ଠକକୁ ନିସ୍ତୁକ ଛେଚି ପୁଲିସରେ ଦେଲେ

ଠିକା କାମ ଓ ଚାକିରି ଦେବା ନାଁରେ ଲକ୍ଷ ଲକ୍ଷ ଟଙ୍କା ଠକେଇ

ଭୁବନେଶ୍ୱର : ଠିକା କାମ ଓ ଚାକିରି କରାଇ ଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗରେ କ୍ୟାପିଟାଲ ଥାନା ପୁଲିସ ଜଣେ ଠକକୁ ଗିରଫ କରିଛି। ସେ ହେଲା ଆଇଗିଣିଆ ଅଞ୍ଚଳର ପ୍ରତାପ ଚନ୍ଦ୍ର ମହାପତ୍ର(୩୭)।

ପୁଲିସ ସୂଚନା ମୁତାବକ, ଗତ ବର୍ଷେ ହେଲା କୋରାପୁଟ ଜିଲ୍ଲା ବିଭିନ୍ନ ସ୍ଥାନର ଯୁବକଙ୍କୁ ପ୍ରତାପ ଠିକା କାମରେ ଲଗାଇବା ଓ ଚାକିରି କରାଇ ଦେବ କହି ପାଇଁ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରିଥିଲା। କାହାକୁ ରାସ୍ତା କାମ ତ କାହାକୁ ନିର୍ମାଣ କାମ ଦେବ କହିଥିଲା। ସେହିପରି କେତେକ ଯୁବକଙ୍କୁ ସରକାରୀ ଚାକିରିରେ ନିଯୁକ୍ତି କରାଇ ଦେବ କହି ସେମାନଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଚୂନ ଲଗାଇଥିଲା। ବିଭିନ୍ନ ସମୟରେ ସେମାନଙ୍କୁ ଭୁବନେଶ୍ୱର ଡାକି ସେମାନଙ୍କ ଠାରୁ ଟଙ୍କା ନେଇଥିଲା। ହେଲେ ଇତିମଧ୍ୟରେ ବର୍ଷେ ବିତିଯାଇ ଥିଲେ ମଧ୍ୟ ପ୍ରତାପ ଚାକିରି କରାଇ ପାରି ନ ଥିଲା କି ଟଙ୍କା ଫେରାଇ ନଥିଲା। ଯୁବକମାନେ ପ୍ରତାପ ସହ ଯୋଗାଯୋଗ କରିଥିଲେ ମଧ୍ୟ ପ୍ରତାପ ଧରାଛୁଆଁ ଦେଉ ନ ଥିଲା। ତେଣୁ ଯୁବକମାନେ ସ୍ଥାନୀୟ ଅଞ୍ଚଳର ଜଣେ ଟାଣୁଆ ବିଜେଡି ନେତାଙ୍କୁ ଘଟଣା ବିଷୟରେ ଜଣାଇଥିଲେ।

ପ୍ରତାପକୁ ଧରିବା ପଇଁ ଗତ ସପ୍ତାହେ ହେବ ସେମାନେ ଯୋଜନା କରିଥିଲେ। ତେଣୁ ବିଜେଡି ନେତାଙ୍କ ଯୋଜନା କ୍ରମେ ଯୁବକମାନେ ଭୁବନେଶ୍ୱରରେ ଜଗି ରହିଥିଲେ। ବୁଧବାର ରାତିରେ ପ୍ରତାପ ରାଜମହଲ ଛକରେ ଥିବା ଜାଣିବା ପରେ ଯୁବକମାନେ ସଂପୃକ୍ତ ନେତାଙ୍କୁ ଜଣାଇଥିଲେ। ଏହାପରେ ସମସ୍ତେ ମିଶି ରାଜମହଲ ଛକରୁ ପ୍ରତାପଙ୍କୁ କାବୁ କରି ନିସ୍ତୁକ ମାଡ଼ ମାରିଥିଲେ। ରଞ୍ଜିତ ସାହୁ ନାମକ ଜଣେ ଯୁବକ କ୍ୟାପିଟାଲ ଥାନା ପୁଲିସକୁ ଫୋନ୍‌ କରି ଘଟଣା ବିଷୟରେ ଜଣାଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରତାପକୁ ଗିରଫ କରି ଥାନାକୁ ଆଣିଥିଲା। ଏକ ନିର୍ମାଣ କାମ ଦେବାକୁ କହି ପ୍ରତାପ ରଞ୍ଜିତଙ୍କଠାରୁ ୩୦ ଲକ୍ଷ ଟଙ୍କା ନେଇଥିବା ସେ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ। ଏ ନେଇ ପୁଲିସ ଏକ ମାମଲା ରୁଜୁ କରିବା ସହ ଆଜି ପ୍ରତାପକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର