କାର୍‌ ବିକିବା ନାମରେ ଠକେଇ, ଅଭିଯୁକ୍ତ ଅଟକ

ଭୁବନେଶ୍ବର: ଓଏଲଏକ୍ସରେ ଗାଡ଼ି ବିକ୍ରି କରିବା ପାଇଁ ଟଙ୍କା ନେଲେ। ଗାଡ଼ି ଦେଲେନି ଓଲଟା ସେମାନଙ୍କୁ ଗାଡ଼ି ମଡ଼େଇ ହତ୍ୟା କରିବାକୁ ଉଦ୍ୟମ କଲେ। ଶେଷରେ ଗାଡ଼ି କିଣିବାକୁ ଆସିଥିବା ଯୁବକମାନେ ଉକ୍ତ ଠକକୁ ଧରି ସହିଦନଗର ଥାନା ଜିମା ଦେଇଛନ୍ତି। ପୁଲିସ ଅଭିଯୁକ୍ତ ଦୀପ୍ତିରଂଜନ ଦାସକୁ ଅଟକ ରଖି ପଚରାଉରା ଚଳାଇଛି। ଏଭଳି ଘଟଣା ଆଜି ଟଙ୍କପାଣି ରୋଡ ସାଇମନ୍ଦିର ନିକଟରେ ଘଟିଛି। ସୂଚନା ମୁତାବକ, ଭୁବନେଶ୍ବରର ଦୀପ୍ତିରଂଜନ ଦାସ ଏକ କାର୍‌ ବିକ୍ରି କରିବା ପାଇଁ ଓଏଲଏକ୍ସରେ ବିଜ୍ଞାପନ ଦେଇଥିଲା। ଗାଡ଼ି କିଣିବା ପାଇଁ ମଧ୍ୟପ୍ରଦେଶର ବୀରେନ୍ଦ୍ର ଦର୍କେଶ ଇଚ୍ଛା ପ୍ରକାଶ କରିବାରୁ ସେ ତାଙ୍କଠାରୁ ୩ ଲକ୍ଷ ୧୨ ହଜାର ଟଙ୍କା ଅଗ୍ରୀମ ନେଇଥିଲା। ମାତ୍ର ଗାଡ଼ି ଦେବାକୁ ଆଜିକାଲି କହି ଦିନ ଗଡ଼ାଇ ଚାଲିଥିଲା। ବୀରେନ୍ଦ୍ର ଗାଡ଼ି ନ ଦେଲେ ଟଙ୍କା ଫେରାଇବାକୁ କହିବାରୁ ସେ ଦୁଇମାସ ତଳେ ଏକ ଚେକ୍‌ ଦେଇଥିଲା। ମାତ୍ର ତାହା ବାଉନ୍ସ ହୋଇଯାଇଥିଲା। ବୀରେନ୍ଦ୍ର ଆଉ ଏକ ଗାଡ଼ି ନେବା ପାଇଁ ଦୀପ୍ତିରଂଜନ ସହ ଯୋଗାଯୋଗ କରିଥି‌ଲେ। ଗାଡ଼ି ଦେଖାଇବା ପାଇଁ ଦୀପ୍ତିରଂଜନ ବୀରେନ୍ଦ୍ରଙ୍କୁ ଭୁବନେଶ୍ବର ଡାକିଥିଲା। ଏଥିପାଇଁ ବୀରେନ୍ଦ୍ର ଓ ତାଙ୍କ ୪/୫ଜଣ ସାଙ୍ଗ ଭୁବନେଶ୍ବର ଆସିଥିଲେ। ଆଜି ଟଙ୍କପାଣି ରୋଡ ସାଇ ମନ୍ଦିର ନିକଟରେ ଗାଡ଼ି ଦେଖାଇବାକୁ ଦୀପ୍ତିରଂଜନ ସେମାନଙ୍କୁ ଡାକିଥିଲା। ପୂର୍ବରୁ ପ୍ରସ୍ତୁତ ହୋଇ ଆସିଥିବା ବୀରେନ୍ଦ୍ର ଓ ତାଙ୍କ ସାଙ୍ଗମାନେ ଦୀପ୍ତିରଂଜନକୁ କାବୁ କରିବାକୁ ଚେଷ୍ଟା କରିବା ସମୟରେ ସେ ତାଙ୍କ ଉପରେ କାର୍‌ ଚଢ଼ାଇ ଫେରାର ହୋଇଯିବାକୁ ଉଦ୍ୟମ କରିଥିଲା। ମାତ୍ର ସେମାନେ କାର୍‌ ଉପରକୁ ଢେଲା ପଥର ମାଡ଼ କରି କୌଶଳକ୍ରମେ ତାକୁ ଧରିଥିଲେ।

ସମ୍ବନ୍ଧିତ ଖବର