ଖଣ୍ଡଗିରି : ବୁଧବାର ଭୁବନେଶ୍ବର ମୋବାଇଲ୍ ଅବକାରୀ ସ୍କ୍ବାଡ୍ ଓ ଖଣ୍ଡଗିରି ଥାନା ପୁଲିସ ଦୁଇଟି ପୃଥକ୍ ପୃଥକ୍ ମାମଲାରେ ୫ ଜଣ ଗଞ୍ଜେଇ ବେପାରୀଙ୍କୁ ଗିରଫ କରିଛନ୍ତି। ସେମାନଙ୍କଠାରୁ ୭୬କିଲୋ ଗଞ୍ଜେଇ ଜବତ କରାଯାଇଛି। ଜବତ ଗଂଜେଇର ଆନୁମାନିକ ମୂଲ୍ୟ ସାଢ଼େ ୩ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଅବକାରୀ ବିଭାଗ ୫୬ କିଲୋ ଗଞ୍ଜେଇ ଭର୍ତ୍ତି ଏକ କାର୍ ଜବତ କରିଥିବା ବେଳେ ବସ୍ରୁ ଅନ୍ୟ ଜଣଙ୍କୁ ଗିରଫ କରି ତା’ଠାରୁ ୫ କିଲୋ ଗଂଜେଇ ଜବତ କରିଛି। ସେହିଭଳି ଖଣ୍ଡଗିରି ଥାନା ପୁଲିସ ବରମୁଣ୍ଡା ବସ୍ଷ୍ଟାଣ୍ଡ ନିକଟରୁ ୨ ଜଣଙ୍କୁ ଗିରଫ କରି ସେମାନଙ୍କଠାରୁ ୧୫ କିଲୋ ଗଂଜେଇ ଜବତ କରିଛି।
ସୂଚନାନୁସାରେ, ଆଜି ଫୁଲବାଣୀରୁ ଗଞ୍ଜେଇ ନେଇ ୩ଜଣ ଏକ ଇଣ୍ଡିଗୋ କାର୍ରେ ଆସୁଥିବା ବେଳେ ଭୁବନେଶ୍ବର ମୋବାଇଲ୍ ଅବକାରୀ ସ୍କ୍ବାଡ୍ ଖୋର୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରୁ ସେମାନଙ୍କୁ ଧରିଥିଲା। କାର୍ରେ ୫୬କିଲୋ ଗଞ୍ଜେଇ ଥିଲା। ଅଭିଯୁକ୍ତମାନେ ହେଲେ, ଫୁଲବାଣୀ ବାଲିଗୁଡ଼ାର କାର୍ତ୍ତିକ ବେହେରା(୩୦), ମହେଶ୍ବର ନାଏକ(୩୨)। ଏମାନଙ୍କ ସୂଚନା ଆଧାରରେ ଏହି ଟିମ୍ ଗଙ୍ଗପଡ଼ା ନିକଟରେ ଏକ ବସ୍କୁ ଅଟକାଇ ଯାଜପୁରର ସୁକାନ୍ତ ଲେଙ୍କା(୩୫)କୁ ଧରିଥିଲେ। ତା’ ନିକଟରୁ ୫କିଲୋ ଗଞ୍ଜେଇ ମିଳିଥିଲା। ଅବକାରୀ ଅଧୀକ୍ଷକ ପ୍ରସନ୍ନ ଆଚାର୍ଯ୍ୟଙ୍କ ନିର୍ଦେଶରେ ଆଇଆସି ପ୍ରଭାତ ସେଠୀଙ୍କ ସହ ସୁବାସ ଚନ୍ଦ୍ର ମହାପାତ୍ର, ସୁଜିତ୍ ମୁଦୁଲି ଓ ଟାଙ୍ଗୀ ଅବକାରୀ ଅଧିକାରୀ ସାମିଲ ହୋଇଥିଲେ। ସେହିଭଳି ଖଣ୍ଡଗିରି ଥାନା ପୁଲିସ ବରମୁଣ୍ଡା ବସ୍ଷ୍ଟାଣ୍ଡରୁ ଗିରଫ କରିଥିବା ଅଭିଯୁକ୍ତମାନେ ହେଲେ, ଗଞ୍ଜାମ ଉଦଳାର ଦୁଇ ସମ୍ପର୍କୀୟ ଭାଇ ତୋଫାନ ଜେନା ଓ ଅର୍ଜୁନ ଜେନା। ସେମାନେ ରାଜଧାନୀର ଛୋଟ ବେପାରୀମାନଙ୍କୁ ଯୋଗାଇବାକୁ ଏହି ନିଶାଦ୍ରବ୍ୟ ଆଣିଥିଲେ।