ମୃତ୍ୟୁ ପରେ ଆତ୍ମହତ୍ୟା ବୋଲି ଭାବୁଥିଲେ ପରିବାର ଲୋକେ, ପୁଲିସ ଆଗରେ ଆତ୍ମହତ୍ୟା ନୁହେଁ ବାପାଙ୍କୁ ହତ୍ୟା କରାଯାଇଛି ବୋଲି କହିଲା ୪ବର୍ଷର ଝିଅ

ନୋଏଡା : ନୋଏଡାରେ ଜଣେ ୪ବର୍ଷୀୟ ଝିଅ ନିଜ ବାପାଙ୍କ ମୃତ୍ୟୁ ଉପରୁ ପରଦା ଉଠାଇବା ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି । ପୁଲିସ ଏବଂ ପରିବାର ଲୋକେ ଆତ୍ମହତ୍ୟା ବୋଲି ଭାବି ମାମଲାକୁ ବନ୍ଦ କରିବାକୁ ବସିଥିବା ବେଳେ ୪ବର୍ଷୀୟ ଝିଅ ନିଜ ଆଖି ଆଗରେ ଦେଖିିଥିବା ହୃଦୟ ବିଦାରକ ଘଟଣା ସମସ୍ତଙ୍କ ସାମ୍ନାକୁ ଆଣିଥିଲା ।

ସୂଚନା ମୁତାବକ, ବିବାହ ପରେ ଏଟାଓ୍ଵାରୁ ଆସି ନୋଏଡ଼ାରେ ରହିବାକୁ ଲାଗିଥିଲେ ସନ୍ତୋଷ ଏବଂ ମମତା । ବିବାହର ୭ବର୍ଷ ମଧ୍ୟରେ ସନ୍ତୋଷ ଏବଂ ମମତାଙ୍କର ଦୁଇଟି ସନ୍ତାନ ଜନ୍ମ ନେଇଥିଲେ । ଝିଅକୁ ୪ବର୍ଷ ହୋଇଥିବା ବେଳେ ପୁଅକୁ ଦୁଇ ବର୍ଷ । ସବୁ ଠିକ୍‌ ଚାଲିଥିବା ବେଳେ ଶନିବାର ମମତାଙ୍କ ଉପରେ ଦୁଃଖର ପାହାଡ଼ ଖସି ପଡ଼ିଥିଲା । ସଂନ୍ଧ୍ୟା ୮.୩୦ରେ କାମରୁ ଘରକୁ ଫେରିବା ପରେ ଘରର ଛାତ ଉପରେ ସନ୍ତୋଷଙ୍କ ମୃତ ଦେହ ଝୁଲୁଥିବାର ଦେଖିଥିଲେ । ପ୍ରଥମେ ସନ୍ତୋଷ ଆତ୍ମହତ୍ୟା କରିଥିବା କଥା ମମତା ଭାବିଥିବା ବେଳେ ତାଙ୍କ ୪ବର୍ଷୀୟ ଝିଅ ଏହାକୁ ହତ୍ୟା ବୋଲି କହିଥିଲେ । ସନ୍ତୋଷଙ୍କ ଅନ୍ତିମ ସଂସ୍କାର ପାଇଁ ତାଙ୍କ ମର ଶରୀରକୁ ତାଙ୍କ ଜନ୍ମସ୍ଥାନ ବୁଲନ୍ଦସରକୁ ନିଆ ଯାଉଥିବା ବାଟରେ ମମତାଙ୍କ ଝିଅ ନିଦରୁ ଉଠି ସନ୍ତୋଷଙ୍କ କଥା ପଚାରିଥିଲେ । ମମତା ସବୁ ଜଣାଇବା ପରେ ବାପା ଆତ୍ମହତ୍ୟା କରି ନାହାନ୍ତି ବରଂ ଦୁଇ ଜଣ ଲୋକ ଆସି ତାଙ୍କୁ ମଦ ପିଆଇ ହତ୍ୟା କରିଥିବା କହିଥିଲେ ମମତାଙ୍କ ଝିଅ ।

NewsX

ମୁଁ ପଢ଼ୁଥିବା ବେଳେ ଦୁଇ ଜଣ ଆସି ବାପାଙ୍କ ସହ ମଦ ପିଇଥିଲେ । ପରେ ଦୁହିଁଙ୍କ ସହ ବାପାଙ୍କର ଝଗଡ଼ା ହୋଇଥିଲା । ଏହା ପରେ ସେମାନେ ବାପାଙ୍କୁ ଛାତ ଉପରକୁ ନେଇ ଏକ ଓଢ଼ଣି ସାହାଯ୍ୟରେ ବାପାଙ୍କ ବେକ ବାନ୍ଧିବା ସହ ତାଙ୍କୁ ତଳକୁ ଓହଳାଇ ଦେଇଥିଲେ । ମୁଁ ଏହା ଦେଖି ଡ଼ରରେ ଆସି ଶୋଇ ପଡ଼ିଥିଲି ବୋଲି କହିଥିଲେ ମମତାଙ୍କ ଝିଅ । ଏହା ପରେ ମମତା ବୁଲନ୍ଦସର ପୁଲିସରେ ଅଭିଯୋଗ କରିଥିଲେ । ଏ ନେଇ ନୋଏଡା ପୁଲିସକୁ ସୂଚନା ମିଳିବା ପରେ ପୁଲିସ ସନ୍ତୋଷଙ୍କ ମୃତଦେହକୁ ଆଣି ବେବଚ୍ଛେଦ ପାଇଁ ପଠାଇଥିବା ଜଣା ପଡ଼ିଛି । ସନ୍ତୋଷଙ୍କ ଝିଅର ବୟାନ ରେକର୍ଡ଼ କରାଯିବା ସହ ତଦନ୍ତ ଆରମ୍ଭ କରିଛି ପୁଲିସ ।

ସମ୍ବନ୍ଧିତ ଖବର