ଖଣ୍ଡଗିରି : ବେଶ୍ କିଛି ଦିନ ହେବ ରାଜଧାନୀରେ ଭୁଜାଲିରେ ହାଣି ଛିନ୍ତାଇ କରୁଥିବା ଏକ ଚାରି ଜଣିଆ ଦୁର୍ଦାନ୍ତ ଲୁଟେରା ଗ୍ୟାଙ୍ଗ୍କୁ ଖଣ୍ଡଗିରି ଥାନା ପୁଲିସ ଧରିବାରେ ସଫଳ ହୋଇଛି। ସେମାନେ ହେଲେ ପୁରୀ ଗଡ଼ିଶାଗଦା ଥାନା ଜାମଳାଗଡ଼ା ଗାଁର ମାନସ ବାରିକ(୨୨), ଇଚ୍ଛାପୁର୍ମ ଥାନା ଲଦାପୁଟାର ପି କେସୁ ରେଡ୍ଡି(୨୩), କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଗୋବିନ୍ଦପୁରର ବିକ୍ରମ ଦାସ ଓରଫ୍ ବିପିନ(୧୯) ଓ ଭଦ୍ରକ ଧାମନଗର ଆଜ୍ମତପୁରର ରୋସନ୍ କୁମାର ଜେନା ଓରଫ୍ ପ୍ରିୟ ଓରଫ୍ ସୋନୁ(୧୯)। ଏମାନେ ସମସ୍ତେ ଖାରବେଳନଗର ଥାନା ପ୍ରେସ୍ କଲୋନି ନିକଟ ଜଗନ୍ନାଥ ବସ୍ତି ଓ ଦୁର୍ଗାମାଧବ ବସ୍ତିରେ ରହୁଥିବା ଜଣାପଡ଼ିଛି। ପୁଲିସ ଏମାନଙ୍କଠାରୁ ଗୋଟିଏ ୩୦ ଗ୍ରାମ୍ ଓଜନର ଚୋରି ସୁନାଚେନ୍, ୫ଟି ମୁଦି, ୩୫ଟି ମୋବାଇଲ୍ ଫୋନ୍, ଦୁଇଟି ଭୁଜାଲି ଓ ଲୁଟ୍ରେ ବ୍ୟବହାର କରାଯାଉଥିବା ଗୋଟିଏ ଆପଚି ବାଇକ୍ ଓ ଗୋଟିଏ ଆକ୍ଟିଭା ଜବତ କରିଛି।
ପୁଲିସ ସୂଚନାନୁସାରେ ଏହି ଚାରି ଜଣିଆ ଗ୍ୟାଙ୍ଗ୍ ରାଜଧାନୀର ବହୁ ଅଞ୍ଚଳରେ ମୋବାଇଲ୍ ଓ ସୁନାଚେନ୍ ଆଦି ଛିନ୍ତାଇ କରି ଆତଙ୍କ ସୃଷ୍ଟି କରିଥିଲେ। ଗତ କିଛି ଦିନ ହେବ ସେମାନେ ଖଣ୍ଡଗିରି ଅଞ୍ଚଳରେ ଡେରା ପକାଇଥିଲେ। ଗତ ୪ ତାରିଖ ଭୋର୍ ସମୟେରେ ମର୍ଣିଂ ଓ୍ଵାକ୍ କରୁଥିବା ସ୍ଥାନୀୟ ଏକ ମିଠା ଦୋକାନର ମାଲିକ ଭୁବନାନନ୍ଦ ଦାଶଙ୍କୁ ଏମାନେ ଭୁଜାଲିରେ ଆକ୍ରମଣ କରି ସୁନାଚେନ୍ ଓ ମୁଦି ନେଇ ଫେରାର୍ ହୋଇ ଯାଇଥିଲେ। ଲୁଟ୍ବେଳେ ଭୁବନାନନ୍ଦ ପ୍ରତିରୋଧ କରିବାକୁ ଏମାନେ ତାଙ୍କ ଗୋଡ଼ ଓ ହାତକୁ ଭୁଜାଲିରେ ହାଣି ପକାଇଥିଲେ। ତହିଁ ପରଦିନ ଅର୍ଥାତ୍ ୫ ତାରିଖ ଦିନ ରାତି ପ୍ରାୟ ୧୨ଟା ବେଳେ ମନୋଜ ପାଣିଗ୍ରାହୀ ନାମକ ଜଣେ ବ୍ୟକ୍ତି ସବୁଦିନ ଭଳି ଅଫିସ୍ କାମ ସାରି ଘରକୁ ଫେରୁଥିଲେ। ସେ ଜୟଦେବ ବାଟିକ ଛକରେ ପହଞ୍ଚିଥିବାବେଳେ ଏହି ଗ୍ୟାଙ୍ଗ୍ ତାଙ୍କୁ ବି ଭୁଜାଲିରେ ହାଣି ମୋବାଇଲ୍ ଲୁଟି ନେଇ ପଳାଇଥିଲେ। ଗତ ୧୮ ତାରିଖ ଭୋର୍ ପ୍ରାୟ ସାଢ଼େ ୪ଟା ସମୟରେ ଏମାନେ ଫାୟାର୍ ଷ୍ଟେସନ ଛକରେ ସେମିତି ଭୁଜାଲି ଦେଖାଇ ବିଶ୍ୱମୋହନ ମହାନ୍ତିଙ୍କଠାରୁ ସୁନା ମୁଦି, ମୋବାଇଲ୍ ଓ ଏକ ହଜାର ଟଙ୍କା ଲୁଟି ନେଇଥିଲେ।
