣକ କଏଦ୍‌ ହୋଇଥିଲେ। ପ୍ରାୟ ଦେଢ଼ କିଲୋମିଟର ବାଟ ପର୍ଯ୍ୟନ୍ତ ମହିଳାଙ୍କୁ ସିସିଟିଭିରେ ଦେଖି ହୋଇଥିଲା। ପୁଲିସ୍‌ ଏ ନେଇ ତଦନ୍ତ ଜାରି ରଖିଥିଲା। ହଠାତ୍‌ ରବିବାର ଏକ ଫୋନ୍‌ କଲ୍‌ ଆସିଥିଲା। ଫୋନ୍‌ କଲ୍‌ ପାଇଁ ପୁଲିସ୍‌ର ଏକ ଟିମ୍‌ ଯାଇ ଗୁଜୁରାଟରେ ପହଞ୍ଚିଥିଲା। ସେଠାରୁ ମୃତଦେହକୁ ଉଦ୍ଧାର କରି ପୁଲିସ୍‌ ବ୍ୟବଚ୍ଛେଦ ପାଇଁ ପଠାଇଥିଲା।

ସମ୍ବନ୍ଧିତ ଖବର