ବଡ଼ ଧରଣର ଡକାୟତି ଯୋଜନା ପଣ୍ଡ, ୪ ଯୁବକ ଗିରଫ

ବୋମା ତିଆରି ସାମଗ୍ରୀ ଓ ମାରଣାସ୍ତ୍ର ଜବତ

ଚନ୍ଦ୍ରଶେଖରପୁର : ରାଜଧାନୀର ବିଭିନ୍ନ ସ୍ଥାନରୁ ଏକ ବଡ଼ ଧରଣର ଲୁଟ୍‌ପାଟ୍‌ ଯୋଜନାକୁ ଚନ୍ଦ୍ରଶେଖରପୁର ଥାନା ପୁଲିସ୍‌ ପଣ୍ଡ କରିଛି। ଗତକାଲି ବିଳମ୍ବିତ ରାତିରେ ଚନ୍ଦ୍ରଶେଖରପୁର ପେଟ୍ରୋଲ୍‌ ପମ୍ପ ନିକଟରେ ୪ଜଣ ଯୁବକ ଡକାୟତି ନିମନ୍ତେ ଯୋଜନା ପ୍ରସ୍ତୁତ କରୁଥିବାବେଳେ ପୁଲିସ୍‌ ପାଟ୍ରୋଲିଂ ଟିମ୍‌ ହାବୁଡ଼ରେ ଧରା ପଡ଼ିଛନ୍ତି। ସେମାନେ ହେଲେ ନୂଆପଲ୍ଲୀ ଥାନା ଅଧୀନ ସାଲିଆସାହିର ଆକାଶ ଡାକୁଆ(୨୦), ନୀଳାଦ୍ରିବିହାର ଆଦର୍ଶ ବସ୍ତିର ମୁନା ନାୟକ(୨୫), ପଣ୍ଡାପାର୍କ ବସ୍ତି (କ)ର ଚରଣ ଆଚାର୍ଯ୍ୟ(୨୩) ଓ ମଙ୍ଗୁଳୁ ସାହୁ(୨୪)। ରାଜଧାନୀର ବଭିନ୍ନ ସ୍ଥାନରୁ ଏହି ଗ୍ୟାଙ୍ଗ୍‌ ଲୁଟ୍‌ କରିବା ନେଇ ଉଦ୍ୟମ କରୁଥିବା ଜଣାପଡ଼ିଛି। ବିଶେଷକରି ଏହି ଅଞ୍ଚଳରେ ଥିବା କିଛି ସୁନା ଗହଣା ଦୋକାନକୁ ସେମାନେ ଟାର୍ଗେଟ୍‌ କରିଥିବା ଜେରାରୁ ଜଣାପଡ଼ିଛି।

ସୂଚନା ଅନୁଯାୟୀ ବିଳମ୍ବିତ ରାତିରେ ଏହି ଯୁବକମାନେ ପେଟ୍ରୋଲ ପମ୍ପ ପଛ ନିଛାଟିଆ ସ୍ଥାନରେ ବସି ଡକାୟତି ନିମନ୍ତେ ଯୋଜନା କରୁଥିଲେ। ରାତିରେ ପାଟ୍ରୋଲିଂ କରୁଥିବା ପୁଲିସ୍‌ ଟିମ୍‌ ସେମାନଙ୍କୁ ଦେଖି ପାଖକୁ ଯାଇଥିଲେ। ମାତ୍ର ପୁଲିସକୁ ଦେଖିବା ପରେ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର୍‌ ହୋଇଯିବାକୁ ଉଦ୍ୟମ କରିଥିଲେ। ମାତ୍ର ପୁଲିସ୍‌ ସେମାନଙ୍କୁ ଗୋଡ଼ାଇ କାବୁ କରିନେଇଥିଲେ। ପରେ ଜେରା ସମୟରେ ଅଭିଯୁକ୍ତମାନେ ଡକାୟତି କରିବାନେଇ ମାନିଥିଲେ। ସମସ୍ତ ଅଭିଯୁକ୍ତ ପେଶାଦାର ଲୁଟେରା ବୋଲି ଜଣାପଡ଼ିଥିଲା। ଏହା ସହିତ ପୁଲିସ୍‌ ସେମାନଙ୍କ ବୋମା ତିଆରି ବିଭିନ୍ନ ସାମଗ୍ରୀ, କଟୁରି ଓ ଖଣ୍ଡା ଭଳି ମାରଣାସ୍ତ୍ର ଓ ଦୁଇଟି ବାଇକ୍‌ ଜବତ କରିଛି।

ସମ୍ବନ୍ଧିତ ଖବର