ଭିଜିଲାନ୍ସ ହାତରେ ଫରେଷ୍ଟର୍‌ ଓ ରାତ୍ର ଜଗୁଆଳ

ରଣପୁର : ରଣପୁର ବ୍ଲକ୍‌ ଅନ୍ତର୍ଗତ ପଞ୍ଚରିଡ଼ା ରେଞ୍ଜ୍ ଅନ୍ତର୍ଗତ ଦର୍ପନାରାୟଣପୁରର ଫରେଷ୍ଟର୍‌ ଆଲୋକ କୁମାର ଗୁରୁ ଓ ରାତ୍ର ଜଗୁଆଳ ଜିତୁ ମଣ୍ତଳ ଭୁବନେଶ୍ବର ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ ଦର୍ପନାରାୟଣପୁର ଫରେଷ୍ଟ ରେଞ୍ଜ ଅଧୀନ ଖତିଆ ଗାଁର କୁମର ମାଝି ନିକଟସ୍ଥ ଜଗନ୍ନାଥ ପ୍ରସାଦ ଜଙ୍ଗଲରୁ କାଠ କାଟି ବେପାର କରିବା ପାଇଁ ଦର୍ପନାରାୟଣପୁର ଫରେଷ୍ଟର ଶ୍ରୀ ଗୁରୁ ଓ ରାତ୍ର ଜଗୁଆଳ ଜିତୁଙ୍କୁ ଯୋଗାଯୋଗ କରିଥିଲେ। ତେବେ ଏଥିପାଇଁ ଦୁହେଁ ମାସକିଆ ବଟି ବାବଦ ୫ ହଜାର ଟଙ୍କା ମାଗିଥିଲେ ଏବଂ ଟଙ୍କା ନଦେବାରୁ ତାଙ୍କୁ ଜଙ୍ଗଲରୁ କାଠ ଆଣିବାରେ ବାଧା ସୃଷ୍ଟି କରିଥିଲେ। ପରବର୍ତ୍ତୀ ସମୟରେ ଲାଞ୍ଚ ଦେଇ କାଠ କାଟିବା ପାଇଁ ପରାମର୍ଶ ପାଇବା ପରେ କୁମର ଭୁବନେଶ୍ବରସ୍ଥିତ ଭିଜିଲାନ୍ସ ସହ ଯୋଗାଯୋଗ କରିଥିଲେ। ଆଜି ଭୁବନେଶ୍ବର ଭିଜିଲାନ୍ସ ଡିଏସ୍‌ପି ଅକ୍ଷୟ କୁମାର ମିଶ୍ରଙ୍କ ନେତୃତ୍ବରେ ଏକ ୮ ଜଣିଆ ଦଳ ଏହି ଚଢ଼ଉରେ ସାମିଲ ହୋଇ ଉକ୍ତ କର୍ମଚାରୀ ଦ୍ବୟଙ୍କୁ ଲାଞ୍ଚ ନେଉଥିବା ସମୟରେ ଗିରଫ କରିଥିଲେ। ଫରେଷ୍ଟର ଶ୍ରୀ ଗୁରୁଙ୍କ ଘର ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଫତେଗଡ଼ ଥାନା ଉଦୟପୁର ଗାଁରେ ହୋଇଥିବା ବେଳେ ରାତ୍ର ଜଗୁଆଳ ଜିତୁଙ୍କ ଘର ଦର୍ପନାରାୟଣପୁର ଅଞ୍ଚଳ‌େର ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର