ଫ୍ଲୋରିସ୍‌ ଇଣ୍ଡିଆ ଚିଟ୍‌ଫଣ୍ଡ୍‌ ଠକେଇ: ୪ ବର୍ଷ ପରେ ନିର୍ଦେଶିକାଙ୍କୁ ଗିରଫ କଲା କ୍ରାଇମ୍‌ବ୍ରାଞ୍ଚ

ଭୁବନେଶ୍ୱର: ଫ୍ଲୋରିସ୍‌ ଇଣ୍ଡିଆ ଚିଟ୍‌ଫଣ୍ଡ୍‌ ଠକେଇ ମାମଲାରେ ସଂସ୍ଥାର ନିର୍ଦେଶିକାଙ୍କୁ ଦୀର୍ଘ ୪ ବର୍ଷ ପରେ ଗିରଫ କରିଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଶାଖା। ତାଙ୍କ ନାଁ ପ୍ରଣତି କୁମାର ଦାଶ। ନିଜ ଘର ଧଉଳି ଥାନା ଅଧୀନ କଲ୍ୟାଣପୁରଶାସନରେ। ଏଠାରେ ସେ ଶ୍ରୀଲିଙ୍ଗରାଜ ଥାନା ଅଧୀନ ପୁରୁଣା ଭୁବନେଶ୍ୱର ବଶିଷ୍ଠନଗର ପ୍ଲଟ୍‌ ନମ୍ବର ୧୨୩୫ରେ ରହନ୍ତି। ଆଜି ତାଙ୍କୁ ସମ୍ବଲପୁର କୋର୍ଟକୁ ଚାଲାଣ କରିଛି କ୍ରାଇମବ୍ରାଞ୍ଚ। ଏହା ପୂର୍ବରୁ କ୍ରାଇମବ୍ରାଞ୍ଚ ସଂସ୍ଥାର ଦୁଇ ଜଣ ପରିଚାଳନା ନିର୍ଦେଶକ ଓ ଜଣେ ନିର୍ଦେଶକଙ୍କୁ ଗିରଫ କରି ସାରିଛି।

କ୍ରାଇମ୍‌ବ୍ରାଞ୍ଚ୍‌ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଫ୍ଲୋରିସ ଇଣ୍ଡିଆ ଚିଟ୍‌ଫଣ୍ଡ ସଂସ୍ଥା ଭୁବନେଶ୍ୱର ଶ୍ରୀଲିଙ୍ଗରାଜ ଥାନା ଅଧୀନ ଶିଶୁପାଳଗଡ଼ ନୂଆଗାଁ ପ୍ଲଟ୍‌ ନମ୍ବର ୨୩୫ରେ କାର୍ଯ୍ୟାଳୟ ଖୋଲିଥିଲା। ଏହା ପରେ ପରେ ସାରା ରାଜ୍ୟରେ ଫ୍ଲୋରିସ୍‌ ଇଣ୍ଡିଆର ସଂସ୍ଥା ଖୋଲିଥିଲା। ସଂସ୍ଥାର ପରିଚାଳନା ନିର୍ଦେଶକ ଓ ନିର୍ଦେଶକମାନେ ଗ୍ରାହାକମାନଙ୍କୁ କମ୍‌ ଦିନରେ ଅଧିକ ସୁଧ ଦେବାର ଲୋଭ ଦେଖାଇ ବିଭିନ୍ନ ଗଣମାଧ୍ୟମ ସଂସ୍ଥାରେ ବିଜ୍ଞାପନ ପ୍ରକାଶ କରିଥିଲେ। ଗ୍ରାହକମାନେ ଏହି ଲୋଭରେ ପଡ଼ି ସଂସ୍ଥା ନିକଟରେ ଟଙ୍କା ଜମା କରିଥିଲେ। ଏହି ସଂସ୍ଥା ପାଖାପାଖି ୨ କୋଟି ୬୧ ଲକ୍ଷ ୨୩ ହଜାର ୭୪୯ ଲକ୍ଷ ଟଙ୍କାର ଠକେଇ କରିଥିଲା। ଏ ନେଇ ବରଗଡ଼ର଼ ସନ୍ତୋଷ କୁମାର ଖଟୁଆ ନାମକ ଜଣେ ବ୍ୟକ୍ତି ପ୍ରଥମେ ବରଗଡ଼ ଓ ପରେ କ୍ରାଇମବ୍ରାଞ୍ଚ୍‌ରେ ୨୦୧୩ ମସିହାରେ ଥାନାରେ ଅଭିଯୋଗ କରିଥିଲେ।

ଅଭିଯୋଗ ହେବା ପରେ କ୍ରାଇମବ୍ରାଞ୍ଚ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିଲା। କ୍ରାଇମବ୍ରାଞ୍ଚ ପଥମେ ୨୦୧୩ ମସିହାରେ ସଂସ୍ଥାର ପରିଚଳାନା ନିର୍ଦେଶକ ପ୍ରସନ୍ନ କୁମାର ଦାଶ ଓ ଶ୍ରୀ ବଲ୍ଲଭ ପ୍ରସାଦ ନାୟକଙ୍କୁ ଗିରଫ କରିଥିଲା। ଏହା ପରେ ଆଦିତ୍ୟ କୁମାର ବିଶୋଇ ନାମକ ଜଣେ ନିର୍ଦେଶକଙ୍କୁ ଗିରଫ କରାଯାଇଥିଲା। ସେହି ଦିନଠାରୁ ନିର୍ଦେଶିକା ପ୍ରଣତି ଫେରାର ଥିଲେ। ଗତକାଲି ତାଙ୍କୁ ପୁରୁଣା ଭୁବନେଶ୍ୱର ଅଂଚଳରୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ।

ସମ୍ବନ୍ଧିତ ଖବର