ଘରେ ପଶି ଯୁବକଙ୍କୁ ଛୁରାମାଡ଼

ଭୁବନେଶ୍ୱର: ବୁଧବାର ବିଳମ୍ବିତ ରାତିରେ ସହିଦନଗର ଥାନା ଅଧୀନ ପଥରବନ୍ଧ ବସ୍ତିରେ ପ୍ରକାଶ ଚନ୍ଦ୍ର ମହାରଣା ନାମକ ଜଣେ ଯୁବକଙ୍କୁ କେହି ମୁଖାପିନ୍ଧା ଦୁର୍ବୃତ୍ତ ଛୁରାମାଡ଼ କରିବାରୁ ତାଙ୍କ ବାମ ହାତରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ରକ୍ତ ଜୁଡୁବୁଡୁ ଅବସ୍ଥାରେ ପ୍ରକାଶ ଥାନାରେ ପହଞ୍ଚିବା ପରେ ପୁଲିସ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ନେଇ ଚିକିତ୍ସା କରାଇଛି। ଏ ନେଇ ଯୁବକଙ୍କ ମା’ ଦୂତିକା ମହାରଣା ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ପ୍ରକାଶଙ୍କ କହିବା ଅନୁଯାୟୀ, ବୁଧବାର ରାତିରେ ସେ ଘରେ ଶୋଇଥିଲେ। ହଠାତ କେହି କବାଟ ବାଡ଼େଇଥିଲା। କବାଟ ଖୋଲିବା କ୍ଷଣି ଜଣେ ମୁଖା ପିନ୍ଧା ଯୁବକ ତାଙ୍କ ବେକକୁ ଛୁରିରେ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲା। ପ୍ରକାଶ ଜୀବନ ବିକଳରେ ନିଜ ହାତ ଦେଖାଇ ଦେବାରୁ ଛୁରି ପଶି ତାଙ୍କ ବାମ ହାତରେ କ୍ଷତ ସୃଷ୍ଟି ହୋଇଥିଲା। ପ୍ରକାଶଙ୍କର ସନ୍ଦେହ ଯେ ତାଙ୍କ ପତ୍ନୀ ଶୈଳବାଳା ମହାରଣା ହିଁ ତାଙ୍କ ଉପରେ ଏଭଳି ପ୍ରାଣାନ୍ତକ ଆକ୍ରମଣ କରାଇଛନ୍ତି। କାରଣ ଗତ ୧୦ ବର୍ଷ ଧରି ପତ୍ନୀ ତାଙ୍କଠାରୁ ଦୂରେଇ ରହିଥିବା ବେଳେ ଏଠାରେ ସେ ନିଜ ବିଧବା ମା’ଙ୍କ ସହିତ ବସ୍ତିରେ ରହୁଛନ୍ତି। କିଛି ଦିନ ତଳେ ତାଙ୍କ ମା’ଙ୍କ ନାଁରେ ରାଜୀବ ଆବାସ ଯୋଜନାରେ ଘର ମିଳିବା ପରେ ହଠାତ ପତ୍ନୀ ଶୈଳବାଳା ଓ ତାଙ୍କ ସମ୍ପର୍କୀୟମାନେ ଆସି ବସ୍ତିର ଅନ୍ୟ ଏକ ଘରେ ରହୁଛନ୍ତି। ଦୁଇ ଦିନ ତଳେ ଏହି ରାଜୀବ ଆବାସ ଘର ନେବାକୁ ଜିଦ୍‌ କରି ପ୍ରକାଶଙ୍କ ମା’ ଦୂତିକା ମହାରଣାଙ୍କ ସହିତ ଶୈଳବାଳାଙ୍କ ସହ ଭୀଷଣ ପାଟିତୁଣ୍ଡ କରିଥିଲେ। ଏ ନେଇ ଦୂତିକା ସହିଦନଗର ଥାନାରେ ଏତଲା ମଧ୍ୟ ଦେଇଥିଲେ। ଥାନାରୁ ଫେରି ମା’ ପୁଅ ରାତିରେ ଘରେ ଶୋଇଥିଲେ। ସେହି ରାତିରେ ହିଁ ପ୍ରକାଶଙ୍କ ଉପରେ ଏଭଳି ଆକ୍ରମଣ ହୋଇଥିଲା। ତେଣୁ ପ୍ରକାଶ ସନ୍ଦେହ କରୁଛନ୍ତି ପତ୍ନୀ ଶୈଳବାଳାଙ୍କର କେହି ସମ୍ପର୍କୀୟ ଏଭଳି କାଣ୍ଡ କରିଛି। ପୁଲିସ ମଧ୍ୟ ସେହି ଦିଗରେ ଅନୁସନ୍ଧାନ କରୁଛି ବୋଲି କହିଛି।

ସମ୍ବନ୍ଧିତ ଖବର