ଭୁବନେଶ୍ବର: ରେଣ୍ଟାଲ କଲୋନି କୃଷି ଉଦ୍ୟାନ ମାର୍କେଟ୍‌ରେ ଥିବା ଦୁଲାଦେବୀ ଅଟାକଳର ଜଣେ ମିସ୍ତ୍ରିଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତକ ହେଲେ, ନୟାଗଡ଼ ଜିଲ୍ଲା ଗଣିଆ ଥାନା ବେଲପାହାଡ଼ ପାଟଣା ଅଞ୍ଚଳର ଦିଲ୍ଲୀପ ସାହୁ(୪୧)। ପୁଲିସ ଶବକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇବା ସହ ଅଭିଯୁକ୍ତ ଚିଣ୍ଟୁ ଜେନାଙ୍କୁ ନିଆଳିରୁ ଗିରଫ କରିଛି। ଚିଣ୍ଟୁର ଘର ଜଗତସିଂହପୁର ଜିଲ୍ଲା ନାଉଗାଁ ଏରଡ଼ା ବାଲିସାହି ଅଞ୍ଚଳରେ। ଏନେଇ ପୁଲିସ ନମ୍ବର ୨୬୨/୧୯ରେ ଏକ ହତ୍ୟା ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି। ମାତ୍ର ୧୦ ହଜାର ଟଙ୍କା ପାଇଁ ଏହି ହତ୍ୟାକାଣ୍ଡ ଘଟାଇଥିବା ପୁଲିସ ପଚରାଉଚରା ବେଳେ ଚିଣ୍ଟୁ ସ୍ବୀକାର କରିଛି। ଶନିବାର ବିଳମ୍ବିତ ରାତି‌ରେ ସେ ଏକ ଧାରୁଆ ଅସ୍ତ୍ରରେ ଦିଲ୍ଲୀପଙ୍କ ତଣ୍ଟି କାଟିଦେବା ପରେ ତାଙ୍କ ଶବକୁ ପେଟିରେ ପୂରାଇ ନିକଟସ୍ଥ ହର୍ଟିକଲଚର୍‌ ଫାର୍ମକୁ ଫୋପାଡ଼ି ଦେଇଥିଲା ବୋଲି କହିଛି।

Advertisment

ପୁଲିସ ସୂଚନା ମୁତାବକ, ୮ମାସ ତଳେ ଦିଲ୍ଲୀପ ରେଣ୍ଟାଲ କଲୋନି କୃଷି ଉଦ୍ୟାନ ମାର୍କେଟ୍‌ରେ ଥିବା ଦୁଲାଦେବୀ ଅଟାକଳରେ ମିସ୍ତ୍ରି ଭାବେ କାମ କରୁଥିଲେ। ୪ ମାସ ପରେ କୌଣସି କାରଣରୁ କାମ ଛାଡ଼ି ଚାଲି ଯାଇଥିଲେ। ୩ଦିନ ତଳେ ସେ ପୁଣି ଆସି ସେହି ଅଟାକଳରେ କାମ ଆରମ୍ଭ କରିଥିଲେ। ସେଠାରେ ସେ ମାର୍କେଟ୍‌ କମ୍ପ୍ଲେକ୍ସର ୩୮ ନମ୍ବର ଘରେ ରହୁଥିଲେ। ସେହି ଅଟାକଳରେ କାମ କରୁଥିବା ଅନ୍ୟଜଣେ ସହଯୋଗୀ ଚିଣ୍ଟୁ ମଧ୍ୟ ସେହି ଘରେ ରହୁଥିଲା। ଶନିବାର ରାତି ପ୍ରାୟ ସାଢ଼େ ୧୦ଟାରେ ଦିଲ୍ଲୀପ ଅଟାକଳ ମାଲିକ ପ୍ରମୋଦ ସୁବୁଦ୍ଧିଙ୍କ ସହ କଥା ହୋଇ ରୁମ୍‌କୁ ଯାଇଥିଲେ। କିନ୍ତୁ ଆଜି ସକାଳ ୮ଟା ସୁଦ୍ଧା ଚିଣ୍ଟୁ କିମ୍ବା ଦିଲ୍ଲୀପ ଅଟାକଳ ଖୋଲି ନଥିବାରୁ ପ୍ରମୋଦ ଉଭୟଙ୍କୁ ଫୋନ୍‌ କରିଥିଲେ। କେହି ଫୋନ୍‌ ନ ଉଠାଇବାରୁ ପ୍ରମୋଦ ଉକ୍ତ ଘରକୁ ଯାଇଥିଲେ। ଘର ବାହାରେ ରକ୍ତଧାର ଶିଡ଼ି ଦେଇ ଛାତ ଉପର ପର୍ଯ୍ୟନ୍ତ ପଡ଼ିଥିବା ଦେଖି ପ୍ରମୋଦଙ୍କ ସନ୍ଦେହ ହୋଇଥିଲା। ଛାତ ଉପ‌ରେ ଚଢ଼ି ଦେଖିବାକୁ ପାଇଥିଲେ ଯେ ଏକ ରକ୍ତ ଜୁଡୁବୁଡ଼ୁ ଶବ ପେଟିରେ ବନ୍ଧା ହୋଇ ତଳେ ପଡ଼ିଛି। ଏ ସଂପର୍କରେ ସେ ପୁଲିସକୁ ସୂଚନା ଦେଇଥିଲେ। ନୂଆପଲ୍ଲୀ ଥାନା ପୁଲିସ ଘଟଣାସ୍ଥଳ‌ରେ ପହଞ୍ଚି ରକ୍ତ ଜୁଡ଼ୁବୁଡ଼ ପେଟିକୁ ଖୋଲିବା ପରେ ଶବଟି ଦିଲ୍ଲୀପଙ୍କ ବୋଲି ଜଣାପଡ଼ିଥିଲା। ସାଇଣ୍ଟିଫିକ୍‌ ଟିମ୍‌ ଓ ସନ୍ଧାନୀ କୁକୁର ସହାୟତାରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ତେବେ ଚିଣ୍ଟୁ ଫେରାର୍‌ ଥିବାରୁ ତା’ ଉପରେ ପୁଲିସର ସନ୍ଦେହ ହୋଇଥିଲା। ପରେ ତାକୁ ପୁଲିସ ନିଆଳିରୁ ଗିରଫ କରିଥିଲା।

