ପୁଲିସ ଆଖିରେ ଲଙ୍କାଗୁଣ୍ଡ ପକାଇ ଅପରାଧୀକୁ ଖସାଇ ନେଇ ଚାଲିଗଲେ ସହଯୋଗୀ ଅପରାଧୀ
ନୂଆଦିଲ୍ଲୀ: ସୋମବାର ଦିନ ମୌଲାନା ଆଜାଦ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଡେଣ୍ଟାଲ୍ ସାଇନ୍ସ୍କୁ ଅଣାଯାଇଥିବା ବେଳେ ଜଣେ ଅପରାଧୀ, ଗୁଳି ଚାଳନା ସତ୍ତ୍ୱେ, ପୁଲିସ ହେପାଜତରୁ ଖସି ପଳାଇଛି। ସନ୍ଦୀପ କୁମାର ଓରଫ୍ ସଞ୍ଜୟ ଓରଫ୍ ଧିଲୁ ଅପରାଧୀ ନୀରଜ ବାଓ୍ଵନା ଏବଂ ସନ୍ଦୀପ ମେଣ୍ଟାଲ୍ଙ୍କ ସହ ସମ୍ପୃକ୍ତ ଥିଲା। ପରେ ସେ ବିଶ୍ୱସ୍ତତା ପରିବର୍ତ୍ତନ କରି ଅନ୍ୟ କେତେକ ଯୁବକଙ୍କ ସହ ଟିଲୁ ଗ୍ୟାଙ୍ଗ୍ରେ ଯୋଗ ଦେଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ସୋମବାର ଦିନ ପ୍ରାୟ ଦିନ ସାଢ଼େ ଦଶଟା ବେଳେ କୁମାରକୁ ଚିକିତ୍ସା ପରବର୍ତ୍ତୀ ସ୍ୱାସ୍ଥ୍ୟ ପରୀକ୍ଷା କରାଇବାକୁ ଏଏସ୍ଆଇ ବ୍ରଜ ମୋହନ, ଏଏସ୍ଆଇ ନରେଶ ପାଲ ଏବଂ ହେଡ୍ କନେଷ୍ଟବଳ ଯୋଗେନ୍ଦ୍ର ତତ୍ତ୍ୱାବଧାନରେ ଜେଲ୍ରୁ କୁମାରକୁ ଏକ ଇକୋ ଗାଡ଼ିରେ ଡାକ୍ତରଖାନାକୁ ଅଣାଯାଇଥିଲା। ଫେବ୍ରୁଆରି ୯ ତାରିଖ ଦିନ ଦାନ୍ତ ଉପାଡ଼ିବା ପାଇଁ କୁମାରଙ୍କର ଅସ୍ତ୍ରୋପଚାର କରାଯାଇଥିଲା। ତେଣୁ ପୁଣି ଥରେ ୧୯ ତାରିଖ ଦିନ ଡାକ୍ତରଖାନା ଆସିବାକୁ ତାଙ୍କୁ ପରାମର୍ଶ ଦିଆଯାଇଥିଲା।
ବାଳ ଭବନ ପଟକୁ ଖୋଲା ଥିବା ହସ୍ପିଟାଲ୍ର ଏକ ଫାଟକ ବାଟେ କୁମାରଙ୍କୁ ଅଣାଯାଉଥିବା ବେଳେ ଦିନ ପ୍ରାୟ ୧୧ଟା ୧୫ ମିନିଟ୍ ସମୟରେ ଖସିବା ଯୋଜନା ହୋଇଥିଲା। ପୂର୍ବରୁ ଫାଟକ ନିକଟରେ ତିନି ଜଣ ଲୋକ ଗୋଟିଏ ବାଇକ୍ ଏବଂ ଗୋଟିଏ ସ୍କୁଟର ଠିଆ କରି ରହିଥିଲେ। ସେମାନେ ପୁଲିସବାଲାଙ୍କ ଆଖିକୁ ଲଙ୍କାଗୁଣ୍ଡ ପକାଇଦେଲେ। ଯନ୍ତ୍ରଣାରେ ପୁଲିସବାଲା ସବୁ କାଉଳି ମାଉଳି ହେଉଥିବା ବେଳେ କୁମାର ଏବଂ ତା’ର ସହଯୋଗୀମାନେ ଖସି ପଳାଇଗଲେ।
ସ୍ଥାନୀୟ ଲୋକମାନେ କହୁଛନ୍ତି କି, ପୁଲିସ ଦେଖଣାହାରିଙ୍କୁ ଡରାଇବାକୁ ପୁଲିସ ଫାଙ୍କା ଗୁଳି ଚଳାଇଥିଲା। ପୁଲିସ ମଧ୍ୟ କହୁଛି କି, ସେମାନେ ୪ ରାଉଣ୍ଡ୍ ଗୁଳି ଚଳାଇଥିଲେ। ଗୋଡ଼ାଇ ଗୋଡ଼ାଇ କିଛି ବାଟ ସେମାନଙ୍କ ପଛରେ ଧାଇଁ ଥିଲେ ମଧ୍ୟ। କିନ୍ତୁ, ସେମାନେ ପାଲଟା ଗୁଳି ଚଳାଇବାକୁ ଧମକ ଦିଅନ୍ତେ, ପୁଲିସ ଆଉ ସେମାନଙ୍କ ପିଛା କରି ନ ଥିଲେ।
ଚକ୍ଷୁପୀଡ଼ା ଯୋଗୁଁ ଦୁଇଜଣ ପୁଲିସଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
କୁମାର ନାଁରେ ତିନୋଟି ନରହତ୍ୟା ମାମଲା ଓ ବଟି ଆଦାୟ ଓ ଡକାୟତି ମାମଲା ରହିଛି। ତା’ ପାଖରେ ଅସ୍ତ୍ରଶସ୍ତ୍ର ଅଛି ଏବଂ ସେ ଅତି ଭୟଙ୍କର ବୋଲି ପୁଲିସ ସର୍ବସାଧାରଣଙ୍କୁ କହିଛି। ତାକୁ ଧରିବା ପାଇଁ ଦିଲ୍ଲୀ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।