କେମିତି ଧରାପଡ଼ିଲେ
ସମାନ ଉପାୟରେ ଏସବୁ ଲୁଟ୍ ହେଉଥିବାରୁ ଏହା ଗୋଟିଏ ଗ୍ୟାଙ୍ଗର କାମ ବୋଲି ପୁଲିସ ଜାଣିପାରିଥିଲା। ଆପାଚି ବାଇକ୍ ଓ ଧଳା ଆକ୍ଟିଭାରେ ୪ ଜଣ ଏଭଳି କାଣ୍ଡ କରୁଛନ୍ତି ବୋଲି ପୁଲିସ ସୁରାକ ପାଇଥିଲା। ପୁଣି ପ୍ରାୟ ବିଳମ୍ବିତ ରାତି ନଚେତ୍ ଭୋର୍ ସମୟରେ ଏଭଳି କାଣ୍ଡ ଘଟୁଥିବାରୁ ପୁଲିସ ସେହି ଅନୁସାରେ ଜାଲ ବିଛାଇଥିଲା। ଗତକାଲି ବିଳମ୍ବିତ ରାତିରେ କେସୁ ଓ ପ୍ରିୟ ଏକ ଧଳା ଆକ୍ଟିଭାରେ ଯାଉଥିବାବେଳେ ପୁଲିସ ସେମାନଙ୍କୁ ସନ୍ଦେହ କରି ଥାନାକୁ ନେଇଥିଲା। ପରେ ଥାନାରେ ସେମାନଙ୍କୁ ତନଖି କଲାବେଳେ ଏକ ଭୁଜାଲି ମିଳିବାରୁ ସବୁ କଥା ସ୍ପଷ୍ଟ ହୋଇ ଯାଇଥିଲା। ପରେ ସେମାନଙ୍କ ସୂଚନା ଆଧାରରେ ମାନସ ଓ ବିକ୍ରମକୁ ପୁଲିସ ସେମାନଙ୍କ ଘରୁ ଉଠାଇଥିଲା।
ରାତି ଅଧରୁ ପାହାନ୍ତା ଯାଏଁ ଅପରେସନ୍
ଗ୍ୟାଙ୍ଗ୍ ଗଢ଼ିଥିବା କେସୁ ରେଡ୍ଡି ପୁଲିସକୁ ଦେଇଥିବା ସୂଚନାନୁସାରେ ସେମାନେ ରାଜଧାନୀର ବିଭିନ୍ନ ଅଞ୍ଚଳରୁ ଲୁଟ୍ପାଟ୍ କରିଛନ୍ତି। ଉତ୍ତରାରୁ ଆରମ୍ଭ କରି ଚନ୍ଦକା ଓ ଚନ୍ଦ୍ରଶେଖରପୁର ପର୍ଯ୍ୟନ୍ତ ବୁଲି ବୁଲି ଛିନ୍ତାଇ କରିଛନ୍ତି। ବିଶେଷକରି ରାତି ଅଧରୁ ସେମାନେ ମିସନ୍ରେ ବାହାରିପଡ଼ନ୍ତି। କାରଣ ବିଳମ୍ବିତ ରାତିରେ ପଥଚାରୀଙ୍କୁ ଲୁଟିବା କଷ୍ଟ ହୋଇନଥାଏ। ଏହାବାଦ୍ ଭୋର୍ ସମୟରେ ମର୍ଣିଂ ଓ୍ଵାକ୍ରେ ଯାଉଥିବା ମହିଳା ବା ବରିଷ୍ଠ ନାଗରିକଙ୍କୁ ନିଛାଟିଆ ରାସ୍ତାରେ ଦେଖିବାକୁ ମିଳେ ଓ ସେମାନଙ୍କଠାରୁ ଲୁଟିବା ବେଶ୍ ସହଜ ହୋଇଥାଏ।
ପ୍ରତିରୋଧ କଲେ ଭୁଜାଲି ଚୋଟ
କେସୁ ରେଡ୍ଡି ବଡ଼ ଭୟଙ୍କର। ଲୁଟ୍ର ଶିକାର ବ୍ୟକ୍ତି ସାମାନ୍ୟଭାବେ ପ୍ରତିରୋଧ କଲେ ସେ ରାଗିଯାଏ। କିଛି ନ ଶୁଣି ସେ ଭୁଜାଲି ଚୋଟ ପକାଇଦିଏ। ଅଧିକ ବିରୋଧ କଲେ ସେ ଗୋଡ଼ ଓ ହାତକୁ ଲକ୍ଷ୍ୟ କରି ହାଣି ପକାଏ । ଗତ ୪ ତାରିଖ ଲୁଟ୍ ବେଳେ ମିଠା ଦୋକାନୀ ଭୁବନ ଦାଶ ସେମାନଙ୍କ ଆକ୍ଟିଭାର ଚାବି ବାହାର କରି ଦୂରକୁ ଫିଙ୍ଗି ଦେଇଥିଲେ। ତେଣୁ ରାଗି ଯାଇ କେସୁ ଭୁଜାଲିରେ ତାଙ୍କ ଗୋଡ଼ ଓ ହାତକୁ ହାଣି ପକାଇଥିଲା। ସେ ଏବେ ବି ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।