ହର୍ଟିକଲ୍‌ଚର ଫାର୍ମକୁ ଫୋପାଡ଼ି ଦେଇଥିଲା ଶବ
କିଛି ଦିନ ତଳେ ମାଲିକ ଦିଲ୍ଲୀପଙ୍କୁ ଅଗ୍ରିମ ୧୦ ହଜାର ଟଙ୍କା ଦେଇଥିଲେ। ଏହି ଟଙ୍କା ଉପରେ ଚିଣ୍ଟୁର ନଜର ଥିଲା। ଶନିବାର ବିଳମ୍ବିତ ରାତି‌ରେ ଚିଣ୍ଟୁ ଦିଲ୍ଲୀପଙ୍କ ଟଙ୍କା ନେବାକୁ ଉଦ୍ୟମ କରୁଥିବା ବେଳେ ଦିଲ୍ଲୀପ ଦେଖି ଦେଇଥିଲେ। ସେ ତା’ଠାରୁ ଟଙ୍କା ଆଣିବାକୁ ଚେଷ୍ଟା କରିଥିଲେ। ହେଲେ ଚିଣ୍ଟୁ ସମସ୍ତ ହିତାହିତ ଜ୍ଞାନ ଭୁଲି ଦିଲ୍ଲୀପଙ୍କ ତଣ୍ଟିକୁ ଏକ ଛୁରିରେ କାଟି ଦେଇଥିଲା। ହତ୍ୟା କରିବା ପରେ ପାଖରେ ଥିବା ଏକ ପେଟିରେ ଦିଲ୍ଲୀପଙ୍କ ଶବ ପୂରାଇ ଶିଡ଼ି ଦେଇ ଘୋଷାଡ଼ି ଘୋଷାଡ଼ି ଛାତ ଉପରକୁ ନେଇଥିଲା। ପେଟିଟିକୁ ଛାତ ସେପଟେ ଥିବା ହର୍ଟିକଲ୍‌ଚର ଫାର୍ମକୁ ଫୋପାଡ଼ି ଦେଇଥିଲା।

ସାବିତ୍ରୀ ଟଙ୍କା ବଦଳରେ ପହଞ୍ଚିଲା ସ୍ବାମୀଙ୍କ ଶବ
ଆଜ୍ଞା ଆଉ ଯିବିନି। ସବୁଦିନ କାମ କରିବି। ମତେ ୧୦ ହଜାର ଟଙ୍କା ଆଡ୍‌ଭାନ୍ସ ଦିଅନ୍ତୁ। ଏଠି ରହିବା ପାଇଁ ଜିନିଷପତ୍ର କିଣିବି। ସାବିତ୍ରୀ ପାଇଁ ଘରକୁ କିଛି ଟଙ୍କା ପଠାଇବି। ଦିଲ୍ଲୀପର ଏପରି କଥାରେ ରାଜି ହୋଇ ଅଟାକଳ ମାଲିକ ପ୍ରମୋଦ ତାଙ୍କୁ ୧୦ହଜାର ଟଙ୍କା ଦେଇଥିଲେ। ରବିବାର ସକାଳୁ ସାବିତ୍ରୀ ପାଇଁ ଦିଲ୍ଲୀପ ଘରକୁ ଟଙ୍କା ପଠାଇ ଥାଆନ୍ତେ। ମାତ୍ର ଘରେ ଟଙ୍କା ବଦଳରେ ପହଞ୍ଚିଲା ସ୍ବାମୀଙ୍କ ଶବ।