ନୂଆଦିଲ୍ଲୀ: ବିଳାସପୁର ନେହେରୁ ନଗରସ୍ଥିତ ଏକ ଘରୋଇ ହସ୍ପିଟାଲ୍ରେ ଓ୍ଵାର୍ଡ ବଏ ଆଇସିୟୁରେ ଭର୍ତ୍ତି ହୋଇଥିବା ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।
ବିଳାସପୁର ଅନ୍ତର୍ଗତ ନେହେରୁ ନଗରସ୍ଥିତ ଏକ ଘରୋଇ ହସ୍ପିଟାଲ୍ର ଦୁଇଜଣ ଓ୍ଵାର୍ଡ ବଏ ବିରୋଧରେ ଆଇସିୟୁରେ ଭର୍ତ୍ତି ହୋଇଥିବା ଯୁବତୀ ଗଣଦୁଷ୍କର୍ମର ଅଭିଯୋଗ ଆଣି ଏକ ଚିଠି ଲେଖିଛନ୍ତି। ଦୁଷ୍କର୍ମର ଶିକାର ହେବା ପରେ ଯୁବତୀଙ୍କ ଅବସ୍ଥା ଶୋଚନୀୟ ହୋଇପଡ଼ିଥିବାରୁ ତାଙ୍କୁ ଏବେ ଚିକିତ୍ସା ପାଇଁ ଭେଣ୍ଟିଲେଟରରେ ରଖା ଯାଇଛି। ଏହି ଘଟଣା ସମ୍ପର୍କରେ ଖବର ପାଇ ସଭିଲ୍ ଲାଇନ୍ ପୁଲିସ ଡାକ୍ତରଖାନାରେ ପହଞ୍ଚି ଯାଞ୍ଚ କରୁଛି। ଏଥିସହିତ ପୁଲିସ ପୀଡ଼ିତା ପିତାଙ୍କୁ ଧୌର୍ଯ୍ୟ ଧରିବାକୁ କହିବା ସହ ଦୋଷୀଙ୍କୁ ନିଶ୍ଚୟ ଦଣ୍ଡ ମିଳିବ ବୋଲି ଆଶ୍ୱସ୍ତି ଦେଇଛି।
ବିଳାସପୁର ସହରକୁ ଲାଗି ଥିବା ଗ୍ରାମରେ ପୀଡ଼ିତା ବସବାସ କରନ୍ତି। ଯୁବତୀଙ୍କ ପିତାଙ୍କ କହିବାନୁସାରେ, ତାଙ୍କ ଝିଅକୁ ହସ୍ପିଟାଲ୍ରେ ଜାଣିଶୁଣି ୨ଦିନ ହେବ ଅଚେତ ରଖାଯାଇଛି। ମଇ ୧୮ ତାରିଖ ସକାଳେ ଔଷଧ ଖାଇବା ପରେ ଝିଅ ଶରୀର ଅଧିକ ଅସୁସ୍ଥ ହୋଇପଡ଼ିଥିଲା। ତେଣୁ ତାକୁ ଚିକିତ୍ସା ପାଇଁ ସିମ୍ସି ହସ୍ପିଟାଲ୍ ନେଇ ଯାଇଥିଲୁ। ସେଠାରେ କରୋନା ସଂକ୍ରମଣ ପରୀକ୍ଷା ଚାଲୁଥିବାରୁ ଝିଅର ଚିକିତ୍ସା ହୋଇପାରି ନଥିଲା। ଏହାପରେ ଝିଅକୁ ନେଇ ନାରାୟଣୀ ହସ୍ପିଟାଲ୍କୁ ଯାଇଥିଲୁ। ସେଠାରେ ବି ତାର ଚିକିତ୍ସା ନହେବାରୁ ଶେଷରେ ନେହେରୁ ନଗରସ୍ଥିତ ଏକ ଘରୋଇ ହସ୍ପିଟାଲ୍ରେ ଭର୍ତ୍ତି କରିଥିଲୁ।
ମଇ ୨୧-୨୨ ରାତିରେ ସୁଯୋଗ ପାଇ ହସ୍ପିଟାଲ୍ର ଦୁଇଜଣ ଓ୍ଵାର୍ଡ ବଏ ଝିଅ ସହିତ ଦୁଷ୍କର୍ମ କରିଥିଲେ। ଏହି ଘଟଣା ପରେ ଝିଅ ସମ୍ପୂର୍ଣ୍ଣ ଭାବେ ଚାପଗ୍ରସ୍ତ ହୋଇପଡ଼ିଛି। ସେ ଭେଣ୍ଟିଲେଟରରେ ଥିବାରୁ କିଛି କହିବି ପାରୁ ନାହିଁ। ମୋତେ ସଙ୍କେତ ଦେଇ କହିବାକୁ ଚେଷ୍ଟା କରିଥିଲା, କିନ୍ତୁ ମୁଁ କିଛି ବୁଝି ନପାରିବାରୁ ସେ ମୋତେ କାଗଜ ଓ କଲମ ମାଗିଥିଲା। କାଗଜ ଓ କଲମ ପାଇବା ପରେ ତା’ ସହିତ ଘଟିଥିବା ସେହି ଯନ୍ତ୍ରଣାଦାୟକ ଘଟଣା ବିଷୟରେ ଚିଠିରେ ଲେଖି ଜଣାଇଥିଲା ଝିଅ।