ଭୁବନେଶ୍ୱର: କମିସନରେଟ ପୁଲିସ ଗତକାଲି ଖଣ୍ଡଗିରି ଥାନା ଅଧୀନ ଅନ୍ଧାରୁଆ ନିକଟରୁ ୨ ଗଞ୍ଜେଇ ବେପାରୀଙ୍କୁ ଗିରଫ କରିବା ସହ ଅଢ଼େଇ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିଥିଲା। ଯାହାର ବଜାର ମୂଲ୍ୟ ପାଖାପାଖି ୨୦ ଲକ୍ଷ ଟଙ୍କା। ସନ୍ଦେହ ନ ହେବା ଲାଗି ଚାଲାଣରେ ସ୍କୋଡା ଭଳି ଦାମୀ କାର୍ ବ୍ୟବହାର କରାଯାଇଥିଲା। ଏତେ ପରିମାଣର ଗଞ୍ଜେଇ ଜବତ ହେବା ପୂର୍ବରୁ ଖୁବ୍ କମ୍ ନଜିର ରହିଛି। ତେବେ ଗିରଫ ଦୁଇ ଅଭିଯୁକ୍ତ ସୂର୍ଯର୍୍ୟକାନ୍ତ ମାନସିଂହ ଓ ସେକ୍ ଇସାକଙ୍କୁ ପଚରାଉଚରା ବେଳେ କୁଇକ୍ ଆକ୍ସନ ଟିମ୍ ଚୋରା ଗଞ୍ଜେଇ କାରବାର ଉପରେ ଅନେକ ତଥ୍ୟ ପାଇଛି। ରାଜଧାନୀକୁ ଦକ୍ଷିଣ ଓଡ଼ିଶାରୁ କ୍ୱିଣ୍ଟାଲ କ୍ୱିଣ୍ଟାଲ ଗଞ୍ଜେଇ ଆସୁଛି। ମାଧ୍ୟମ ପାଲଟିଛି ଯାତ୍ରୀବାହୀ ବସ୍, ଭାୟା ନୟାଗଡ଼। ପୁଲିସ, ଆର୍ଟିଓ ଓ କେତେକ ଟୋଲଗେଟ୍ କର୍ମଚାରୀ ଏଥିରେ ସଂପୃକ୍ତ। ଖୋଦ ଅବକାରୀ ବିଭାଗର କିଛି ଅସାଧୁ କର୍ମଚାରୀ ଏହି କାରବାରରେ ସଂପୃକ୍ତ ଅଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଦକ୍ଷିଣ ଓଡ଼ିଶାର ରାୟଗଡ଼ା ଜିଲ୍ଲା ଗଞ୍ଜେଇ କାରବାରର ପେଣ୍ଠସ୍ଥଳ। ରାୟଗଡ଼ା ବ୍ୟତୀତ ଫୁଲବାଣୀ, କନ୍ଧମାଳ, କୋରାପୁଟ, ମାଲକାନଗିରି, ବୌଦ୍ଧରୁ ଚୋରା ଚାଲାଣ ହୋଇ ରାଜଧାନୀକୁ ଆସୁଛି ଏହି ନିଶାଦ୍ରବ୍ୟ। ଏହି ସବୁ ଜିଲ୍ଲାରୁ ଆସୁଥିବା ରାତ୍ରୀକାଳିନ ଯାତ୍ରୀବାହୀ ବସ୍ ଯୋଗେ ବ୍ୟବସାୟୀମାନେ ଏହି ଗଞ୍ଜେଇ ରାଜଧାନୀକୁ ଆଣୁଛନ୍ତି। ଅବକାରୀ ବିଭାଗର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଗଞ୍ଜେଇ ବ୍ୟବସାୟୀମାନେ ସାଧାରଣ ବ୍ୟାଗ୍ ଭିତରେ ୪ରୁ ୫କେଜି ଗଞ୍ଜେଇ ଭର୍ତ୍ତି କରିଥାନ୍ତି। ଅନ୍ୟ ଯାତ୍ରୀମାନେ ଯେପରି ଜାଣି ନପାରିବେ, ସେନେଇ ଗଞ୍ଜେଇ ଥିବା ବ୍ୟାଗ୍ରେ ବିଭିନ୍ନ ପର୍ଫ୍ୟୁମ୍ ମାରିଥାନ୍ତି। ଯାହାଦ୍ୱାରା ଗଞ୍ଜେଇର ବାସ୍ନା ବାହାରକୁ ଜଣା ପଡ଼ିନଥାଏ।
