ବ‌ାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତରଙ୍କୁ ମାଡ଼,ଜେଲ୍‌ ଗଲେ ୩ ଯୁବକ

ବାଲିଅନ୍ତା: ରବିବାର ରାତିରେ ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଆଉଟଡୋରରେ ଡ୍ୟୁଟି କରୁଥିବା ଡାକ୍ତର ନିରଞ୍ଜନ ନାୟକଙ୍କୁ ମାଡ଼ ଘଟଣାରେ ଆଜି ବାଲିଅନ୍ତା ଥାନା ପୁଲିସ ଅଭିଯୁକ୍ତ ୩ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ମଞ୍ଚେଶ୍ବର ଥାନା ଅଞ୍ଚଳର ଅଶୋକ ମଲ୍ଲିକ (୩୮), ଦିଲ୍ଲୀପ କୁମାର ରାଉତ (୪୦) ଏବଂ ସୁବଳ କୁମାର ସ୍ବାଇଁ (୩୯)। ଧଉଳି ଥାନା ପୁଲିସ ଉପସ୍ଥିତିରେ ସେମାନେ ଡାକ୍ତରଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ମାଡ଼ ମାରି ସେଠାରୁ କାରରେ ଫେରାର ହୋଇଯାଇଥିଲେ। ବ୍ୟବହୃତ କାର ନମ୍ବରକୁ ଆଧାର କରି ରବିବାର ବିଳମ୍ବିତ ରାତିରେ ରସୁଲଗଡ଼ ଓ ମଞ୍ଚେଶ୍ବର ଥାନା ଅଞ୍ଚଳରେ ଚଢ଼ଉ କରାଯାଇ ୩ ଜଣଙ୍କୁ ଗିରଫ କରାଯାଇଥିଲା। ମାତ୍ର ଗଣ୍ଡଗୋଳରେ ସଂପୃକ୍ତ ଅନ୍ୟଜଣେ ଯୁବକକୁ ପୁଲିସ ଗିରଫ କରିପାରିନି। ଏଥିସହିତ ପୁଲିସ କାରଟିକୁ ମଧ୍ୟ ଜବତ କରିଛି। ଏ ସଂପର୍କରେ ଷ୍ଟାଫନର୍ସ ମନୋରମା ଜେନା ବାଳକାଟି ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ। ଦୁର୍ଘଟଣାରେ ଆହତ ଜଣେ ଯୁବକଙ୍କ ଚିକିତ୍ସାକୁ ନେଇ ଯୁବକମାନଙ୍କ ସହିତ ଡାକ୍ତରଙ୍କର ବଚସା ହୋଇଥିଲା। ସେହି ସମୟରେ ଡାକ୍ତର ଶ୍ରୀ ନାୟକ ଅନ୍ୟ ଜଣେ ଗୁରୁତର ରୋଗୀଙ୍କ ଚିକିତ୍ସା କରୁଥିଲେ। ଏଥିରେ ଯୁବକମାନେ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ମାଡ଼ମାରି ଭୁବନେଶ୍ବର ଅଭିମୁଖେ କାର୍‌ରେ ଫେରାର ହୋଇଯାଇଥିଲେ।

ସମ୍ବନ୍ଧିତ ଖବର