ନୂଆଦିଲ୍ଲୀ: ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ ଜିଲ୍ଲାରୁ ଏକ ଲୋମଟାଙ୍କୁରା ଘଟଣାର ଭିଡିଓ ସାମ୍ନାକୁ ଆସିଛି। ଏଠାରେ ୪ଜଣ ପିଲା ଚଳନ୍ତା ମାଲଗାଡ଼ି ଟ୍ରେନର ଦୁଇଟି ଚକା ମଧ୍ୟରେ ବସି ଯାତ୍ରା କରୁଥିବା ଦେଖିବାକୁ ମିଳୁଛି। ଏହି ଘଟଣାଟି ଚକ୍ରଧରପୁର ରେଳ ମଣ୍ଡଳର କିରିବୁରୁ ଥାନା ଅଧୀନସ୍ଥ ଖଣି ବହୁଳ ଅଞ୍ଚଳରେ ଘଟିଥିବା କୁହାଯାଉଛି।

Advertisment

ଜଣେ ଶ୍ରମିକ ସେଲ୍ ମେଘାହାତୁବୁରୁ ଲୋଡିଙ୍ଗ ପଏଣ୍ଟରେ ଏକ ମାଲଗାଡ଼ି ତଳେ ଚାରିଜଣ ପିଲା ରେଳ ଚକା ମଧ୍ୟରେ ଫସି ଯାତ୍ରା କରୁଥିବା ଦେଖିବାକୁ ପାଇଥିଲେ। ଏହା ଦେଖି ସେ ପୂରାପୂରି ସ୍ତବ୍ଧ ହୋଇଯାଇଥିଲେ। ଏହାପରେ ତୁରନ୍ତ ସେ ମୋବାଇଲରେ ଏ ଦୃଶ୍ୟକୁ କୈଦ କରିବା ସହିତ ଫୋନ କରି ରେଳ ଅଧିକାରୀଙ୍କୁ ଏହି ଘଟଣା ବିଷୟରେ ସୂଚନା ଦେଇଥିଲେ।

ରେଳବିଭାଗ ବି ଫୋନରେ ଏଭଳି ଖବର ପାଇ ପରେ ତତ୍ପରତା ଦେଖାଇଥିଲେ। ସଙ୍ଗେସଙ୍ଗେ ସେ ମାଲଗାଡ଼ିକୁ ଅଟକାଇ ଦେଇଥିଲେ। ଏହାପରେ ଗୋଟିଏ ପରେ ଗୋଟିଏ କରି ୪ଜଣ ପିଲାଙ୍କୁ ମାଲଗାଡ଼ି ତଳୁ ବାହାର କରିଥିଲେ। ସୁରକ୍ଷିତ ଭାବେ ଉଦ୍ଧାର ହୋଇଥିବା ପିଲାଙ୍କୁ ଦ୍ବିତୀୟଥର ଏଭଳି କାମ ନକରିବାକୁ ଚେତାବନୀ ଦେବା ସହିତ ଘଟଣାସ୍ଥଳରୁ ଯିବାକୁ କହିଥିଲେ ‌ରେଳ ଅଧିକାରୀ।

ତେବେ ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିଲା। ଏହି ଭିଡିଓରେ ଘଟିଥିବା ଘଟଣାର ଦୃଶ୍ୟ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏଥିସହିତ ଚିନ୍ତା ପ୍ରକଟ ବି କରିଥିଲେ କି, ’ଯଦି ତିଳେ ମାତ୍ର ଅସାବଧାନତା ହୋଇଥାଆନ୍ତା ତେବେ ୪ଜଣ ପିଲାଙ୍କ ଜୀବନ ଆଖି ପିଛୁଳାକେ ଚାଲି ଯାଇଥାଆନ୍ତା।’