ଏହାବ୍ୟତୀତ ରାଜଧାନୀ ଉପକଣ୍ଠକୁ ବ୍ୟବସାୟୀମାନେ ଚୋରା ବ୍ୟବସାୟର ସୁରକ୍ଷିତ ସ୍ଥାନ ଭାବେ ବାଛି ନେଇଛନ୍ତି। ଯେହେତୁ ରାଜଧାନୀରେ କମିସନରେଟ ପୁଲିସ ପକ୍ଷରୁ ପାଟ୍ରୋଲିଂ ବ୍ୟବସ୍ଥା କଡ଼ାକଡ଼ି ରହିଛି, ସେହି ଦୃଷ୍ଟିରୁ ବ୍ୟବସାୟୀମାନେ ରାଜଧାନୀ ଉପକଣ୍ଠ ଖୋର୍ଧା, ତୋମାଣ୍ଡୋ, ପାତ୍ରପଡ଼ା ଆଦି ସ୍ଥାନରେ ସୁରକ୍ଷିତ ଭାବେ ଗଞ୍ଜେଇକୁ ଓହ୍ଲାଇଥାନ୍ତି। ପୂର୍ବ ଯୋଗାଯୋଗ ଅନୁଯାୟୀ ବସ୍ରୁ ଓହ୍ଲାଇବା ପରେ ପରେ ଅନ୍ୟ ବ୍ୟବସାୟୀମାନେ ଘଟଣାସ୍ଥଳରେ ପହଞ୍ଚିଥାନ୍ତି ଏବଂ ସଙ୍ଗେସଙ୍ଗେ ନଗଦ ଟଙ୍କା ଦେଇ ତାହାକୁ ନେଇଥାନ୍ତି। ପରେ ସେଠାରୁ ରାଜଧାନୀର ବିଭିନ୍ନ ବ୍ୟବସାୟୀଙ୍କୁ ପଠାଯାଇଥାଏ। ପୁଣି ସେହି ବ୍ୟବସାୟୀମାନେ କ୍ଷୁଦ୍ର ବ୍ୟବସାୟୀ, ପାନ ଦୋକାନୀ, ବସ୍ତି ଅଞ୍ଚଳକୁ ପଠାଇଥାନ୍ତି। ଏଭଳି ଭାବେ ରାଜଧାନୀକୁ ଗଞ୍ଜେଇ ଆସିଥାଏ। ତେବେ ମିଳିଥିବା ସୂଚନା ଅନୁଯାୟୀ, ରାତିରେ ଆସୁଥିବା ବସ୍ କର୍ମଚାରୀଙ୍କୁ ହାତ କରି ଏହି ଗଞ୍ଜେଇ ବେପାରୀମାନେ ବ୍ୟବସାୟକୁ ଚଳାଇଛନ୍ତି। କିଛି ଦିନ ପୂର୍ବରୁ ଫୁଲବାଣୀରୁ ଭୁବନେଶ୍ୱରକୁ ଆସିଥିବା ଏକ ଯାତ୍ରୀବାହୀ ବସ୍ରୁ ଅବକାରୀ ବିଭାଗ ୫୦ କେଜି ଗଞ୍ଜେଇ ଜବତ କରିଥିଲା। ଏହି ଘଟଣା ପଦାକୁ ଆସିବା ପରେ ବ୍ୟବସାୟୀମାନେ ଏବେ ରାଜଧାନୀ ଉପକଣ୍ଠକୁ ସୁରକ୍ଷିତ ସ୍ଥାନ ଭାବେ ବାଛି ନେଇଥିବା ସୂଚନା ମିଳିଛି। ରାୟଗଡ଼ାରୁ ଆରମ୍ଭ କରି କମିସନରେଟ୍ ପୁଲିସର କେତେକ ଅଫିସର, ଆରଟିଓ, ଟୋଲଗେଟ୍ ଓ ଅବକାରୀ କର୍ମଚାରୀ ଏହି ଚୋରା କାରବାରରେ ସଂପୃକ୍ତ ବୋଲି ଅବକାରୀ ପୁଲିସ ଜାଣିବାକୁ ପାଇଛି।