ଫ୍ଲାଟ ଦେବା ନାଁରେ ଠକେଇ; ବିଲଡର୍‌ଙ୍କୁ ବାନ୍ଧିଲା ଇଓଡବ୍ଲୁ

ଭୁବନେଶ୍ବର: ଫ୍ଲାଟ୍‌ ଦେବା ନାଁରେ ୨୫.୫ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଆଜି ଜଣେ ବିଲଡର୍‌ଙ୍କୁ ଗିରଫ କରିଛି। ସେ ହେଲେ, ରଘୁପତି ଇଷ୍ଟେଟ୍ ହୋଲଡିଂ ଲିମେଟେଡ୍‌ର ପୂର୍ବତନ ପରିଚାଳନା ନିର୍ଦେଶକ ପ୍ରଭାତ କୁମାର ନନ୍ଦ। ଅର୍ଥନୈତିକ ଅପରାଧ ଶାଖାର ଅଧିକାରୀମାନେ ତାଙ୍କୁ ଗିରଫ କରିବା ବେଳେ କଟକ ଭାଣପୁରସ୍ଥିତ ତାଙ୍କ ଘରୁ ଅନେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିଛନ୍ତି। ଆଜି ତାଙ୍କୁ କଟକରେ ଥିବା ସ୍ବତନ୍ତ୍ର କୋର୍ଟକୁ ଚାଲାଣ କରାଯାଇଛି।

କ୍ରାଇମବ୍ରାଞ୍ଚଠାରୁ ମିଳିଥିବା ସୂଚନା ମୁତାବକ, ଭାଣପୁର ମୌଜାର ପ୍ରିଷ୍ଟନ ପାର୍କରେ ଫ୍ଲାଟ୍‌ ଦେବାକୁ କହି ସଂସ୍ଥା ବିଭିନ୍ନ ଲୋକଙ୍କଠାରୁ କୋଟି କୋଟି ଟଙ୍କା ଠକେଇ କରିଛି। ଦେବଜ୍ୟୋତି ଦତ୍ତ ନାମକ ଅଭିଯୋଗକାରୀଙ୍କ ଅଭିଯୋଗ ଅନୁସାରେ, ୨୦୧୧-୧୨ ମସିହାରେ ସେ ଉକ୍ତ ବିଲଡର୍‌ ସଂସ୍ଥାଠାରୁ ଫ୍ଲାଟ୍‌ କିଣିବା ପାଇଁ ରାଜିନାମା କରି ୨୫.୫ ଲକ୍ଷ ଟଙ୍କା ଦେଇଥିଲେ। କିନ୍ତୁ ଟଙ୍କା ନେବା ପରେ ସଂସ୍ଥା ନା ଫ୍ଲାଟ୍‌ ଯୋଗାଇଥିଲା ନା ଟଙ୍କା ଫେରସ୍ତ କରିଥିଲା। ଏ ନେଇ ବିଭିନ୍ନ ସମୟରେ ଦେବଜ୍ୟୋତି ସଂସ୍ଥାକୁ ଯାଇ ଟଙ୍କା ମାଗିବାରୁ ତାଙ୍କୁ ଧମକ ଚମକ ମିଳିଥିଲା। ଏ ସଂପର୍କରେ ସେ ସ୍ଥାନୀୟ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ ତାଙ୍କ ଅଭିଯୋଗକୁ ଗୁରୁତ୍ବ ଦେଇ ନ ଥିଲା। ତେଣୁ ସେ କ୍ରାଇମ ବ୍ରାଞ୍ଚର ଦ୍ବାରସ୍ଥ ହୋଇଥିଲେ। କ୍ରାଇମ୍‌ବ୍ରାଞ୍ଚ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଦେବଜ୍ୟୋତିଙ୍କ ଭଳି ଏକାଧିକ ବ୍ୟକ୍ତି ବିଶେଷଙ୍କୁ ଜମି ଓ ଫ୍ଲାଟ୍‌ ଯୋଗାଇ ଦେବାକୁ କହି ପ୍ରଭାତ କୋଟି କୋଟି ଟଙ୍କା ଠକେଇ କରିଥିବା କ୍ରାଇମ ବ୍ରାଞ୍ଚ ଜାଣିବାକୁ ପାଇଛି।

ସମ୍ବନ୍ଧିତ ଖବର