ବେଙ୍ଗାଲୁର: ଇଣ୍ଟର୍‌ନେଟ୍‌ ଏତେ ଦ୍ରୁତ ଗତିରେ ଅଗ୍ରଗତି କରିଚାଲିଛି ଯେ ଏହା ଲୋକଙ୍କ ଦୈନନ୍ଦିନ ଜୀବନରେ ପୂରାପୂରି ଭାବେ ‌ସାମିଲ୍‌ ହେବାରେ ଲାଗିଛି। ସାମାଜିକ ଗଣମାଧ୍ୟମ ଜରିଆରେ ବିଭିନ୍ନ ପ୍ରକାରର ଠକାମୀ ହେଉଛି। ସୋସିଆଲ୍‌ ମିଡିଆରେ ବନ୍ଧୁତା କରି ଟଙ୍କା ଲଟିବା ଏକ ନୂଆ ବେପାର ପାଲଟିିଛି।

Advertisment

କଥାବାର୍ତ୍ତା, ବନ୍ଧୁତା କିମ୍ବା ପ୍ରେମ କରିବାରେ କୌଣସି ଅସୁବିଧା ନାହିଁ ବରଂ, ଏହା ଦ୍ବାରା ଠକାମୀର ଶିକାର ହେବା ଏକ ବୋକାମୀ ନିଶ୍ଚୟ।  ଅନଲାଇନକୁ ବନ୍ଧୁତ୍ୱର ମାଧ୍ୟମ କରି ଅନେକ ଠକ ନିଜର ଫାଇଦା ଉଠାଉଛନ୍ତି। ବନ୍ଧୁତା ନାମରେ ଡେଟିଂ ସାଇଟରେ ପ୍ରତାରଣାର ଅନେକ ମାମଲା ସାମ୍ନାକୁ ଆସୁଛି।

ବେଙ୍ଗାଲୁରର ଜଣେ ୩୭ ବର୍ଷ ବୟସ୍କା ମହିଳା ଟିଣ୍ଡର ମାଧ୍ୟମରେ ଜଣେ ପୁରୁଷଙ୍କ ସହ ପରିଚିତ ହୋଇଥିଲେ। ଏହି ବ୍ୟକ୍ତିଙ୍କ ନାମ ହେଉଛି ଆଦିକ୍ ଚୋପ୍ରା। ଆଦିକ ମହିଳାଙ୍କୁ କହିଥିଲେ ଯେ ସେ ଲଣ୍ଡନରେ ଜଣେ ଡାକ୍ତର ଭାବେ କାର୍ଯ୍ୟ କରୁଛନ୍ତି। ଦୁହେଁ ପରସ୍ପରଙ୍କ ସହ କଥାବାର୍ତ୍ତା ଆରମ୍ଭ କଲେ। ମହିଳା ଜଣକ ଆଦିକଙ୍କ ପ୍ରତି ଧୀରେ ଧୀ‌ରେ ଭାବପ୍ରବଣ ହୋଇଚାଲିଲେ। ତାପରେ ସେ ଆଦିକଙ୍କ ପ୍ରତି ନିଜର ପ୍ରେମ ଜାହିର କରିଲେ। ଆଦିକ ବି ମହିଳାଙ୍କୁ ଭଲପାଉଥିବା କହିଥିଲେ।

କିଛିଦିନ ପରେ ଆଦିକ ମହିଳାଙ୍କୁ କହିଲେ ଯେ ସେ ତାଙ୍କୁ ଭେଟିବା ପାଇଁ ବେଙ୍ଗାଲୁର ଆସୁଛନ୍ତି। ମେ ୧୭ରେ, ଏହି ମହିଳାଙ୍କୁ ଏକ ଅଜଣା ନମ୍ବରରୁ କଲ ଆସିଥିଲା। ​​ଫୋନରେ ସେପଟରୁ ଶୁଭିଲା ଯେ ଆଦିକ ଚୋପ୍ରାଙ୍କୁ ବେଙ୍ଗାଲୁର ବିମାନ ବନ୍ଦରରେ ଗିରଫ କରାଯାଇଛି। ୪ ଲକ୍ଷ ଟଙ୍କା ଦେଲେ ଯାଇ ଆଦିକଙ୍କୁ ଛଡ଼ାଯିବ ବୋଲି ଶୁଣିବା ପ‌ରେ ମହିଳା ଜଣକ ତୁରନ୍ତ ଟଙ୍କା ପଠାଇଥିଲେ।

ତାପରେ ସେମ‌ାନେ ପୁଣି ୬ ଲକ୍ଷ ଟଙ୍କା ମାଗିଥିଲେ। ସେତେବେଳକୁ ମହିଳା ସନ୍ଦେହ କଲେଣି ‌ଯେ ହୁଏତ ସେ କେଉଁ ଠକାମୀରେ ଫସିଯାଇଛନ୍ତି ବୋଲି। ମହିଳା ପ୍ରଶ୍ନ ପଚାରିବା ମାତ୍ରେ କଲର ସଂଯୋଗ ବିଚ୍ଛିନ୍ନ ହୋଇ ଯାଇଥିଲା। ତାପରଠାରୁ ଆଦିକ ଆଉ ମହିଳାଙ୍କ ସହ ଯୋଗାଯୋଗ କଲେ ନାହିଁ। ଏପରିକି ସେହି ବ୍ୟକ୍ତି ତାଙ୍କର ଟିଣ୍ଡର ଆକାଉଣ୍ଟ ମଧ୍ୟ ବନ୍ଦ କରିଦେଇଥିଲେ।